ମଧ୍ୟପ୍ରଦେଶରୁ ଓଡ଼ିଶା ଆସିବେ ମହାବଳ

ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ ଦୁଇଟି ବାଘ

ଭୁବନେଶ୍ୱର : ମଧ୍ୟପ୍ରଦେଶରୁ ଓଡ଼ିଶାକୁ ଆସିବେ ମହାବଳ ବାଘ। ଓଡ଼ିଶାରେ ବାଘ ବଂଶ ବୃଦ୍ଧି ଲକ୍ଷ୍ୟରେ ରାଜ୍ୟ ସରକାର ଏଭଳି ପଦକ୍ଷେପ ନେଇଛନ୍ତି। ବାଘ ହସ୍ତାନ୍ତର ନେଇ ମଧ୍ୟପ୍ରଦେଶ ସରକାରଙ୍କ ସହ ପ୍ରାରମ୍ଭିକ ଆଲୋଚନା ଶେଷ ହୋଇଛି। ୨/୩ଟି ବାଘ ଦେବା ଲାଗି ମଧ୍ୟପ୍ରଦେଶ ସରକାର ସବୁଜ ସଙ୍କେତ ଦେଇଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ବିଭାଗ ମନ୍ତ୍ରୀ ବିଜୟଶ୍ରୀ ରାଉତରାୟ ସୂଚନା ଦେଇଛନ୍ତି। ଯଦି ସବୁ କିଛି ଠିକ୍‌ ଠାକ୍‌ ଚାଲେ ନଭେମ୍ବରରେ ୨/୩ଟି ମହାବଳ ସାତକୋଶିଆ ଅଭୟାରଣ୍ୟରେ ଛଡ଼ାଯିବ ବୋଲି ପିସିସିଏଫ୍‌ (ବନ୍ୟପ୍ରାଣୀ) ସନ୍ଦୀପ ତ୍ରୀପାଠୀ କହିଛନ୍ତି।

ରାଜ୍ୟରେ ବାଘଙ୍କ ସ୍ଥିତି ଖରାପ ହେବାରେ ଲାଗିଛି। ବିଶେଷକରି ସାତକୋଶିଆ ଅଭୟାରଣ୍ୟରେ ବାଘଙ୍କ ସଂଖ୍ୟା ବହୁ ପରିମାଣରେ ହ୍ରାସ ପାଇଛି। ୨୦୦୪ରେ ୧୧ଟି ବାଘ ରହିଥିବା ବେଳେ ଏବେ ଏହି ସଂଖ୍ୟା ୨କୁ ଖସି ଆସିଛି। ତାହାକୁ ଦୃଷ୍ଟିରେ ରଖି ଆସନ୍ତା ଏକ ବର୍ଷ ମଧ୍ୟରେ ୧୨ରୁ ୧୩ଟି ବାଘ ଛାଡ଼ିବା ଲାଗି ଯୋଜନା ପ୍ରସ୍ତୁତ ହୋଇଛି। କିଛି ମାସ ତଳେ ଏ ନେଇ ଓଡ଼ିଶା ସରକାର ସମୀକ୍ଷା କରିଥିଲେ। ସାତକୋଶିଆରେ ୧୫ଟି ପର୍ଯ୍ୟନ୍ତ ବାଘ ରହିପାରିବା ଭଳି ସ୍ଥିତି ଥିବାରୁ ନ୍ୟାସନାଲ ଟାଇଗର କନ୍‌ଜରଭେସନ(ଏନ୍‌ଟିସି)କୁ ରାଜ୍ୟ ସରକାର ଅନୁରୋଧ କରିଥିଲେ। ମଧ୍ୟପ୍ର୍ରଦେଶ ସରକାରଙ୍କ ସହ ବି ଆଲୋଚନା ହୋଇଥିଲା। ଏବେ ପ୍ରସ୍ତାବକୁ ସବୁଜ ସଙ୍କେତ ମିଳିଛି।

