ଝାଡ଼ଖଣ୍ଡରୁ ଓଡ଼ିଆ ଭାଷା ଉଚ୍ଛେଦକୁ ନେଇ ଜୋର ଧରିଲା ରାଜନୀତି ; ଅଗଣତାନ୍ତ୍ରିକ ନିଷ୍ପତ୍ତି : ବିରୋଧୀ ଦଳ ନେତା

ଝାଡ଼ଖଣ୍ଡ ସରକାରଙ୍କ ସହ ଆଲୋଚନା କରାଯିବ : ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ

ଭୁବନେଶ୍ବର : ଝାଡ଼ଖଣ୍ଡରେ ଓଡ଼ିଆ ଭାଷାକୁ ଦ୍ବିତୀୟ ରାଜଭାଷା ପ୍ରତ୍ୟାହାର ପ୍ରସଙ୍ଗରେ ଓଡିଶାରେ ରାଜନୀତି ଜୋର ଧରିଛି । ଏ ନେଇ ବିରୋଧୀ ଦଳ ନେତା ପ୍ରଦୀପ୍ତ ନାୟକ ଓଡ଼ିଶା ସରକାରଙ୍କୁ କଡ଼ା ସମାଲୋଚନା କରିବା ପରେ ପ୍ରତିକ୍ରିୟା ରଖିଛନ୍ତି ରାଜ୍ୟ ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଂଜନ ଦାଶ । ସେ କହିଛନ୍ତି ଯେ ଏ ପ୍ରସଙ୍ଗରେ ସେ ଝାଡ଼ଖଣ୍ଡ ଶିକ୍ଷାମନ୍ତ୍ରୀଙ୍କ ସହ କଥା ହେବେ ।

ଆଜି ଏହି ପ୍ରସଙ୍ଗରେ ନିଜର ପ୍ରତିକ୍ରିୟା ରଖି ପ୍ରଦିପ୍ତ ଟ୍ବିଟରରେ ଲେଖିଥିଲେ ଯେ ଝାରଖଣ୍ଡ ସରକାର ଏବେ ଓଡିଆ ଭାଷାକୁ ସ୍କୁଲ କଲେଜରୁ ଉଛେଦ କରିବା ନେଇ ନିଷ୍ପତ୍ତି ନେଇଛନ୍ତି । ଏହା ପ୍ରତିଟି ଓଡିଆଙ୍କ ପାଇଁ ଅତ୍ୟନ୍ତ ଦୁଃଖଦ ଖବର । ଏଣିକି ଝାରଖଣ୍ଡରେ ଓଡିଆ ଭାଷାଭାଷୀ ଅଂଚଳ ଷଢେଇକଳା, ଖରସୁଆଁ, ସିଂହଭୂମି ଆଦିରେ ରହୁଥିବା ଲକ୍ଷ ଲକ୍ଷ ଆମ ଓଡିଆ ପିଲାମାନେ ଆଉ ସ୍କୁଲ କଲେଜରେ ଓଡିଆ ଭାଷା ପଢିପାରିବେ ନାହିଁ ।

 

ଆମ ପାଇଁ ଆମ ଭାଷା ସ୍ୱାଭିମାନର ପ୍ରତୀକ । ସେଠାରେ ରହୁଥିବା ଓଡିଆମାନଙ୍କୁ ସେମାନଙ୍କର ମୁଳ ସଂସ୍କୃତିରୁ ବିଚ୍ଛିନ୍ନ କରିବା ପାଇଁ ଝାରଖଣ୍ଡ ସରକାରଙ୍କର ଏହା ଏକ କୁଯୋଜନା । ଏହି ନିଷ୍ପତ୍ତି ଲାଗୁ ହେଲେ ଆଉ କିଛି ବର୍ଷ ପରେ ସେଠାରେ ଓଡିଆ କହିବା ଲୋକ, ଲେଖିବା ଲୋକ ମିଳିବେନି । ଝାରଖଣ୍ଡରେ ଓଡିଆ ଭାଷା ମରିଯିବ । ଆମେ ଯେଉଁ ମାନେ ଓଡିଶାରେ ରହୁଛେ ଆମର କଣ କିଛି କର୍ତ୍ତବ୍ୟ ନାହିଁ କି ? ଅନେକ ଦିନ ହେଲାଣି ଏହା ଓଡିଶା ସରକାରଙ୍କ ଦୃଷ୍ଟିକୁ ଆସିସାରିଥିବାବେଳେ କାହିଁକି ସରକାର ଚୁପ୍ ବସିଛନ୍ତି ବୁଝି ହେଉନାହିଁ ।

୨୦୧୧ ମସିହାରେ ଝାରଖଣ୍ଡରେ ଅର୍ଜୁନ ମୁଣ୍ଡା ମୁଖ୍ୟମନ୍ତ୍ରୀ ଥିବା ବେଳେ ଓଡିଆ ଭାଷା ଦ୍ୱିତୀୟ ରାଜ୍ୟଭାଷାର ମାନ୍ୟତା ପାଇଥିବା ବେଳେ ହଠାତ ୧୦ ବର୍ଷ ପରେ କାହିଁକି ସେହି ରାଜ୍ୟର ସରକାର କାହିଁକି ସେହି ନିଷ୍ପତି ପ୍ରତ୍ୟାହାର କରିଲେ ଏହାର ପ୍ରତିବାଦ ଓଡିଶା ସରକାର କରିବା ଉଚିତ୍ । ଯଦି ଲୋକ ସଂଖ୍ୟା କମ ଥାଇବି ଝାରଖଣ୍ଡରେ ଉର୍ଦ୍ଦୁ ଭାଷାରେ ପାଠ ପଢାଯାଇ ପାରିବ ତାହେଲେ ଓଡିଆରେ କାହିଁକି ନୁହେଁ, ଏହାର ଜବାବ ମଧ୍ୟ ଝାରଖଣ୍ଡ ସରକାରଙ୍କୁ ଜବାବ ଦେବାକୁ ପଡିବ । ଯଥାଶୀଘ୍ର ଓଡିଶା ରାଜ୍ୟ ସରକାର ଝାରଖଣ୍ଡ ସରକାରଙ୍କ ସହିତ ଆଲୋଚନା କରି ଏହି ନିଷ୍ପତିକୁ ପ୍ରତ୍ୟାହୁତ କରାନ୍ତୁ । ଭାରତରେ ସମସ୍ତ ନାଗରିକ ନିଜ ମାତୃଭାଷାରେ ଲେଖା ଓ ପଢିବାର ସାମ୍ବିଧାନିକ ଅଧିକାର ରହିଛି । ଝାରଖଣ୍ଡ ସରକାରଙ୍କର ଏହି ନିଷ୍ପତି ଅସିମ୍ବିଧାନିକ ଓ ଅଗଣତାନ୍ତ୍ରିକ ବୋଲି ସେ ଲେଖିଛନ୍ତି ।

 

ସମ୍ବନ୍ଧିତ ଖବର