ସାତକୋଶିଆ ଅଭୟାରଣ୍ୟରେ ପହଞ୍ଚିଲା କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଆସିଥିବା ମହାବଳ ବାଘ

ଅନୁଗୁଳ : ମଧ୍ୟପ୍ରଦେଶର କାହ୍ନା ବ୍ୟାଘ୍ର ଅଭୟାରଣ୍ୟରୁ ଓଡିଶାର ସାତକୋଶିଆ ଅଭୟାରଣ୍ୟକୁ  ଆସୁଥିବା  ୩ବର୍ଷର ମହାବଳ ବାଘ ସାତକୋଶିଆରେ ପହଞ୍ଚିଛି। ଟ୍ରାଙ୍କୁଲାଇଜର ଦିଅାଯାଇ ଏକ ସ୍ୱତନ୍ତ୍ର ଗାଡି ଯୋଗେ ବାଘକୁ ବନବିଭାଗ କର୍ମଚାରୀ ଅନୁଗୁଳର ବଡ଼କେରା ଦେଇ ସାତକୋଶିଆ ଅଭୟାରଣ୍ୟ ଅଭିମୁଖେ ବାଘକୁ ନେଇଛନ୍ତି । ସ୍ୱାସ୍ଥ୍ୟ ପରୀକ୍ଷା ପରେ ବାଘଟିକୁ ଅଭୟାରଣ୍ୟରେ ଛଡ଼ାଯିବ।

ପରିବେଶ ସନ୍ତୁଳନ ପାଇଁ ବନବିଭାଗ ଏହି ପଦକ୍ଷେପ ନେଇଛି । ସତକୋଶିଆକୁ ତିନିଟି ପର୍ଯ୍ୟାୟରେ ୬ଟି ମହାବଳ ବାଘକୁ ଅଣାଯିବ। ପ୍ରଥମ ପର୍ଯ୍ୟାୟରେ ମଧ୍ୟପ୍ରଦେଶର କାହ୍ନା ଜାତୀୟ ବ୍ୟାଘ୍ର ଅଭୟାରଣ୍ୟରୁ ସାତକୋଶିଆକୁ ଗୋଟିଏ ମହାବଳ ବାଘକୁ ଅଣାଯାଇଛି । ଦ୍ୱିତୀୟ ପର୍ଯ୍ୟାୟରେ ଆହୁରି ୫ଟି ମହାବଳ ବାଘ ଅଣାଯିବାର ଯୋଜନା ରହିଛି। ଏପରି କି କେଉଁ ବାଘକୁ କେଉଁଠାରେ ଛଡାଯିବ ତାହାର ମଧ୍ୟ ବ୍ୟବସ୍ଥା କରାଯାଇଛି। ପ୍ରଥମ ମହାବଳକୁ ସାତକୋଶିଆ ବନଖଣ୍ଡର ରାଇଗୁଡ଼ା ରେଞ୍ଜରେ ଛଡ଼ାଯିବାର ନିଷ୍ପତ୍ତି ହୋଇଛି।

ମହାବଳ ବାଘଙ୍କୁ ଛାଡ଼ିବା ପାଇଁ ପ୍ରାୟ ୩କୋଟି ଟଙ୍କା ଖର୍ଚ୍ଚ ଅଟକଳ ହୋଇଥିବା ବେଳେ ବୈଷୟିକ ସହାୟତା ବାବଦକୁ ଓ୍ଵାଇଲଡ ଲାଇଫ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ଇଣ୍ଡିଆ ପ୍ରାୟ୫/୬ କୋଟି ଟଙ୍କା ନେବ। ଏହା ସହ ଜଙ୍ଗଲରେ ବାଘମାନଙ୍କୁ ସାଟେଲାଇଟ୍‌ରେ ମନିଟରିଂ କରାଯିବ।

ସୂଚନାଯୋଗ୍ୟ, ରାଜସ୍ଥାନର ସାରିସ୍ନା ଅଭୟାରଣ୍ୟ ପରି ବାଘଶୂନ୍ୟ ହୋଇଯାଇଛି ସାତକୋଶିଆ ଅଭୟାରଣ୍ୟ। ବାଘ ବଂଶ ବୃଦ୍ଧି ପାଇଁ ପୁନଃ ବାଘକୁ ପ୍ରବେଶ କରାଇବା ଯୋଜନା ଆରମ୍ଭ ହୋଇଛି। ଏଥିପାଇଁ ମଧ୍ୟପ୍ରଦେଶରୁ ୩ ମହାବଳ ବାଘ ଦମ୍ପତ୍ତି ଅଣାଯିବ।

ସମ୍ବନ୍ଧିତ ଖବର