ମନ୍ତ୍ରୀ ଶ୍ରୀ ରାଉତରାୟଙ୍କ କହିବାନୁଯାୟୀ, ବାଘ ଆଣିବା ଲାଗି ଏନ୍‌ଟିସି, ବନ୍ୟପ୍ରାଣୀ ବିଶେଷଜ୍ଞଙ୍କ ସହ ଆଲୋଚନା ହୋଇଛି। ଏକ ପ୍ରତିନିଧିଦଳ ଓଡ଼ିଶା ଆସି ଜଙ୍ଗଲ ସ୍ଥିତି ଅନୁଧ୍ୟାନ କରି ସନ୍ତୋଷ ପ୍ରକାଶ କରିଛନ୍ତି। ପ୍ରଥମ ପର୍ଯ୍ୟାୟରେ ଦୁଇଟି ଲାଗି ସ୍ଥିର ହୋଇଛି। ଆଉ ଗୋଟିଏ ଅଧିକ ବି ମିଳିପାରେ। ଆସନ୍ତା ୩ରୁ ୪ ମାସ ମଧ୍ୟରେ ନିଷ୍ପତ୍ତି କାର୍ଯ୍ୟକାରୀ ହେବ ବୋଲି ସେ ଆଶାବ୍ୟକ୍ତ କରିଛନ୍ତି।

ଗତ ୧୫ ବର୍ଷ ହେଲା ଓଡ଼ିଶାରେ ବାଘ ସଂଖ୍ୟା ହ୍ରାସ ପାଉଛି। ୨୦୧୪ରେ ରାଜ୍ୟରେ ୧୯୨ଟି ବାଘ ଥିଲେ। ସେଥିରେ ୫୭ଟି ଅଣ୍ଡିରା ଥିବା ବେଳେ ୭୫ଟି ମାଈ ଏବଂ ୬୦ଟି ଛୁଆ ରହିଥିଲେ। ୨୦୧୦-୧୧ରେ କ୍ୟାମେରା ଟ୍ରାପ୍‌ରେ କରାଯାଇଥିବା ସର୍ଭେ ଅନୁଯାୟୀ ବାଘ ସଂଖ୍ୟା ହ୍ରାସ ପାଇ ୩୨ରେ ପହଞ୍ଚିଥିଲା। ୨୦୧୪-୧୫ରେ ୨୮କୁ ହ୍ରାସ ପାଇଥିଲା। ହେଲେ ୨୦୧୫-୧୬ରେ କ୍ୟାମେରା ଟ୍ରାପ୍‌ ଏବଂ ପଗ୍‌ମାର୍କ ମେଥର୍ଡର୍ରେ ହୋଇଥିବା ସର୍ଭେ ଅନୁଯାୟୀ ବାଘ ସଂଖ୍ୟା ୪୦ ରହିଛି। ଏସ୍‌ଟିଆର(ସିମିଳିପାଳ, କରଞ୍ଜିଆ, ବାରିପଦା, ରାୟରଙ୍ଗପୁର, ଭଦ୍ରକ ଏବଂ ବାଲେଶ୍ୱର) ସର୍କଲରେ ସର୍ବାଧିକ ୨୯ଟି ବାଘ ରହିଛନ୍ତି। ଏହାବାଦ୍‌ ଭବାନୀପାଟଣା ସର୍କଲରେ ୫, ଅନୁଗୁଳ ସର୍କଲରେ ଦୁଇଟି, ରାଉରକେଲା ସର୍କଲରେ ୪ଟି ବାଘ ଥିବା ବେଳେ କୋରାପୁଟ, ସମ୍ବଲପୁର, ବ୍ରହ୍ମପୁର, ଭୁବନେଶ୍ୱର ସର୍କଲରେ ଗୋଟିଏ ବି ବାଘ ନ ଥିବା ଜଙ୍ଗଲ ଓ ପରିବେଶ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର