ବଦଳୁଛି ରାଉରକେଲା ରାଜନୀତି ସମୀକରଣ, ପ୍ରତିପକ୍ଷଙ୍କ ଐକ୍ୟବଦ୍ଧ ଲଢ଼େଇକୁ ସଫଳତା

ଶାସକ ଦଳ ପ୍ରତି ବିରାଟ ଆହ୍ବାନ

ରାଉରକେଲା: ରାଉରକେଲା ରାଜନୀତିରେ ସମୀକରଣ ବଦଳିବାରେ ଲାଗିଛି। ଶାସକ ଦଳକୁ ପରାସ୍ତ କରିବାକୁ ପ୍ରତିପକ୍ଷ ଏକଜୁଟ୍‌ ହେବାରେ ଲାଗିଛନ୍ତି। କ୍ରମଶଃ ରୋଚକ ହେଉଥିବା ରାଉରକେଲା ରାଜନୀତିରେ ଏବେ ନୂଆ ଦୃଶ୍ୟ ପରିଲକ୍ଷିତ ହୋଇଛି। କ୍ଷମତାଧାରୀଙ୍କୁ ପରାସ୍ତ କରିବାକୁ ନୂଆ ମେଣ୍ଟ ରାଜନୀତିର ଅୟମାରମ୍ଭ ହୋଇଛି। ଆଉ ଏହି ମେଣ୍ଟ ରାଜନୀତି ହିଁ ସେମାନଙ୍କୁ ସଫଳତା ଆଣିଦେଇଛି। ନିକଟ ଅତୀତରେ ଅନୁଷ୍ଠିତ ବଣିକ ସଂଘ ନିର୍ବାଚନ ଓ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ ନିର୍ବାଚନରେ ବିପକ୍ଷ ଗୋଷ୍ଠୀର ସଫଳତା ଚର୍ଚ୍ଚାକୁ ନୂଆ ଖୋରାକ ଯୋଗାଇଛି। ଆଗାମୀ ଦିନରେ ହେବାକୁ ଥିବା ସମ୍ଭାବ୍ୟ ରାଉରକେଲା ମହାନଗର ନିଗମ ନିର୍ବାଚନକୁ ଦୃଷ୍ଟିରେ ରଖି, ଏହି ମେଣ୍ଟ ଅଗ୍ରସର ହେଉଥିବା କୁହାଯାଉଛି।

ରବିବାର ଦିନ ଅନୁଷ୍ଠିତ ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ ନିର୍ବାଚନରେ ବିପକ୍ଷ ସମୂହଙ୍କ ଐତିହାସିକ ତଥା ଏକପାଖିଆ ବିଜୟ ଏହାର ବଢ଼ୁଥିବା ଶକ୍ତିକୁ ପ୍ରମାଣିତ କରିଛି। ଅର୍ବାନ କୋ-ଅପରେଟିଭ୍‌ ବ୍ୟାଙ୍କ୍‌ର ମୋଟ୍‌ ୧୫ଟି ୱାର୍ଡ‌୍‌ରୁ ୧୩ଟି ୱାର୍ଡ‌୍‌କୁ କବ୍‌ଜା କରିନେଇଛନ୍ତି ବିପକ୍ଷ। ଏହି ନିର୍ବାଚନରେ ସମସ୍ତ ୧୫ଟି ୱାର୍ଡରେ ବିଜେଡି ସମର୍ଥିତ ପ୍ରାର୍ଥୀ ଛିଡ଼ା ହୋଇଥିଲେ। ଏମିତିକି ବିଜେଡିର କର୍ମୀ ଓ ସେମାନଙ୍କର ପରିବାର ସଦସ୍ୟ ବି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ଏମାନଙ୍କ ବିପକ୍ଷରେ ଅସନ୍ତୁଷ୍ଟ ବିଜେଡି ଓ ଅନ୍ୟାନ୍ୟ ଦଳ ସମର୍ଥିତ ପ୍ରାର୍ଥୀ ଐକ୍ୟବଦ୍ଧ ହୋଇ ନିର୍ବାଚନ ଲଢ଼ିଥିଲେ; ଯାହାକି ରାଉରକେଲା ରାଜନୀତି ଇତିହାସରେ ପ୍ରଥମ ଘଟଣା ଥିଲା।

