ରାଉରକେଲା ହେବ କ୍ରୀଡ଼ା ହବ୍‌; ପ୍ରକଳ୍ପ ବୁଲିଲେ, ସମୀକ୍ଷା କଲେ ମୁଖ୍ୟ ଶାସନ ସଚିବ, ୫ଟି ସଚିବ

ରାଉରକେଲା : ‘ ୨୦୨୩‌ ମସିହାରେ ରାଉରକେଲାରେ ପୁରୁଷ ହକି ବିଶ୍ବକପ୍‌ ମ୍ୟାଚ୍‌ ଖେଳାଯିବ। ଏହାକୁ ଦୃଷ୍ଟିରେ ରଖି ଏଠାରେ ଅନ୍ତର୍ଜାତୀୟ ସ୍ତରର ତଥା ଅତ୍ୟାଧୁନିକ ହକି ଷ୍ଟାଡିୟମ ନିର୍ମାଣ ଚାଲିଛି। ୨୦୨୨ ଜୁଲାଇ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ସମ୍ପନ୍ନ ହେବ। ଏହାସହ ଇସ୍ପାତସହରର ଭିତ୍ତିଭୂମିର ବିକାଶ ପାଇଁ ଏକାଧିକ ପ୍ରକଳ୍ପ ନିର୍ମାଣାଧୀନ। ହକି ସହିତ ବିଭିନ୍ନ କ୍ରୀଡ଼ାର ବିକାଶ ଲାଗି ସହରରେ ଯେଉଁସବୁ ଅତ୍ୟାଧୁନିକ ଭିତ୍ତିଭୂମି ନିର୍ମାଣ କରାଯାଉଛି , ତାହା ଆଗାମୀ ଦିନରେ ରାଉରକେଲାକୁ ପ୍ରମୁଖ କ୍ରୀଡ଼ା ହବ‌୍‍ ଭାବେ ପରିଚିତ କରାଇବ।’ ରାଉରକେଲା ଗସ୍ତରେ ଆସିଥିବା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର ଏଭଳିଭାବେ ରାଉରକେଲା ସହରର ଭବିଷ୍ୟତ ଚିତ୍ର ଆଙ୍କିଛନ୍ତି।

ହକି ବିଶ୍ବକପ୍‌ ଆୟୋଜନ ପାଇଁ ଭିତ୍ତିଭୂମିର ବିକାଶ ସଂପର୍କରେ ମୁଖ୍ୟ ଶାସନ ସଚିବ କହିଲେ, ଏୟାରପୋର୍ଟ ଅଥରିଟି ଅଫ‌୍‍ ଇଣ୍ଡିଆ ପକ୍ଷରୁ ରାଉରକେଲା ବିମାନ ବନ୍ଦରର ସଂପ୍ରସାରଣ କାର୍ଯ୍ୟ ଜାରି ରହିଛି। ଏଠାରେ ଟର୍ମିନାଲ ବିଲ୍ଡିଂ ମଧ୍ୟ ନିର୍ମାଣ କରାଯିବ। ୨୦୨୨ ମେ ମାସ ସୁଦ୍ଧା ଏହାର ନିର୍ମାଣ କାର୍ଯ୍ୟ ଶେଷ ହେବ। ଏତଦ୍‌ବ୍ୟତୀତ ନିର୍ମାଣାଧୀନ ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମର ନିର୍ମାଣ ଶେଷ ପର୍ଯାୟରେ ପହଞ୍ଚିଛି। ନିର୍ମାଣାଧୀନ ବୀର୍ସା ମୁଣ୍ଡା ଷ୍ଟାଡିୟମ ଉଭୟ ଫୁଟବଲ୍‌ ଖେଳ ସହ ଆଥଲେଟିକ‌୍‍ ପାଇଁ ଗୁରୁତ୍ବପୂର୍ଣ୍ଣ ଭୂମିକା ଗ୍ରହଣ କରିବ। ଏହାସହ ଛେଣ୍ଡ୍‌ରେ ନିର୍ମାଣ ଚାଲିଥିବା ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ କାର୍ଯ୍ୟ ଆସନ୍ତା ବର୍ଷ ଜୁନ‌୍‍ ସୁଦ୍ଧା ସମ୍ପନ୍ନ କରିବାକୁ ଲକ୍ଷ୍ୟ ରଖାଯାଇଛି।

