ସୀମା ବିବାଦ ନେଇ ଆନ୍ଧ୍ର ରାଜ୍ୟପାଳ ଓ ଚନ୍ଦ୍ରବାବୁଙ୍କୁ ଭେଟିଲେ ପଦଯାତ୍ରୀ ମୁକ୍ତିକାନ୍ତ

ଭୁବନେଶ୍ୱର/ରାଉରକେଲା: ଓଡ଼ିଶା-ଆନ୍ଧ୍ର ପ୍ରଦେଶ ସୀମା ବିବାଦ ତଥା କୋଟିଆ ପ୍ରସଙ୍ଗର ସମାଧାନ ଦାବିରେ ରାଉରକେଲାର ଯୁବକ ମୁକ୍ତିକାନ୍ତ ବିଶ୍ୱାଳ ମଙ୍ଗଳବାର ଅମରାବତୀରେ ଆନ୍ଧ୍ର ପ୍ରଦେଶ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିରୋଧିଦଳ ନେତା ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟି ଦାବିପତ୍ର ପ୍ରଦାନ କରିଛନ୍ତି ।

ଦୁଇ ରାଜ୍ୟ ମଧ୍ୟରେ ଲାଗି ରହିଥିବା ସୀମା ବିବାଦର ଯଥାଶୀଘ୍ର ସମାଧାନ କରିବା ନିମନ୍ତେ ପାଇଁ ଉଭୟ ରାଜ୍ୟର ମୁଖ୍ୟମନ୍ତ୍ରୀ ଏକତ୍ର ବସି ଆଲୋଚନା କରିବାକୁ ଦାବି ଜଣାଇ ମୁକ୍ତିକାନ୍ତ ବିଶ୍ୱାଳ ଗତ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ୱରରୁ ପଦଯାତ୍ରାରେ ଯାଇ ୭ ତାରିଖ ଦିନ ଅମରାବତୀରେ ପହଞ୍ଚିଥିଲେ । ସେଠାରେ ପହଞ୍ଚିବା ପରେ ଆନ୍ଧ୍ର ରାଜ୍ୟପାଳ, ମୁଖ୍ୟମନ୍ତ୍ରୀ ଏବଂ ବିରୋଧିଦଳ ନେତାଙ୍କୁ ସାକ୍ଷାତ୍ କରିବା ପାଇଁ ଅନୁମତି ଲୋଡ଼ିଥିଲେ ।

ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନ ଏବଂ ବିରୋଧିଦଳ ନେତା ଏନ୍. ଚନ୍ଦ୍ରବାବୁ ନାଇଡୁଙ୍କୁ ଭେଟିବା ଲାଗି ଅନୁମତି ମିଳିବା ପରେ ମଙ୍ଗଳବାର ସେ ଉଭୟଙ୍କୁ ସାକ୍ଷାତ୍ କରି ଦାବିପତ୍ର ପ୍ରଦାନ କରିଛନ୍ତି । ଏହାସହିତ ସେ ହିଁ ଭୁବନେଶ୍ୱରଠାରେ ଦୁଇ ରାଜ୍ୟର ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିବାରୁ ସୀମା ବିବାଦର ସମାଧାନ ପାଇଁ ଆଲୋଚନା ପ୍ରକ୍ରିୟା ଆଗେଇ ନେବାକୁ ରାଜ୍ୟପାଳ ଶ୍ରୀ ହରିଚନ୍ଦନ ଏବଂ ବିରୋଧିଦଳ ନେତା ଶ୍ରୀ ନାଇଡୁଙ୍କୁ ମୁକ୍ତିକାନ୍ତ ଅନୁରୋଧ କରିଛନ୍ତି । ତାଙ୍କ ଦାବିପତ୍ର ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ପଠାଯିବ ବୋଲି ରାଜ୍ୟପାଳ ପ୍ରତିଶ୍ରୁତି ଦେଇଛନ୍ତି । ସୂଚନାଯୋଗ୍ୟ, ମୁକ୍ତିକାନ୍ତ ବିଶ୍ବାଳ ଗତ ଗାନ୍ଧୀ ଜୟନ୍ତୀରୁ ଭୁବନେଶ୍ୱରରୁ ଆନ୍ଧ୍ର ପ୍ରଦେଶ ରାଜଧାନୀ ଅମରାବତୀକୁ ପଦଯାତ୍ରାରେ ବାହାରିଥିଲେ।

ସମ୍ବନ୍ଧିତ ଖବର