ଶାସକ ଦଳର ସ୍ଥାନୀୟ ନେତୃତ୍ବ ପ୍ରତି ଅବିଶ୍ବାସ ହେଉ ଅବା ପକ୍ଷପାତିତାର ଶିକାର, ଅସନ୍ତୁଷ୍ଟ ଏକାଠି ହେବା ଏଭଳି ସଫଳତା ଦୋହରାଇବାରେ ବିଶେଷ ସହାୟକ ହୋଇଥିଲା। ତେବେ ଏହି ଫଳାଫଳର ଏକ ପ୍ରମୁଖ କାରଣ ଥିଲା, ବିପକ୍ଷ ଗୋଷ୍ଠୀଙ୍କୁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲୀପ ରାୟଙ୍କ ଖୋଲା ସମର୍ଥନ। ମତଦାନ ଅବ୍ୟବହତି ପୂର୍ବରୁ ଶ୍ରୀ ରାୟ ଭୁବନେଶ୍ବରରୁ ରାଉରକେଲା ଆସି ବିପକ୍ଷ ପ୍ୟାନେଲ ସଦସ୍ୟଙ୍କ ସହ ନିଜ ବାସଭବନରେ ସାକ୍ଷାତ ଆଲୋଚନା କରିଥିଲେ। ଏମିତିକି ଭଏସ୍‌ ମ୍ୟାସେଜ୍‌ ମାଧ୍ୟମରେ ବିଜୟୀ କରିବାକୁ ଆହ୍ବାନ କରିଥିଲେ; ଯାହାକି ଭୋଟର୍‌ଙ୍କୁ ବହୁମାତ୍ରାରେ ଆକୃଷ୍ଟ କରିଥିଲା। କୋ-ଅପରେଟିଭ୍‌ ନିର୍ବାଚନ ପୂର୍ବରୁ ଅନୁଷ୍ଠିତ ରାଉରକେଲା ବଣିକ ସଂଘ ନିର୍ବାଚନରେ ଶାସକ ବିରୋଧୀଙ୍କ ଜିତାପଟ୍‌ ହୋଇଥିଲା। ଉକ୍ତ ନିର୍ବାଚନରେ ଶ୍ରୀ ରାୟଙ୍କ ସମର୍ଥିତ ସଭାପତି ପ୍ରାର୍ଥୀ ସୁବ୍ରତ ପଟ୍ଟନାୟକ ଅନାୟାସରେ ଶାସକ ଦଳର ଏକାନ୍ତ ଅନୁଗତ କୁହାଯାଉଥିବା ପ୍ରବୀଣ ଗର୍ଗଙ୍କୁ ପରାସ୍ତ କରିଥିଲେ।

ଉଭୟ ନିର୍ବାଚନରେ ଶାସକ ଦଳ ନିଜ ବ୍ୟାନର୍‌ରେ ଲଢ଼େଇ କରିନି ସତ, କିନ୍ତୁ ନିଜ ସମର୍ଥିତ ପ୍ରାର୍ଥୀଙ୍କୁ ବିଜୟୀ କରିବାକୁ ପ୍ରବଳ ଉଦ୍ୟମ କରିଥିବା ଦେଖିବାକୁ ମିଳିଥିଲା। କ୍ରମାଗତ ଦୁଇ ଦୁଇ ଥର ଶାସକ ବିରୋଧୀ ଫଳାଫଳ ଏକ ନୂଆ ଚର୍ଚ୍ଚା ସୃଷ୍ଟି କରିଛି। ଉଲ୍ଲେଖଯୋଗ୍ୟ, ସଂପ୍ରତି ଉଚ୍ଚ ନ୍ୟାୟାଳୟରେ ରାଉରକେଲା ମହାନଗର ନିଗମ(ଆର୍‌ଏମ୍‌ସି) ନିର୍ବାଚନ ପ୍ରସଙ୍ଗ ଲାଖି ରହିଛି। ମାମଲାର ଫଇସଲା ହେଲାପରେ ଆର୍‌ଏମ୍‌ସି ନିର୍ବାଚନ ବାଟ ଫିଟିବବୋଲି ଆକଳନକର କରାଯାଉଛି। ଏଣୁ ସମ୍ଭାବ୍ୟ ଆର୍‌ଏମ୍‌ସି ନିର୍ବାଚନରେ ବିପକ୍ଷଙ୍କ ଐକ୍ୟବଦ୍ଧ ଲଢ଼େଇର ମୂଳଦୁଆ ପଡ଼ିସାରିଥିବା ଚର୍ଚ୍ଚା ହେଉଛି। ଅପରପକ୍ଷରେ ଏକପାଖିଆ ଫଳାଫଳ ଶାସକ ଦଳକୁ ମାନସମନ୍ଥନ ପାଇଁ ବାଧ୍ୟ କରିଛି।

ସମ୍ବନ୍ଧିତ ଖବର