ରାଉରକେଲା ହେବ ଦେଶର କ୍ରୀଡା ହବ୍‌: ଉତ୍ତରାଞ୍ଚଳ ଆୟୁକ୍ତ

ସହରରେ ସାଧାରଣତନ୍ତ୍ର ଦିବସ ପାଳିତ

ରାଉରକେଲା : ସ୍ଥାନୀୟ ଉଦିତନଗରସ୍ଥ ପ୍ୟାରେଡ୍‌ ପଡ଼ିଆରେ ୭୪ତମ ସାଧାରଣତନ୍ତ୍ର ଦିବସ ବେଶ୍‌ ଧୂମଧାମ୍‌ର ସହ ପାଳିତ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ବ ଆୟୁକ୍ତ ଡ. ସୁରେଶ ଚନ୍ଦ୍ର ଦଳାଇ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ପତାକା ଉତ୍ତୋଳନ କରିବା ସହ ମିଳିତ ପ୍ୟାରେଡ‌୍‌ରେ ଅଭିବାଦନ ଗ୍ରହଣ କରିଥିଲେ। ଏହା ସହିତ ରାଉରକେଲା ଅତିରିକ୍ତ ଜିଲ୍ଲାପାଳ ଡ. ଶୁଭଙ୍କର ମହାପାତ୍ର, ଏସ‌୍‌ପି ମୁକେଶ କୁମାର ଭାମୁ, ଅତିରିକ୍ତ ଏସ‌୍‌ପି ବିକ୍ରମ କେଶରୀ ଭୋଇ, ତହସିଲଦାର ଚନ୍ଦ୍ରକାନ୍ତ ମଲ୍ଲିକ ଓ ବହୁ ସଂଖ୍ୟାରେ ଜନସାଧାରଣ ଉପସ୍ଥିତ ଥିଲେ।

ମୁଖ୍ୟ ଅତିଥି ଶ୍ରୀ ଦଳାଇ ଦେଶର ସମ୍ବିଧାନର ବିଭିନ୍ନ ବୈଶିଷ୍ଠ୍ୟ ଉପରେ ଗୁରୁତ୍ବାରୋପ କରିବା ସହ ରାଉରକେଲାର ବିକାଶ ସମ୍ପର୍କରେ ନିଜ ଉଦ‌୍‌ବୋଧନରେ କହିଥିଲେ। ରାଉରକେଲା କେବଳ ଇସ୍ପାତ ନଗରୀ ହୋଇ ରହିନାହିଁ, ଏହା ଆଗାମୀ ଦିନରେ ରାଜ୍ୟ ତଥା ଦେଶର କ୍ରୀଡ଼ା ହବ୍ ହେବାକୁ ଯାଉଛି। ବର୍ତ୍ତମାନ ରାଉରକେଲାରେ ଏୟାରପୋର୍ଟ ମଧ୍ୟ କାର୍ଯ୍ୟକ୍ଷମ ହୋଇସାରିଥିବା ବେଳେ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବିକାଶ ହୋଇଛି। ରାଉରକେଲାରେ ନବନିର୍ମିତ ବିର୍ସାମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ୍‌ ସହରକୁ ନୂଆ ପରିଚୟ ଦେଇଥିବା ଶ୍ରୀ ଦଳାଇ କହିଥିଲେ। ଏହା ସହିତ ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ, ବିଭିନ୍ନ କ୍ଷେତ୍ରରେ ଜାତୀୟସ୍ତରରେ କୃତିତ୍ବ ଅର୍ଜନ କରିଥିବା ଛାତ୍ରଛାତ୍ରୀ ଏବଂ ବ୍ୟକ୍ତିବିଶେଷ ତଥା ପ୍ୟାରେଡ୍‌ରେ ଶ୍ରେଷ୍ଠ ବିବେଚିତ ଦଳମାନଙ୍କୁ ପୁରସ୍କାର ପ୍ରଦାନ କରାଯାଇଥିଲା।

