ଜମା ହେଉନି ପଞ୍ଚାୟତର ରୟାଲ୍‌ଟି: ୭ ବର୍ଷରେ ୫ କୋଟି ହଡ଼ପ

ସୁନ୍ଦରଗଡ଼ : ଉନ୍ନୟନମୂଳକ ପ୍ରକଳ୍ପ କାମ ବା ନିର୍ମାଣରେ ସରକାରୀବାବୁମାନେ ପିସି ନେଉଥିବା କଥା କାହାକୁ ଅଛପା ନୁହେଁ। ଅନେକସମୟରେ କିଛି ଅସାଧୁ ଅଧିକାରୀ କାମ ନକରି ମିଛ ବିଲ୍‌ରେ ପ୍ରକଳ୍ପର ସବୁତକ ଅର୍ଥ ହଡ଼ପ କରୁଥିବା ଅଭିଯୋଗ ମଧ୍ୟ ରହିଛି। ହେଲେ, ସୁନ୍ଦରଗଡ଼ ଜିଲ୍ଲାରେ ବାବୁମାନଙ୍କ ଆଖି ବିଭିନ୍ନ ଉନ୍ନୟନମୂଳକ କାମରୁ ଆଦାୟ ଶ୍ରମ ଅନୁଭାଗ ଓ ରାଜସ୍ବ (ରୟାଲଟି) ଉପରେ ମଧ୍ୟ ପଡ଼ିଥିବା ଜଣାପଡ଼ିଛି। ଜିଲ୍ଲାର ପଞ୍ଚାୟତସ୍ତରରେ ବିଭିନ୍ନ ଉନ୍ନୟନମୂଳକ କାମରୁ ଆଦାୟ ଶ୍ରମ ଅନୁଭାଗ ଓ ରାଜସ୍ବ ନିକଟସ୍ଥ କୋଷାଗାର ବା ଓଡ଼ିଶା ସାଧାରଣ ଆର୍ଥିକ ନିୟମ ନିର୍ଦ୍ଦେଶିତ ଖାତାରେ ଜମା ନକରି ହଡ଼ପ କରି ନେଇଛନ୍ତି ଦାୟିତ୍ବରେ ଥିବା ପଞ୍ଚାୟତ ନିର୍ବାହୀ ଅଧିକାରୀ। ୨୦୧୨ରୁ ୨୦୧୯ ଆର୍ଥିକ ବର୍ଷ ମଧ୍ୟରେ ପ୍ରାୟ ୪ କୋଟି ୯୬ ଲକ୍ଷ ୬୮ ହଜାର ୬୦୧ ଟଙ୍କା ହଡ଼ପ ହୋଇଥିବା ଜଣାପଡ଼ିଛି।

ଉପରୋକ୍ତ ସମୟସୀମା ମଧ୍ୟରେ ଏ ବାବଦକୁ ୬ କୋଟି ୬୮ ଲକ୍ଷ ୨୪ ହଜାର ୯୨୮ ଟଙ୍କା ଆଦାୟ ହୋ‌ଇଛି। ଆଦାୟର ୩ ଦିନ ମଧ୍ୟରେ ନିକଟସ୍ଥ କୋଷାଗାର କିମ୍ବା ଓଡ଼ିଶା ସାଧାରଣ ଆର୍ଥିକ ନିୟମ ନିର୍ଦ୍ଦେଶିତ ଖାତାରେ ଏସବୁ ରାଶି ଜମା ହେବାକଥା। କିନ୍ତୁ, ୭ ବର୍ଷ ହେଲା ତାକୁ ଜମା ନକରି ବାବୁମାନେ ନିଜ ପକେଟରେ ଭରି ଦେଇଛନ୍ତି। ସୂଚନା ଅଧିକାର ଆଇନ ବଳରେ କଟକସ୍ଥିତ ନାଗରିକ ସୂଚନା ଓ ଆଇନ ସହାୟତା କେନ୍ଦ୍ରକୁ ମିଳିଥିବା ତଥ୍ୟରୁ ଏହି ହଡ଼ପ କଥା ସାମ୍ନାକୁ ଆସିଛି।

ଗୁରୁତ୍ବପୂର୍ଣ୍ଣ ବିଷୟ ‌ହେଲା, ଏହିସମୟ ମଧ୍ୟରେ ଜିଲ୍ଲାର ଅନେକ ପଞ୍ଚାୟତର ଶ୍ରମ ଅନୁଭାଗ ଓ ରାଜସ୍ବ ସମ୍ପର୍କରେ ବର୍ଷବର୍ଷ ଧରି ସମୀକ୍ଷା (ଅଡିଟ୍‌) ହୋଇନାହିଁ। ୨୦୧୯-୨୦ ଆର୍ଥିକ ବର୍ଷରେ ଜିଲ୍ଲାର ୨୭୯ ଯାକ ପଞ୍ଚାୟତରେ ସମୀକ୍ଷା ହୋଇ ନଥିବା ଜଣାପଡ଼ିଛି। ତେବେ, ୭ ବର୍ଷ ଧରି କୋଟି କୋଟି ଟଙ୍କା ଜମା ନହୋଇ ଅଧିକାରୀମାନେ ହଡ଼ପ କରିଥିଲେ ମଧ୍ୟ ଜିଲ୍ଲା ପ୍ରଶାସନ କୌଣସି ତାଗିଦ୍‌ କି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରିବା ସାଧାରଣରେ ବିସ୍ମିତ କରିଛି।

ସମ୍ବନ୍ଧିତ ଖବର