ରାଉରକେଲା: ଦଶନ୍ଧିର ସବୁଠୁ ବଡ଼ ଧର୍ମଘଟ, ସବୁ ଠପ୍‌

ରାଉରକେଲା: ଇସ୍ପାତ କର୍ମଚାରୀଙ୍କ ପ୍ରତି ସେଲ୍‌ କର୍ତୃପକ୍ଷଙ୍କ ଅଣଦେଖା ଅଭିଯୋଗରେ ମିଳିତ ଶ୍ରମିକ ସଂଗଠନ ଆହୂତ ୨୪ ଘଣ୍ଟିଆ ଧର୍ମଘଟକୁ ଆଜି ଐତିହାସିକ ସଫଳତା ମିଳିଛି। ସେଲ୍‌ର ସମସ୍ତ ୟୁନିଟ୍‌ ସମେତ ରାଉରକେଲା ଇସ୍ପାତ କାରଖାନାରେ ମଧ୍ୟ ଧର୍ମଘଟକୁ ଅଭୂତପୂର୍ବ ସଫଳତା ମିଳିଥିଲା। ମାତ୍ର ୧୫/୨୦ ପ୍ରତିଶତ କର୍ମଚାରୀ ହିଁ ଡ୍ୟୁଟିରେ ଯୋଗଦେଇଥିଲେ। କେବଳ ଅଫିସର ଓ ଠିକା ଶ୍ରମିକମାନେ ହିଁ ଡ୍ୟୁଟିକରିଥିବାରୁ ସବୁ ବିଭାଗରେ ଉତ୍ପାଦନ ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ଦିଗକୁ ଅବଲୋକନକଲେ ଆଜିର ଧର୍ମଘଟ ଯେ, ଗତ ଦଶନ୍ଧିର ସର୍ବାଧିକ ପ୍ରଭାବିତବୋଲି କୁହାଯାଉଛି।

କାର୍ଯ୍ୟରେ ଯୋଗଦେଲେ ମାତ୍ର ୧୫% କର୍ମଚାରୀ
ସଂପ୍ରତି ଆର୍‌ଏସ୍‌ପିରେ ପ୍ରାୟ ୨୦/୨୨ ହଜାର ଅଧିକାରୀ, କର୍ମଚାରୀ, ଠିକା ଶ୍ରମିକ କାର୍ଯ୍ୟରତ। ଏଥିମଧ୍ୟରୁ ୧୫୪୫ ଜଣ ଅଧିକାରୀ ଥିବାବେଳେ ୧୧ ହଜାର ୨୫୨ କର୍ମଚାରୀ ଅଛନ୍ତି। ଏହାସହ ପ୍ରାୟ ୭/୮ ହଜାର ଠିକା ଶ୍ରମିକ କାର୍ଯ୍ୟରତ। ପ୍ରତ୍ୟେକ ଏ, ବି’ ଓ ସି’ ସିଫ୍ଟ୍‌ରେ ପାଖାପାଖି ସାଢ଼େ ୩ ହଜାର କର୍ମଚାରୀ କାର୍ଯ୍ୟ କରିଥାନ୍ତି। ତେବେ ଆଜି ତିନୋଟିଯାକ ସିଫ୍ଟରେ ହାତଗଣତି କର୍ମଚାରୀ, ଠିକା ଶ୍ରମିକ ଯୋଗଦେଇଥିଲେ। ଏ’ ସିଫ୍ଟରେ ମାତ୍ର ୧୫/୨୦ ପ୍ରତିଶତ ଯୋଗଦେଇଥିବାବେଳେ ବି’ ସିଫ୍ଟରେ କିନ୍ତୁ ଏହା ଆହୁରି ଖସିଥିଲା। ବି’ ସିଫ୍ଟରେ ମାତ୍ର ୬/୭ ପ୍ରତିଶତ କୁଆଡ଼େ ଯୋଗଦେଇଥିଲେ। ସେହିଭଳି ସି’ ସିଫ୍ଟରେ ମଧ୍ୟ କର୍ମଚାରୀଙ୍କ ଉପସ୍ଥିତି ଆଖିଦୃଶିଆ ନଥିଲା।

