ଜାତୀୟସ୍ତରରେ ପୁଣି ଗୌରବ ଆଣିଲେ ଓଡ଼ିଶାର ଦୁଇ ଯୁବକ: ରାଉରକେଲା ପୁଅଙ୍କୁ ପଦ୍ମଶ୍ରୀ, ବାୟୁସେନା ମେଡାଲ

ରୋବୋଟିକ୍‌ ସର୍ଜରୀ ବିଶେଷଜ୍ଞ ପ୍ରଖର ଦାସଗୁପ୍ତାଙ୍କୁ ପଦ୍ମଶ୍ରୀ, ୱିଙ୍ଗ୍‌ କମାଣ୍ଡର୍‌ ଚିନ୍ମୟ ସାହୁ ପାଇବେ ‘ବାୟୁସେନା ମେଡାଲ’

ରାଉରକେଲା : ଜାତୀୟସ୍ତରରେ ପୁଣି ଗୌରବ ଆଣିଛନ୍ତି ରାଉରକେଲା ପାଣିପବନରେ ବଢ଼ିଥିବା ଦୁଇ ଯୁବକ। ବର୍ତ୍ତମାନ ଲଣ୍ଡନରେ ଅବସ୍ଥାପିତ ରୋବୋଟିକ୍‌ ସର୍ଜରୀ ବିଶେଷଜ୍ଞ ଡା. ପ୍ରଖର ଦାସଗୁପ୍ତା ସ୍ବାସ୍ଥ୍ୟସେବା କ୍ଷେତ୍ରରେ ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ଏଥର ମର୍ଯ୍ୟାଦାଜନକ ‘ପଦ୍ମଶ୍ରୀ’ ପୁରସ୍କାର ପାଇବାକୁ ମନୋନୀତ ହୋଇଛନ୍ତି। ସେହିଭଳି ଅଦମ୍ୟ ସାହସ ଦେଖାଇ ଛତିଶଗଡ଼ରେ ନକ୍ସଲଙ୍କ ଆକ୍ରମଣରେ ସହିଦ ସିଆର୍‌ପିଏଫ୍‌ ଯବାନଙ୍କୁ ଉଦ୍ଧାର କାର୍ଯ୍ୟରେ ବ୍ରତୀ ରହିଥିବା ଭାରତୀୟ ବାୟୁସେନାର ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ରଙ୍କୁ ଏଥର ବାୟୁସେନା ପଦକ ଦିଆଯିବ। ରାଉରକେଲାରେ ହିଁ ଉଭୟଙ୍କର ମୂଳଦୂଆ ପଡ଼ିଥିଲା। ରାଉରକେଲା ମାଟିରେ ହିଁ ସେମାନେ ଆଦ୍ୟ ଶିକ୍ଷା ଆରମ୍ଭ ହୋଇଥିଲା। ଏଠାରେ ହିଁ ଉଭୟେ ନିଜର ଭବିଷ୍ୟତ ଲକ୍ଷ୍ୟ ଦେଖିବା ଆରମ୍ଭ କରିଥିଲେ ଓ ଶେଷରେ ନିଷ୍ଠାପର ପରିଶ୍ରମ ବଳରେ ଏହାକୁ ହାସଲ କରିପାରିଛନ୍ତି। ଉଭୟଙ୍କ ସଫଳତାକୁ ନେଇ ଏବେ ଜିଲ୍ଲାରେ ଖୁସିର ଲହରୀ ଦେଖିବାକୁ ମିଳିଛି।

ପ୍ରଖରଙ୍କ ବାପା ଆର୍‌ଏସ୍‌ପିରେ କାର୍ଯ୍ୟରତ ଥିବାବେଳେ ମା’ ମଧ୍ୟ ଆର୍‌ଏସ୍‌ପି ପରିଚାଳିତ ଏକ ସ୍କୁଲରେ ଅଧ୍ୟାପନା କରୁଥିଲେ। ସେମାନଙ୍କ ପରିବାର ଦୀର୍ଘ ବର୍ଷଧରି ସେକ୍ଟର-୬, ଏଫ-ବ୍ଲକରେ ରହୁଥିଲେ। ପ୍ରଖରଙ୍କ ସ୍କୁଲ ଜୀବନ ରାଉରକେଲାରେ ହିଁ କଟିଛି। ସେ ସ୍ଥାନୀୟ ସେଣ୍ଟ୍‌ ପଲ୍‌ ସ୍କୁଲରୁ ପ୍ରଥମରୁ ମାଟ୍ରିକ୍‌ଯାଏଁ ପାଠ ପଢ଼ିଥିଲେ। ଏଠାରେ ଅଧ୍ୟୟନ ସମୟରୁ ସେ ଡାକ୍ତରୀ ସେବା ଓ ଏ ଦିଗରେ ଉଚ୍ଚତର ଗବେଷଣା କରିବାକୁ ଇଚ୍ଛା ପ୍ରକାଶ କରୁଥିବା ତାଙ୍କର ସହପାଠୀଙ୍କ ସୂଚନାରୁ ପ୍ରକାଶ। ପ୍ରଖର ଶେଷଥର ପାଇଁ ୨୦୦୭ ମସିହାରେ ସେଣ୍ଟ୍‌ ପଲ୍‌ ସ୍କୁଲର ପୁରାତନ ଛାତ୍ର ସଂସଦର ବନ୍ଧୁମିଳନ ଉତ୍ସବରେ ରାଉରକେଲାକୁ ଆସିଥିଲେ।

