ରାୟଗଡ଼ା: ରାୟଗଡ଼ା ଜିଲ୍ଲାର ମୁନିଗୁଡ଼ା, ଗୁଡାରୀ, ପଦ୍ମପୁର, ଗୁଣୁପୁର ବନାଞ୍ଚଳରେ ଗତ ଏକ ମାସ ଧରି ମହାବଳ ବାଘ ବନ ବିଭାଗ ଏବଂ ଲୋକଙ୍କୁ ହନ୍ତସନ୍ତ କରିଥିଲା।ଲୋକେ ଭୟରେ ଏକ ମାସ ଧରି ଘରୁ ପଦାକୁ ବାହାରିବା ମୁସକିଲ ହୋଇଯାଇଥିଲା। ଏହି ଚାରୋଟି ରେଞ୍ଜର ବନ କର୍ମଚାରୀଙ୍କ ନିଦ ହଜାଇ ଦେଇଥିଲା। ଦିନରାତି ଏକ କରି ବାଘକୁ ଖୋଜିବାକୁ ଲାଗିଥିଲେ ବନ କର୍ମଚାରୀ। ଏବେ ବାଘ ଗଜପତି ହୋଇ ଆନ୍ଧ୍ରକୁ ଚାଲିଯାଇଥିବା କୁହାଯାଉଛି।

Advertisment

ବାଘ ରାୟଗଡା ଛାଡିଥିବା ଲୋକେ ଜାଣିବା ପରେ ଆଶ୍ବସ୍ତି ଲାଭ କରିଛନ୍ତି। ବାଘର ପାଦଚିହ୍ନ ହିଁ ବନ ବିଭାଗ ଠାବ କରିପାରିଥିଲା। କିନ୍ତୁ ବାଘର ଦେଖା ମିଳିନଥିଲା। ଏପରିକି ଟ୍ରାପ କ୍ୟାମେରାରେ ମଧ୍ୟ ବାଘର ଛାଇ ମଧ୍ୟ ଆସିନଥିଲା। ଶେଷଥର ପାଇଁ ଗୁଣୁପୁର ରେଞ୍ଜର ପୁଟାସିଂ ଅଂଚଳରେ ବାଘର ପାଦ ଚିହ୍ନକୁ ବନ ବିଭାଗ କର୍ମଚାରୀ ଦେଖିଥିଲେ। ଏହା ପରେ ଆଉ ବାଘର ପାଦ ଚିହ୍ନ ବନ ବିଭାଗ ପାଇ ପାରୁନାହିଁ। ତେଣୁ ବାଘ ରାୟଗଡା ଛାଡିଥିବା ଅନୁମାନ କରାଯାଉଥିବା କୁହାଯାଇଛି। ବାଘଟି ପୁଟାସିଂ ଅଂଚଳରୁ ଗଜପତି ଜିଲ୍ଲାର ନୂଆଗଡ ଜଂଗଲ ଦେଇ ମହେନ୍ଦ୍ରଗିରି ପାଦଦେଶରେ ଥିବା କିଞ୍ଚିଲିଙ୍ଗି ସଂରକ୍ଷିତ ଜଂଗଲ ଦେଇ ଆନ୍ଧ୍ରର ମଞ୍ଜୁସା ରେଞ୍ଜକୁ ଯାଇଥାଇପାରେ ବୋଲି ବନ ବିଭାଗ ଅନୁମାନ କରୁଛି।

ତେବେ ଦୀର୍ଘ ୧୫ ଦିନ ହେଲା ବାଘର କୌଣସି ପତ୍ତା କିମ୍ବା ପାଦ ଚିହ୍ନ ମିଳୁନଥିବାରୁ ବାଘ ଆନ୍ଧ୍ରକୁ ଚାଲିଯାଇଥାଇପାରେ ବୋଲି କୁହାଯାଇଛି। ବାଘ କୌଣସି ଶିକାର ମଧ୍ୟ କରିନଥିବା ବନ ବିଭାଗ ଦେଖିବାକୁ ପାଇଛନ୍ତି। ତେଣୁ ବାଘ ଏବେ କେଉଁଠି ଅଛି ତାହା ସଠିକ ରୂପେ କହିବା ମୁସକିଲ ବୋଲି କୁହାଯାଇଛି। ଅନ୍ୟଦିଗରେ ବାଘ ଚାଲିଯାଇଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ପୁଣି ଫେରିନଆସେ କିଏ କହିପାରିବ ବୋଲି ସଂଦେହ ସୃଷ୍ଟି ହୋଇଛି। ତେଣୁ ଲୋକଙ୍କୁ ସତର୍କ ରହିବାକୁ ମଧ୍ୟ କୁହାଯାଇଛି। ବନ ବିଭାଗ କିଛି ଦିନ ପାଇଁ ଆସ୍ବସ୍ତି ଲାଭ କରିଥିଲେ ମଧ୍ୟ ବାଘର ଗତିବିଧି ଉପରେ ନଜର ରଖାଯାଇଥିବା କୁହାଯାଇଛି। ରାୟଗଡାରେ ମହାବଳ ବାଘ ଏକ ମିଷ୍ଟ୍ରି ହୋଇ ରହିଗଲା।