ରାଉରକେଲା : ରାଉରକେଲାର ଜଣେ ଯୁବକଙ୍କୁ ଗୁରୁବାର ରାଜସ୍ଥାନର ଅଜମେରରେ ହତ୍ୟା କରାଯାଇଛି। ମୃତକ ଜଣକ ହେଲେ ବନ୍ଧମୁଣ୍ଡା ‘ବି’ ସେକ୍ଟରର ହରିଶ କୁମାର ତନ୍ତୀ (୨୦)। ଅଜମେର ପୁଲିସ ଶବ ଜବତ କରି ଘଟଣାର ତଦନ୍ତ ଚଳାଇଛି। ମୁଣ୍ଡ, ନାକ ଓ ମୁହଁରେ ଗଭୀର କ୍ଷତ ଚିହ୍ନ ଥିବାରୁ ତାଙ୍କୁ ପିଟି ପିଟି ହତ୍ୟା କରାଯାଇଥିବା ପରିବାର ଲୋକ ଅଭିଯୋଗ ଆଣିଛନ୍ତି। ଶବ ଆଣିବାକୁ ମୃତଙ୍କ ପିତା ତାବୁଲ ତନ୍ତୀ ନିଜ ସଂପର୍କୀୟଙ୍କ ସହ ଶୁକ୍ରବାର ରାଉରକେଲାରୁ ରାଜସ୍ଥାନ ଯାଇଛନ୍ତି।
ମିଳିଥିବା ସୂଚନା ମୁତାବକ ବନ୍ଧମୁଣ୍ଡା ‘ବି’ ସେକ୍ଟର, ୨୩୯ ନମ୍ବର ରେଳବାଇ କ୍ବାର୍ଟର୍ସରେ ତାବୁଲ ତନ୍ତୀ ପରିବାର ସହ ରହନ୍ତି। ତାବୁଲ ବନ୍ଧମୁଣ୍ଡା ରେଳବାଇରେ ଚାକିରି କରନ୍ତି। ତାଙ୍କ ବଡ଼ ପୁଅ ହରିଶ ଗତ ଦୁଇ ବର୍ଷ ଧରି ଗୁଜୁରାଟର ଏକ ଘରୋଇ କମ୍ପାନିରେ ଟାୱାର ବସାଇବା କାମରେ ନିୟୋଜିତ ଥିଲେ। ଗୁରୁବାର ରାଜସ୍ଥାନ ଅଜମେରକୁ ଏକ ଟାୱାର ବସାଇବାକୁ ଟ୍ରେନ୍ରେ ବାହାରିଥିଲେ। ଅପରାହ୍ଣରେ ଅଜମେରରେ ପହଞ୍ଚିଥିଲେ। ପିତା ତାବୁଲଙ୍କ କହିବାନୁଯାୟୀ ଟ୍ରେନ୍ରେ ଯାତ୍ରା କରୁଥିବାବେଳେ ଅଜମେର ପହଞ୍ଚିବା ପୂର୍ବରୁ ଚୋରି ଅଭିଯୋଗରେ ତାଙ୍କ ପୁଅକୁ ରେଳବାଇ ପୁଲିସ ଓ ଅନ୍ୟ କିଛି ଯୁବକ ନିର୍ଧୁମ ମାଡ଼ ମାରିଥିଲେ। ପରେ ରେଳବାଇ ପୁଲିସ ହରିଶକୁ ଗିରଫ କରିଥିଲା। କୋର୍ଟରୁ ମୁକୁଳାଇବା ପାଇଁ ଜଣେ ଆଇନଜୀବୀ ତାଙ୍କୁ କଲ୍ କରି ୫ ହଜାର ଟଙ୍କା ପଠାଇବାକୁ କହିଥିଲେ। ଆଇନଜୀବୀଙ୍କ କହିବାନୁଯାୟୀ ସେ ୫ ହଜାର ଟଙ୍କା ମଧ୍ୟ ପଠାଇଥିଲେ। ସଂଧ୍ୟା ପ୍ରାୟ ୫ଟାରେ ହରିଶକୁ କୋର୍ଟରୁ ଜାମିନ ମିଳିଯାଇଥିଲା।
କୋର୍ଟରୁ ଜାମିନରେ ମୁକୁଳିବା ପରେ ଆଇନଜୀବୀ ଜଣକ ହରିଶକୁ ଘରକୁ ପଠାଇବାର ବ୍ୟବସ୍ଥା କରୁଛନ୍ତି ବୋଲି କହିଥିଲେ। ହେଲେ ଦୁଇଘଣ୍ଟା ପରେ ଅଜମେର ହସ୍ପିଟାଲରୁ ହରିଶର ମୃତ ଖବର ପରିବାର ଲୋକ ଜାଣିବାକୁ ପାଇଥିଲେ। ପୁଅର ମୃତ୍ୟୁ କାରଣ ଜାଣିବାକୁ ସେ ହସ୍ପିଟାଲର କର୍ମଚାରୀ ଓ କୋର୍ଟରୁ ମୁକୁଳାଇବାରେ ସହାୟତା କରିଥିବା ଆଇନଜୀବୀଙ୍କୁ ଫୋନ୍ରେ ପଚାରିଥିଲେ। କିନ୍ତୁ କେହି ହେଲେ ସନ୍ତୋଷଜନକ ଉତ୍ତର ଦେଇ ନଥିଲେ। ରାତି ପ୍ରାୟ ୯ଟା ଅଜମେର ପୁଲିସ ଶବ ନେବାକୁ କହିବା ପରେ ପୁଅର ମୃତ୍ୟୁ ସମ୍ପର୍କରେ ସ୍ପଷ୍ଟ ହୋଇଥିଲେ।