ସେହିଭଳି ରାଉରକେଲା ଜନ୍ମିତ ତଥା ଭାରତୀୟ ବାୟୁ ସେନାର ୱିଙ୍ଗ୍‌ କମାଣ୍ଡର ଚିନ୍ମୟ ପାତ୍ର ‘ବାୟୁସେନା ପୁରସ୍କାର’ ପାଇବାକୁ ମନୋନୀତ ହୋଇଛନ୍ତି। ସେ ଆସନ୍ତା ଅକ୍ଟୋବର ୮ ତାରିଖ ବାୟୁସେନା ଦିବସ ପ୍ୟାରେଡ୍‌ରେ ଚିଫ୍‌ ଅଫ୍‌ ଏୟାର ଷ୍ଟାଫ୍‌ଙ୍କଠାରୁ ଏହି ପଦକ ଗ୍ରହଣ କରିବେ। ଚିନ୍ମୟ ସଂପ୍ରତି ଭାରତୀୟ ବାୟୁସେନାର ଏମ୍‌ଆଇ-୧୭-ଭି୫ ହେଲିକପ୍ଟର୍‌ ୟୁନିଟ୍‌ରେ ୱିଙ୍ଗ୍‌ କମାଣ୍ଡର୍‌ଭାବେ ଅବସ୍ଥାପିତ। ଚିନ୍ମୟଙ୍କ ବାପା ସ୍ବର୍ଗତ ନରେଶ ପାତ୍ର ଜଣେ ବ୍ୟବସାୟୀ ଥିବାବେବେଳ ମା’ ସବିତା ପାତ୍ର ଗୃହିଣୀ। ଚିନ୍ମୟ ହେଉଛନ୍ତି ଏକମାତ୍ର ପୁଅ। ସମସ୍ତ ପରିବାର ଛେଣ୍ଡ୍‌ ମଧୁସୂଦନ ନଗରରେ ବାସ କରୁଥିଲେ। ସ୍ଥାନୀୟ ଚିନ୍ମୟ ଇଂରାଜୀ ମାଧ୍ୟମ ବିଦ୍ୟାଳୟରୁ ମାଟ୍ରିକ୍‌ ଓ ସେଣ୍ଟ୍‌ପଲ ସ୍କୁଲରୁ ଯୁକ୍ତ ଦୁଇ ପାସ କରିବାପରେ ୨୦୦୩ ମସିହାରେ ନ୍ୟାସନାଲ ଡିଫେନ୍ସ ଏକାଡେମୀ(ଏନ୍‌ଡିଏ)ରେ ଯୋଗଦେଇଥିଲେ।

 

ଏହି ପୁରସ୍କାର ପରେ ‘ସମ୍ବାଦ’କୁ ପ୍ରତିକ୍ରିୟାରଖି କହିଛନ୍ତି, ନିଶ୍ଚିତଭାବେ ପଦକ ମିଳିବା ଖୁସିର ମୂହୁର୍ତ୍ତ। ତେବେ ଏହି ପଦକ ଦେଶମାତୃକାର ସେବା କରିବାରେ ଆହୁରି ପ୍ରେରଣା ଦେବ। ବାପା-ମାଙ୍କ ଏକମାତ୍ର ପୁଅ ହେବାସତ୍ତ୍ବେ ବାୟୁସେନାରେ ଯୋଗଦେବା ପଛର କାରଣ ବିଷୟରେ କହିଲେ, ପିଲାଟି ଦିନରେ ଦେଶ ସେବା କରିବାର ସଦିଚ୍ଛା ରହିଥିଲା। ଯୁକ୍ତ ଦୁଇ ପଢ଼ୁଥିବାବେଳେ ହିଁ ଏନ୍‌ଡିଏ ବିଷୟରେ ଅବଗତ ହେଲି ଓ ଏ କ୍ଷେତ୍ରରେ ଆସିବାକୁ ମନସ୍ଥ କଲି। ପିତା-ମାତା ମଧ୍ୟ ସବୁବେଳେ ପ୍ରୋତ୍ସାହିତ କରୁଥିଲେ। କାରଣ, ସେମାନେ ଜାଣିଥିଲେ ଦେଶସେବା କରିବାର ମହତ୍ତ୍ବ ଓ ଗୁରୁତ୍ବ କେତେ ମହାନ।

ସମ୍ବନ୍ଧିତ ଖବର