ଓଡ଼ିଶା ରାଜନୀତିରେ ଏବେ ବିଭିନ୍ନ ନିର୍ବାଚନମଣ୍ଡଳୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିବା ରାଜପରିବାରର ରାଣୀମାନଙ୍କ ସମ୍ପତ୍ତିକୁ ନେଇ ଚର୍ଚ୍ଚା : ଆସନ୍ତୁ ନଜର ପକାଇବା କାହାର ସମ୍ପତ୍ତି କେତେ ?

ଭୁବନେଶ୍ୱର : ଓଡ଼ିଶା ରାଜନୀତିରେ ଏବେ ମଧ୍ୟ ରାଜପରିବାର ସଦସ୍ୟଙ୍କର ଦବଦବା ରହିଥିବା ଦେଖାଯାଉଛି । ଚଳିତ ନିର୍ବାଚନରେ ବିଭିନ୍ନ ଦଳରୁ ରାଜପରିବାରର ସଦସ୍ୟମାନେ ପ୍ରାର୍ଥୀ ହେଉଥିବା ଦେଖିବାକୁ ମିଳିଛି । ଖାସକରି ପ୍ରଥମ ୨ଟି ପର୍ଯ୍ୟାୟ ପାଇଁ ବିଭିନ୍ନ ନିର୍ବାଚନମଣ୍ଡଳୀରେ ରାଜପରିବାରର ସଦସ୍ୟମାନେ ପ୍ରାର୍ଥୀପତ୍ର ଦାଖଲ କରିଥିବା ବେଳେ ଏମାନଙ୍କର ସମ୍ପତି ତାଲିକା ଏବେ ସାମ୍ନାକୁ ଆସିଛି । ରାଜା, ରାଣୀଙ୍କ ସମ୍ପତ୍ତି ନେଇ ସବୁବେଳେ ସାଧାରଣରେ କୌତୁହଳ ରହିଥାଏ । ତେବେ ଏସବୁ ଭିତରେ ନଜର ପକାନ୍ତୁ ୪ ରାଣୀ ଓ ରାଜକୁମାରୀଙ୍କ ସମ୍ପତି ଉପରେ ଯେଉଁମାନେ ପ୍ରାର୍ଥୀପତ୍ର ଦାଖଲ କରିଛନ୍ତି ।

ଅନେକ ରାଜ ପରିବାର ସଦସ୍ୟ ଏବେ ନିର୍ବାଚନ ମୈଦାନରେ । ପ୍ରଥମେ ନଜର ପକାଇବା ବଲାଙ୍ଗିର ଲୋକସଭା ଆସନରେ ବିଜେପି ପ୍ରାର୍ଥୀ ସଙ୍ଗୀତା ସିଂହଦେଓଙ୍କ ସଂପତି ଉପରେ । ସଂଗୀତା ସିଂହଦେଓଙ୍କ ପାଖରେ ରହିଛି ୩୦ କୋଟି ଟଙ୍କାର ସ୍ଥାବର ଓ ଅସ୍ଥାବର ସମ୍ପତ୍ତି । ସଂଗୀତାଙ୍କ ପାଖରେ ରହିଛି ପ୍ରାୟ ୨୩ ଲକ୍ଷ ଟଙ୍କାର ସୁନାଗହଣା । ସଙ୍ଗୀତା ହେଉଛନ୍ତି ପାଟଣାଗଡ ରାଜା କନକ ବର୍ଦ୍ଧନ ସିଂହଦେଓଙ୍କ ପତ୍ନୀ ।

ସେହିଭଳି ଚିକିଟି ବିଧାନସଭା ଆସନ ପାଇଁ ବିଜେଡି ପ୍ରାର୍ଥୀ ହୋଇଥିବା ଉଷା ଦେବୀଙ୍କ ପାଖରେ ରହିଛି ପ୍ରାୟ ୧ କୋଟି ୩୩ ଲକ୍ଷ ଟଙ୍କାର ସମ୍ପତ୍ତି । ଏଥିରୁ ୧ କୋଟି ୧୦ ଲକ୍ଷ ଟଙ୍କାର ଜମିଜମା ରହିଛି । ଏଥିରୁ ତାଙ୍କ ପାଖରେ ୨୦୦ ଗ୍ରାମ ସୁନା ରହିଛି ଯାହାର ଦାମ ୫ ଲକ୍ଷ ଟଙ୍କା ହେବ ବୋଲି ସେ ସତ୍ୟପାଠରେ ଦର୍ଶାଇଛନ୍ତି ।

ଧରାକୋଟର ରାଣୀ ନନ୍ଦିନୀ ଦେବୀ ସାନଖେମୁଣ୍ଡି ବିଧାନସଭା ଆସନରୁ ପୁଣି ଥରେ ବିଜେଡିରୁ ଟିକେଟ ପାଇଛନ୍ତି । ତାଙ୍କ ପାଖରେ ମୋଟ ପ୍ରାୟ ୧୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ତାଙ୍କ ପାଖରେ ରହିଛି ୫୦୦ ଗ୍ରାମର ସୁନା-ଯାହାର ଦାମ ପ୍ରାୟ ୧୫ ଲକ୍ଷ ଟଙ୍କା ହେବ ।

ଗଜପତିର ରାଜକୁମାରୀ କଲ୍ୟାଣୀ ଦେବୀ ଏଥର ପ୍ରଥମ ଥର ପାଇଁ ପାରଳାଖେମୁଣ୍ଡି ବିଧାନସଭା ଆସନରୁ ଟିକେଟ ପାଇଛନ୍ତି । ତାଙ୍କ ପାଖରେ ୨ କୋଟି ଟଙ୍କାର ସମ୍ପତ୍ତି ରହିଛି । ଏଥିରୁ ତାଙ୍କ ପାଖରେ ୪୦ ତୋଳା ସୁନା ଅଳଙ୍କାର ରହିଛି ଯାହାର ମୂଲ୍ୟ ୧୦ ଲକ୍ଷ ଟଙ୍କା ହେବ ବୋଲି ସେ ଦର୍ଶାଇଛନ୍ତି ।

ସମ୍ବନ୍ଧିତ ଖବର