ବରଗଡ଼ : ଡେବ୍ରିଗଡ଼ ଅଭୟାରଣ୍ୟରେ ଥିବା ଏକମାତ୍ର ମହାବଳ ବାଘକୁ ଶିକାରୀମାନେ ମାରି ଦେଇଥିବା ଖବର ମିଳିଛି। ଶବ ପଚିସଢ଼ି ଯାଇଥିବା ବେଳେ ଏହାର ଦାନ୍ତ ଓ ନଖ ମିଳୁନାହିଁ। ତେଣୁ ଶିକାରୀମାନେ ବାଘକୁ ମାରି ନଖ ଓ ଦାନ୍ତ ନେଇ ଯାଇଥିବା ସନ୍ଦେହ କରାଯାଉଛି। କିନ୍ତୁ କିଏ, କେବେ ଓ କେମିତି ବାଘକୁ ମାରିଲା ସେ ଖବର ବନ ବିଭାଗ ପାଖରେ ନାହିଁ।

Advertisment

ଭଟଲି ରେଂଜ ଅନ୍ତର୍ଗତ ଖଜୁରିଆ-ଦାମୋଦର ପଡ଼ା ମଧ୍ୟସ୍ଥ ଜଂଗଲରୁ ଏହି ମୃତଦେହ ଠାବ କରାଯାଇଛି। ଶବକୁ ମାଟିରେ ପୋତି ଉପରେ ଘାସ ଏବଂ ପଥର ରଖି ଦିଆଯାଇଥିଲା। ରବିବାର ସକାଳୁ ଖୋର୍ଦ୍ଧା ବନ ବିଭାଗର ଅବୈତନିକ ବନ୍ୟପ୍ରାଣୀ ସଂରକ୍ଷକ ଶୁଭେନ୍ଦୁ ମଲ୍ଲିକ ଏବଂ ପିପୁଲ୍ ଫର୍ ଆନିମଲ୍ ସଂପାଦକ ସନ୍ତୋଷ ଦାଶ କୌଣସି ସୂତ୍ରରୁ ଖବର ପାଇ ଘଟଣାସ୍ଥଳରେ ପହଂଚି ତନାଘନା କରିଥିଲେ। ପଥର ହଟାଇବା ପରେ ତଳେ ବାଘର ଗଳିତ ଶବ ଥିବା ଦେଖି ସେମାନେ ଚମକି ଯାଇଥିଲେ। ତେବେ ଏହା ଡେବ୍ରିଗଡ଼ରେ ଠାବ ହୋଇଥିବା ଏକମାତ୍ର ବାଘର ଶବ ବୋଲି ଚର୍ଚ୍ଚା ହେଉଛି। ସମ୍ଭବତଃ ସପ୍ତାହେ ତଳେ ୫ ଫୁଟ୍ ଲମ୍ବର ବାଘକୁ ଶିକାରୀମାନେ ମାରି ପୋତି ଦେଇଛନ୍ତି। ବାଘର ମୁହଁ କଟା ଯାଇ ଦାନ୍ତ କଢ଼ା ଯାଇଛି। ନଖ ମଧ୍ୟ ଓପଡ଼ା ଯାଇଥିବା ପାରିପାର୍ଶ୍ବିକ ସ୍ଥିତି ଦେଖି ଜଣାପଡ଼ୁଛି।

ଘଟଣା ସଂପର୍କରେ ଖବର ପାଇ ବନ ବିଭାଗ ଅଧିକାରୀମାନେ ସେଠାରେ ପହଂଚିଥିଲେ। ବରଗଡ଼ ଡିଏଫ୍ଓ ଅଭୟ ଦଳେଇ ଏବଂ ବନ କର୍ମଚାରୀମାନେ ପହଂଚି ତନାଘନା କରିଥିଲେ। ସଂଧ୍ୟାରେ ଶବର ଅଂଶବିଶେଷ ବ୍ୟବଚ୍ଛେଦ ପାଇଁ ପଠାଯାଇଛି। ତେବେ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ହିଁ ଏହି ଶବ ମହାବଳ ବାଘର କିମ୍ବା ଅନ୍ୟ କୌଣସି ଜନ୍ତୁର ବୋଲି ସ୍ପଷ୍ଟ ହେବ ବୋଲି ବନ ବିଭାଗ କହୁଛି। ସମ୍ବଲପୁର ଏସିଏଫ୍ ମଧ୍ୟ ସେହି କଥା କହିଛନ୍ତି। ଶବଟି ମହାବଳର ନୁହେଁ, କଲରାପତରିଆର ହୋଇଥାଇ ପାରେ ବୋଲି ବନ ବିଭାଗ ଅଧିକାରୀମାନେ କହୁଛନ୍ତି।

ସୂଚନାଯୋଗ୍ୟ, ତିନି ମାସ ତଳେ ଡେବ୍ରିଗଡ଼ ଅଭୟାରଣ୍ୟରେ ଏକ ମହାବଳ ବୁଲୁଥିବା କ୍ୟାମେରାରେ କଏଦ୍‌ ହୋଇଥିଲା। ଦୁର୍ଭାଗ୍ୟକୁ ଏହା ପରଠାରୁ ଅଭୟାରଣ୍ୟର ବିଭିନ୍ନ ସ୍ଥାନରେ ଲାଗିଥିବା କ୍ୟାମେରା ଚୋରି ବା ଖରାପ ହୋଇଯାଇଥିବା ବନ ବିଭାଗ ସୂତ୍ରରୁ ଜଣାପଡ଼ିଛି। ତେଣୁ ଏହା ପରଠାରୁ ଆଉ ବାଘର ଫଟୋ ଉଠିନଥିଲା କି ଏହା ସଂପର୍କରେ ବିଭାଗ ପାଖରେ କିଛି ଖବର ନ ଥିଲା।

ଏହି ଅଭୟାରଣ୍ୟ ଛତିଶଗଡ଼ ମାଫିଆଙ୍କ କବଜାରେ ରହିଛି। ସେମାନେ ମହାବଳକୁ ମାରି ନଖ ଓ ଦାନ୍ତ ନେଇଯାଇ ଥିବାର ଆଶଂକା ରହିଛି। ଏଥିସହ ଏହି ଅଞ୍ଚଳରେ ମାଓବାଦୀଙ୍କ ଗତିବିଧି ବଢ଼ିଥିବା କୁହାଯାଉଛି। ଅଭୟାରଣ୍ୟରେ ଥିବା ସିସିଟିଭି କ୍ୟାମେରାଗୁଡ଼ିକୁ ଅଚଳ କରି ଦିଆଯାଇଛି ବୋଲି ସ୍ଥାନୀୟ ଗ୍ରାମବାସୀମାନେ ଅଭିଯୋଗ କରିଛନ୍ତି।