ବଲିଉଡ଼ରେ ରୋଜାଙ୍କ ରାଜ୍‌; ମାଧୁରୀ, କାଟ୍ରିନା ଓ କରିନାଙ୍କର ସହ କୋରିଓଗ୍ରାଫି

ରାଉରକେଲା : ସ୍ମାର୍ଟସିଟି ରାଉରକେଲାର ରୋଜା ରାଣା। ରାଉରକେଲା ଓ ରାଜ୍ୟର ଗର୍ବ ଗୌରବ। ରୋଜା ଏବେ ଡ୍ୟାନ୍ସରରୁ ବନିଯାଇଛନ୍ତି ସହ କୋରିଓଗ୍ରାଫ୍‌ର। ତାହା ପୁଣି ମାୟାନଗରୀ ମୁମ୍ବାଇରେ। ବଲିଉଡ୍‌ରେ ତାଙ୍କର ଯାଦୁ ବି କିଛି ନୁହେଁ। ହିନ୍ଦି ଚଳଚ୍ଚିତ୍ରର ମାଧୁରୀ, କାଟ୍ରିନା ଓ କରିନା ପରି ଅନେକ ଅଭିନେତ୍ରୀଙ୍କର ସେ ଏବେ ସହ କୋରିଓଗ୍ରାଫ୍‌ର। ଆଗାମୀ ଦିନରେ ବଲିଉଡ଼ରେ ଜଣେ ପ୍ରତିଷ୍ଠିତ କୋରିଓଗ୍ରାଫି ସ୍ୱପ୍ନକୁ ସାକାର କରିବାକୁ ସଂକଳ୍ପ ନେଇଛନ୍ତି।

ପିଲାବେଳୁ ରୋଜାଙ୍କର ନାଚ ପ୍ରତି ରହିଥିଲା ‌ଅହେତୁକ ଦୁର୍ବଳତା। ଏଥିପାଇଁ ସେ ଦେଢ଼ ବର୍ଷ ବୟସରୁ ନାଚ ଶିଖିବା ଆରମ୍ଭ କରିଥିଲେ। ୪ ବର୍ଷ ବୟସରେ ରୋଜା ତାଙ୍କ ମାଇଁଙ୍କ ସହାୟତାରେ ରାଉରକେଲାର ଏକ ସାଂସ୍କୃତିକ କାର୍ଯ୍ୟକ୍ରମ‌ରେ ଯୋଗଦେଇଥିଲେ। ମଞ୍ଚରେ ତାଙ୍କ ଦ୍ୱାରା ପ୍ରଦର୍ଶିତ ନୃତ୍ୟ ବେଶ୍‌ ଚିତାକର୍ଷକ ରହିଥିଲା। ମଞ୍ଚ ତଳେ ବସିଥିବା ଶହ ଶହ ଦର୍ଶକଙ୍କ କରତାଳି ତାଙ୍କୁ ଆଗକୁ ବଢ଼ିବାକୁ ବାଟ ଦେଖାଇଥିଲା। ସେହି ଦିନଠାରୁ ସେ ପଛକୁ ଫେରି ଚାହିଁ ନାହାନ୍ତି। ସଫଳତାର ଗୋଟିଏ ପରେ ଗୋଟିଏ ସିଢ଼ି ଚଢ଼ି ଚାଲିଛନ୍ତି।

ସଫଳତା ତାଙ୍କୁ ନେଇଯାଇଛି ରାଉରକେଲାରୁ ମୟାନଗରୀ ମୁମ୍ବାଇକୁ। ମୁମ୍ବାଇର ଗୋରେ ଗାଁରେ ରହି ଅନେକ ରିଏଲଟି ସୋ’ରେ ନିଜର ଜଲୱା ଦେଖାଉଛନ୍ତି। ରୋଜା ବର୍ତ୍ତମାନ ସଞ୍ଜୟ ସେଟ୍ଟି, ଏମ୍‌. ଖାନ୍‌, ତୁଷାର କାଲ୍ଲା, ଗୀତା କାପୁର ଭଳି ଅନେକ ପ୍ରସିଦ୍ଧ କୋରିଓଗ୍ରାଫ୍‌ରଙ୍କ ସହ କାମ କରୁଛନ୍ତି। ଭବିଷ୍ୟତରେ ଏମାନଙ୍କ ପରି ଜଣେ ଦେଶର ଜଣେ ସୁପ୍ରସିଦ୍ଧ କୋରିଓଗ୍ରାଫର ହେବା ତାଙ୍କର ଲକ୍ଷ୍ୟ। ରାଉରକେଲାର କୋଏଲନଗର ସି ବ୍ଲକରେ ସ୍ବର୍ଗତ ଅଶୋକ ରଣା ଓ ଶିବାନୀ ରଣାଙ୍କ ଏକ ମାତ୍ର ଝିଅ ହେଉଛନ୍ତି ରୋଜା। ରାଉରକେଲା‌ ସେଣ୍ଟ ଯୋଶେଫ ଇଂରାଜୀ ମାଧ୍ୟମ ସ୍କୁଲରେ ପ୍ରାଥମିକ ଶିକ୍ଷା ଲାଭ କରିବା ପରେ ସେକ୍ଟର-୪ ରାଉରକେଲା ସରକାରୀ କଲେଜରେ ପଢ଼ିଥିଲେ। ସରକାରୀ କଲେଜରେ ଗ୍ରାଜୁଏସନ୍‌ ଶେଷ କରିଥିଲେ। କ୍ୟାରିୟର ପାଇଁ ମୁମ୍ବାଇରେ ରହିବାକୁ ବାପା ଅଶୋକଙ୍କ ପାଖରେ ଜିଦ୍‌ କରିଥିଲେ। ଝିଅର ସ୍ୱପ୍ନକୁ ସାକାର କରିବାକୁ ବାପା ‌ଚାକିରି ଛାଡି ଝିଅକୁ ମୁମ୍ବାଇ ନେଇଯାଇଥିଲେ। ସେଠାରେ ବାପା ଓ ମା’ଙ୍କ ସହ ମୁମ୍ବାଇରେ ଏକ ଭଡାଘର ନେଇ ରହିଲେ। ମୁମ୍ବାଇରେ ରହିବା ପୂର୍ବରୁ ଓଡ଼ିଶାରେ ‘ ଭାରତନାଟ୍ୟମ୍‌’ ଓ ‘ ଓଡ଼ିଶୀ’ ଶିକ୍ଷା ଲାଭ କରିଥିଲେ।