ଏତଦ୍‌ ବ୍ୟତୀତ ରାଉରକେଲା ମହାନଗର ନିଗମ ଓ ସ୍ମାର୍ଟସିଟି ରାଉରକେଲା ପକ୍ଷରୁ ଆୟୋଜିତ ଷ୍ଟ୍ରିଟ୍‌ଫୁଡ୍‌ ସୁପରଷ୍ଟାର ପ୍ରତିଯୋଗିତାର ଶ୍ରେଷ୍ଠ ରାସ୍ତା ପାର୍ଶ୍ବ ଖାଦ୍ୟ ଦୋକାନୀଙ୍କୁ ମଧ୍ୟ ମୁଖ୍ୟ ଅତିଥି ପୁରସ୍କୃତ କରିଥିଲେ। ତାସ୍‌କେଣ୍ଟଠାରେ ଅନୁଷ୍ଠିତ ଏସିଆନ୍‌ କରାଟେ ଜଜ୍‌ ପରୀକ୍ଷାରେ କୃତକାର୍ଯ୍ୟ ହୋଇଥିବା ରାଜୀବ କୁମାର ସିଂ, ଅଲ୍‌ ଇଣ୍ଡିଆ ସବ୍‌ ଜୁନିୟର କରାଟେ ଚାମ୍ପିଅନ‌ସିପ୍‌ରେ ରୌପ୍ୟ ପଦକ ପାଇଥିବା ଆର୍ଣ୍ଣତୀୟା ସ୍ୱାଇଁ ଓ ଆର୍ଯ୍ୟ ବଂଶିକା, ଅଲ୍‌ ଇଣ୍ଡିଆ ପୋଲିସ ଜୁଡୋ କ୍ଲଷ୍ଟରରେ ରୌପ୍ୟ ପଦକ ପାଇଥିବା ଅଭିଷେକ ପଟ୍ଟନାୟକ, ନଗର କ୍ରୀଡ଼ା ଉତ୍ସବରେ ଗୁରୁତ୍ବପୂର୍ଣ୍ଣ ଯୋଗଦାନ ଦେଇଥିବା ସ୍ବେଚ୍ଛାସେବୀ ଶୁଭେନ୍ଦୁ ପଣ୍ଡା, ସ୍ଥଳସେନା କ୍ୟାମ୍ପ୍‌ରେ ସ୍ବର୍ଣ୍ଣପଦକ ଜିତିଥିବା ସରକାରୀ ସ୍ବୟଂଶାସିତ ମହାବିଦ୍ୟାଳୟର ଦିନେଶ ନାୟକ, ସର୍ବଭାରତୀୟ ସୁଟିଂ ପ୍ରତିଯୋଗିତାରେ ତୃତୀୟ ସ୍ଥାନ ଅଧିକାର କରିଥିବା ଶୁଭସ୍ମିତା ଜେନା ଓ ସିନିୟର ନ୍ୟାସନାଲ ଉସୁ ଚାମ୍ପିଅନ୍‌ସିପ୍‌ରେ ବ୍ରୋଞ୍ଜ ମେଡାଲ ଜିତିଥିବା ତମନ୍ନା ମିଶ୍ରଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ପ୍ୟାରେଡ‌୍‌ରେ ଶ୍ରେଷ୍ଠ ବିବେଚିତ ସିନିୟର ଡିଭିଜନ୍‌ ଏନ୍‌ସିସିର ମ୍ୟୁନିସିପାଲ କଲେଜ, ଜୁନିୟର ଡିଭିଜନ୍‌ ଏନ‌୍‌ସିସିର ସରକାରୀ ଉଚ୍ଚବିଦ୍ୟାଳୟ, ଉଦିତନଗର, ସ୍କାଉଟ୍‌ରେ ସରସ୍ବତୀ ବିଦ୍ୟାମନ୍ଦିର (ବିର୍ସା ରୋଡ୍‌), ଗାଇଡ୍‌ ଓ ରେଡ୍‌କ୍ରସ୍‌ରେ ସରକାରୀ ଉଚ୍ଚବିଦ୍ୟାଳୟ, ଉଦିତନଗର, ସିଭିଲିଆନ୍‌ (ବାଳିକା)ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର ଶିବାଜୀ ମାର୍ଗ, ସିଭିଲିଆନ୍‌ (ବାଳକ)ରେ ସରସ୍ବତୀ ଶିଶୁ ବିଦ୍ୟାମନ୍ଦିର (ବିର୍ସା ରୋଡ୍‌), କବ୍‌ ବୁଲ୍‌ ବୁଲରେ ଗୁରୁ ନାନକ ପବ୍ଳିକ୍‌ ସ୍କୁଲ (ବାଳିକା) ପୁରସ୍କୃତ ହୋଇଥିଲେ। ତେବେ ଗୁରୁବାର ପୂର୍ବାହ୍ନରେ ରାମଧୂନ୍, ପ୍ରଭାତଫେରୀ, ସ୍ବତନ୍ତ୍ର କାରାଗାର ରାଉରକେଲାର ଅନ୍ତେବାସୀଙ୍କୁ ମିଷ୍ଟାନ ବଣ୍ଟନ, ଆର୍‌ଜିଏଚ୍‌ରେ ଚିକିତ୍ସାଧୀନ ରୋଗୀଙ୍କୁ ଫଳ ବଣ୍ଟନ ମଧ୍ୟ କରାଯାଇଥିଲା।

ସମ୍ବନ୍ଧିତ ଖବର