ମୁଖ୍ୟ ଶାସନ ସଚିବଙ୍କ ସମେତ ୫-ଟି ସଚିବ ଭି.କେ. ପାଣ୍ଡିଆନ‌୍‍, ଜାତୀୟ ସ୍ବାସ୍ଥ୍ୟ ମିସନ ନିର୍ଦ୍ଦେଶିକା ଶାଳିନୀ ପଣ୍ଡିତ, କ୍ରୀଡ଼ା ସଚିବ ଆର. ଭିନିଲ‌୍‍ କ୍ରିଷ୍ଣା ପ୍ରମୁଖ ଏହି ଗସ୍ତରେ ରାଉରକେଲା ଆସି ବିଭିନ୍ନ ଉନ୍ନୟନମୂଳକ ପ୍ରକଳ୍ପର ସମୀକ୍ଷା କରିଥିଲେ। ଏହି ପ୍ରତିନିଧି ଦଳ ରାଉରକେଲାରେ ନିର୍ମାଣାଧୀନ ବୀର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ, ବିଜୁ ପଟ୍ଟନାୟକ ଇନ୍‌ଡୋର ଷ୍ଟାଡିୟମ, ନିର୍ମାଣାଧୀନ ବିର୍ସା ମୁଣ୍ଡା ଷ୍ଟାଡିୟମ, ସାଇନ୍ସ ପାର୍କ ଓ ପ୍ଲାନେଟାରିୟମ‌୍‍, ବିମାନ ବନ୍ଦର ନିର୍ମାଣ ଆଦି କାର୍ଯ୍ୟ ବୁଲି ଦେଖିଥିଲେ। ଏହାସହ ବସ୍ତି ବାସିନ୍ଦାଙ୍କ ଥଇଥାନ ପାଇଁ ନିର୍ମାଣ ଚାଲିଥିବା ପ୍ରକଳ୍ପ ସ୍ଥଳ ଅନୁଧ୍ୟାନ କରିଥିଲେ।

୫ଟି ସଚିବ ଶ୍ରୀ ପାଣ୍ଡିଆନ କହିଲେ, ସହରାଞ୍ଚଳର ଗରିବ ବସ୍ତି ବାସିନ୍ଦାଙ୍କୁ ବାସୋପଯୋଗୀ ଘର ଯୋଗାଇଦେବା ସରକାରଙ୍କ ଲକ୍ଷ୍ୟ। ତେଣୁ ରାଉରକେଲାରେ ଏଥିପାଇଁ ଅତି ସ୍ବଳ୍ପ ମୂଲ୍ୟରେ ଘର ଯୋଗାଇ ଦେବାକୁ ବିଭିନ୍ନ ପ୍ରକଳ୍ପ ହାତକୁ ନିଆଯାଇଛି। ଛେଣ୍ଡଠାରେ ପ୍ରାୟ ୫ ଏକର ଜମିରେ ଚାଲିଥିବା ଏହି ଆବାସ ନିର୍ମାଣ କାର୍ଯ୍ୟ ଚାଲିଛି। ରାଉରକେଲା ମହାନଗର ନିଗମ ଅଞ୍ଚଳରେ ୫ଟି ପ୍ରକଳ୍ପ କରାଯାଉଛି, ଯେଉଁଠି ବସ୍ତି ବାସିନ୍ଦାଙ୍କ ପାଇଁ ପ୍ରାୟ ୩ ହଜାର ଘର ନିର୍ମାଣ କରାଯିବ। ଯଥାଶୀଘ୍ର ହିତାଧିକାରୀମାନଙ୍କୁ ନିର୍ଦ୍ଧାରିତ ଘର ଚିହ୍ନଟ କରି ଜଣାଇ ଦେବାକୁ ୫ଟି ସଚିବ ଜିଲ୍ଲା ପ୍ରଶାସନକୁ ନିର୍ଦ୍ଦେଶ ଦେଇଥିଲେ। ଏହି ଗସ୍ତବେଳେ ସୁନ୍ଦରଗଡ଼ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ, ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ତଥା ମହାନଗର ନିଗମ କମିଶନର ଦିବ୍ୟଜ୍ୟୋତି ପରିଡ଼ା ପ୍ରମୁଖ ଉପସ୍ଥିତ ଥିଲେ।

ଅପରପକ୍ଷରେ ମୁଖ୍ୟ ଶାସନ ସଚିବ, ୫ଟି ସଚିବଙ୍କ ରାଉରକେଲା ଗସ୍ତକୁ ଜିଲ୍ଲା ବିଜେପି ବିରୋଧ କରିଛି। ସହରରେ ଜମି ଦୁର୍ନୀତିରେ ସରକାରୀ ଦଳ, ସ୍ଥାନୀୟ ପ୍ରଶାସନ ସାମିଲ ଥିବା ଅଭିଯୋଗକରି ଦଳ ପକ୍ଷରୁ ବୀର୍ସା ଛକରେ ବିକ୍ଷୋଭ ପ୍ରଦର୍ଶନ ହୋଇଥିଲା।

ସମ୍ବନ୍ଧିତ ଖବର