ମୁମ୍ବାଇରେ ରହିବା ପରେ ରାଜ୍ୟ ଏବଂ ରାଜ୍ୟ ବାହାରେ ଆୟୋଜିତ ନୃତ୍ୟ ପ୍ରତିଯୋଗିତାରେ ଅନେକ ପୁରସ୍କାର ସାଉଣ୍ଟିଥିଲେ। ୨୦୦୩ରେ କୁନି ପିଲାମାନଙ୍କ ପାଇଁ ଆୟୋଜିତ ରିଏଲିଟି ସୋ’ ‘ବୋଗି ଓଗି’ରେ ଅଂଶଗ୍ରହଣ କରି ପ୍ରଥମ ରନର୍ସ ଅପ୍‌ ହୋଇଥିଲେ। ୨୦୦୬ରେ ସେହି ସମାନ କାର୍ଯ୍ୟକ୍ରମରେ ଯ‌ୋଗଦେଇ ରନର୍ସ ଅଫ୍‌ରେ ରହିଥିଲେ। ୨୦୦୯ରେ ଡ୍ୟାନ୍ସ ପ୍ରିମିୟର ଲିଗ୍‌ , କ୍ରେଜି କିୟାରେ ପାଇଥିଲେ ସଫଳତା। ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସରେ ତାଙ୍କର ପ୍ରଦର୍ଶନ ମଧ୍ୟ କିଛି କମ୍‌ ନଥିଲା। ଟପ୍‌ -୭ ସ୍ଥାନରେ ରହିଥିଲେ। ପରବର୍ତ୍ତୀ ସମୟରେ ଡ୍ୟାନ୍ସ ଇଣ୍ଡିଆ ଡ୍ୟାନ୍ସ, ନାଚ୍‌ ବଲିୟେ, ସୁପର ଡ୍ୟାନ୍ସର, ଫେମିନା ମିସ୍‌ ଡିବା ଆଦି ରିଏଲିଟି ସୋ’ରେ ତାଙ୍କର ଜଲ୍‌ବା ବି କିଛି କମ୍ ନଥିଲା। ବଲିଉଡର ମାଧୁରୀ ଦୀକ୍ଷିତ, କାଟ୍ରିନା କୈଫ୍‌, କରୀନା କାପୁର, ଟାଇଗର ସରଫ୍‌, ନୋରା, ପରିଣିତା ଚୋପ୍ରା, ବାଣି କାପୁର, ଭିକି କୌଶଳ, ଜାକ୍‌ଲିନ୍‌ ଫର୍ଣ୍ଣାଡିସ୍‌, ସୋନାକ୍ଷୀ ସିହ୍ନା ଆଦିଙ୍କ ସହ କାମ କରୁଛନ୍ତି। ବର୍ତ୍ତମାନ ଏକ ଘରୋଇ ଚାଲେନ୍‌ରେ ପ୍ରସାରିତ ଡ୍ୟାନ୍ସ ରିଏଲିଟି ସୋ’ ‘ ଇଣ୍ଡିଆଜ୍‌ ବେଷ୍ଟ ଡ୍ୟାନ୍ସର (ଆଇବିଡି)’ରେ ଶ୍ରେଷ୍ଠ ୧୨ତମ ସ୍ଥାନରେ ରହିଛନ୍ତି। ରୋଜା କହିଛନ୍ତି, ତାଙ୍କର ପ୍ରଥମ ନୃତ୍ୟ ଗୁରୁ ବିଜୟ ମୁଖୀ ଓ ବାପା-ମା’ଙ୍କ ଆର୍ଶିବାଦ ଯୋଗୁ ଆଜି ଏହି ସ୍ଥାନରେ ପହଞ୍ଚି ପାରିଛନ୍ତି। ୨୦୧୫ରେ ବାପା ମା’ଙ୍କୁ ଓ ମୋତେ ଛାଡି ଆରପାରିକୁ ଚାଲିଯାଇଛନ୍ତି। କିନ୍ତୁ ବାପାଙ୍କର ଯେଉଁ ସ୍ବପ୍ନ ରହିଥିଲା ତାକୁ ନିଶ୍ଚିତ ଭାବେ ପୂରଣ କରିବି ବୋଲି କହିଛନ୍ତି ରୋଜା।

ସମ୍ବନ୍ଧିତ ଖବର