ଅଫିସର, ଠିକାଶ୍ରମିକ କାମ ଚଲାଇଲେ
ପୂର୍ବରୁ କାରଖାନା ଭିତରେ ଇସ୍ପାତ କର୍ମଚାରୀ ଗହଳି ଲାଗି ରହୁଥିଲା। ଆଜି କିନ୍ତୁ ଏକ ଭିନ୍ନ ଦୃଶ୍ୟ ଦେଖିବାକୁ ମିଳିଥିଲା। ଆଜି ଇସ୍ପାତ କର୍ମଚାରୀ ଦିନସାରା ରାଜରାସ୍ତାରେ ଛିଡ଼ା ହୋଇଥିଲେ। ଅପରପକ୍ଷରେ କାରଖାନା ଭିତରେ କେବଳ ଅଫିସର ଓ ଠିକା ଶ୍ରମିକଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଅଧିକାରୀ-ଠିକା ଶ୍ରମିକ ହିଁ ଉତ୍ପାଦନର ମଙ୍ଗ ସମ୍ଭାଳିଥିଲେ। କିନ୍ତୁ ତାହା ବି ଫସର ଫାଟିଯାଇଛି। କୁଶଳୀ କର୍ମଚାରୀଙ୍କ କାର୍ଯ୍ୟକୁ ଅଣକୁଶଳୀ ଠିକା ଶ୍ରମିକ ଠିକ୍‌ଭାବେ ସଂପାଦନ କରିବା ନେଇ ପ୍ରଶ୍ନବାଚୀ ସୃଷ୍ଟି ହେବା ସ୍ବାଭାବିକ୍‌। ସେମାନେ କେବଳ କାମଚଳା ନୀତି ଅବଲମ୍ବନ କରିଥିଲେ। ତେବେ ଇସ୍ପାତ କର୍ମଚାରୀଙ୍କ ଅନୁପସ୍ଥିତି ଯୋଗୁଁ କାରଖାନା ପରିସରରେ ନିରବତା ଛାଇଯାଇଥିଲା।

ପ୍ରଥମେ ବନ୍ଦ ହେଲା, ପରେ ଚାଲିଲା
ଆଜିର ଆନ୍ଦୋଳନ ଯେ ବେଶ୍‌ ପ୍ରଭାବି ଥିଲା, ଏହା ନିଃସନ୍ଦେହ। ଆଜି ସକାଳ ୬ଟାରୁ ଆନ୍ଦୋଳନ ଆରମ୍ଭ ହୋଇଯାଇଥିବାବେଳେ କମର୍ଚାରୀଙ୍କୁ ଭିତରକୁ ଛାଡ଼ିନଥିଲେ ଆନ୍ଦୋଳନକାରୀ। ଯଦ୍ବାରା ଆର୍‌ଏସ୍‌ପି ଇତିହାସରେ ପ୍ରଥମଥର ପାଇଁ ପୂର୍ବାହ୍ନରେ ହଟ୍‌ ଷ୍ଟ୍ରିପ୍‌ ମିଲ୍‌ ବନ୍ଦ ରହିଥିଲା। ତେବେ ଅପରାହ୍ନ ୨ଟା ପରେ ହଟ୍‌ ଷ୍ଟ୍ରିପ୍‌ ମିଲ୍‌ ପୁଣି କାର୍ଯ୍ୟାରମ୍ଭ କରିଥିଲା। ଏହାସହ ଆଜି ବ୍ଲାଷ୍ଟ୍‌ଫର୍ଣ୍ଣେସ୍‌ ୧, ୩ ଓ ୪ ବନ୍ଦ ରହିଥିବା ସୂଚନା ମିଳିଛି। କେବଳ ବ୍ଲାଷ୍ଟଫର୍ଣ୍ଣେସ୍‌-୨ ଓ ୫ ପୂର୍ବବତ ଚାଲୁରହିଥିଲା। ତେବେ ବ୍ଲାଷ୍ଟ୍‌ଫର୍ଣ୍ଣେସ୍‌, ହଟ୍‌ ଷ୍ଟ୍ରିପ୍‌ ମିଲ୍‌ ବନ୍ଦ ଥିବା ନେଇ ଆର୍‌ଏସ୍‌ପି ପକ୍ଷରୁ କୌଣସି ବିଧିବଦ୍ଧ ସୂଚନା ଦିଆଯାଇନି। ପ୍ରକୃତରେ ଏସବୁ ବନ୍ଦ ରହିଥିଲା ନା କାର୍ଯ୍ୟକ୍ଷମ ଥିଲା, ସେନେଇ ଆନୁଷ୍ଠାନିକଭାବେ କୌଣସି ସୂଚନା ମିଳିପାରିନାହିଁ।

ସହରସେବା କାର୍ଯ୍ୟାଳୟ ବି ବନ୍ଦ
ଆଜିର ଧର୍ମଘଟର ପ୍ରଭାବ ଆର୍‌ଏସ୍‌ପି ସହରସେବା ବିଭାଗ ଉପରେ ବି ପଡ଼ିଥିଲା। ସବୁଦିନ ଖୋଲା ରହୁଥିବା ସହରସେବା କାର୍ଯ୍ୟାଳୟ ଆଜି କିନ୍ତୁ ବନ୍ଦ ରହିଥିଲା। ଦିନସାରା କାର୍ଯ୍ୟାଳୟ ବନ୍ଦ ଥିବାବେଳେ ଜଣେ ବି କର୍ମଚାରୀଙ୍କ ଉପସ୍ଥିତି ଦେଖିବାକୁ ମିଳିଥିଲା। ଗେଟ୍‌ ସମ୍ମୁଖରେ କେବଳ ୩ ଜଣ ସୁରକ୍ଷା କର୍ମୀ ଥିଲେ। ଇସ୍ପାତ ସହରାଞ୍ଚଳବାସୀଙ୍କୁ ବିଭିନ୍ନ ମୌଳିକ ସେବା ବହୁମାତ୍ରାରେ ବାଧାପ୍ରାପ୍ତ ହୋଇଥିଲା। ବିଭିନ୍ନ ସମସ୍ୟାର ସମାଧାନ ପାଇଁ ସହରସେବା କାର୍ଯ୍ୟାଳୟକୁ ଆସିଥିବା ବ୍ୟକ୍ତି ନିରାଶ ହୋଇ ଫେରୁଥିବା ଦେଖିବାକୁ ମିଳିଥିଲା।

ପ୍ରଥମଥର ପାଇଁ ଯୋଗଦେଲେ ସବୁ ଶ୍ରମିକ ସଙ୍ଗଠନ
ଆଜିର ଧର୍ମଘଟ ଏକାଧିକ କାରଣରୁ ଅବିସ୍ମରଣୀୟ ହୋଇ ରହିବ। ଇତିହାସରେ ପ୍ରଥମଥର ପାଇଁ ସମସ୍ତ ଶ୍ରମିକ ସଙ୍ଗଠନ ଐକ୍ୟବଦ୍ଧ ହୋଇ ଆନ୍ଦୋଳନରେ ସାମିଲ ହୋଇଥିଲେ। ଭାରତୀୟ ମଜଦୁର ସଂଘ(ବିଏମ୍‌ଏସ୍‌) ସହବନ୍ଧିତ ତଥା ସ୍ବୀକୃତିପ୍ରାପ୍ତ ଶ୍ରମିକ ସଂଗଠନ ରାଉରକେଲା ଇସ୍ପାତ କାରଖାନା କର୍ମଚାରୀ ସଂଘ(ଆର୍‌ଆଇକେକେଏସ୍‌) ମଧ୍ୟ ଆଜି ରାସ୍ତାକୁ ଓହ୍ଲାଇଥିଲା। ଦେଶର ଅନ୍ୟ ସେଲ୍‌ ୟୁନିଟ୍‌ରେ ଆଇଏନ୍‌ଟିୟୁସି ସହବନ୍ଧିତ ଶ୍ରମିକ ସଂଗଠନ ଅଂଶଗ୍ରହଣ କରିନଥିଲେ। ରାଉରକେଲାରେ କିନ୍ତୁ ଏହାର ବ୍ୟତିକ୍ରମ ଦେଖିବାକୁ ମିଳିଥିଲା। ଆଇଏନ୍‌ଟିୟୁସି ସହବନ୍ଧିତ ରାଉରକେଲା ଶ୍ରମିକ ସଂଘ(ଆରଏସ୍‌ଏସ୍‌) ମଧ୍ୟ ଆଜିର ଆନ୍ଦୋଳନକୁ ପୂର୍ଣ୍ଣ ସମର୍ଥନ ଦେଇଥିଲା। ଏତଦ୍‌ବ୍ୟତୀତ ରାଉରକେଲା ମଜଦୁର ସଭା(ଆର୍‌ଏମ୍‌ଏସ୍‌), ସିଟୁ, ଗାଙ୍ଗପୁର ମଜଦୁର ମଞ୍ଚ, ଆର୍‌ଏସ୍‌ଡବ୍ଲ୍ୟୁୟୁ(ଏଆଇଟିୟୁସି), ରାଉରକେଲା ୱାର୍କର୍ସ‌୍ ୟୁନିଅନ(ଆର୍‌ଡବ୍ଲ୍ୟୁୟୁ), ଏଆଇସିସିଟିୟୁ, ସିୟର, ଏଚ୍‌ଏସ୍‌ଡବ୍ଲ୍ୟୁଏ ଆଦି ଶ୍ରମିକ ସଂଗଠନରେ ସାମିଲ ହୋଇଥିଲେ।

ସମ୍ବନ୍ଧିତ ଖବର