କିଡ୍‌ନି ରୋଗରେ ଆକ୍ରାନ୍ତ ରୋଜଗାରିଆ ଦାଦନ ପୁଅ; ଚିକିତ୍ସା ପାଇଁ ବିକିଦେଲେ ଜମିବାଡ଼ି, ଅଳଙ୍କାର

ବେଲଗୁଣ୍ଠା : ଯେଉଁ ବୟସରେ ରୋଜଗାର କରି ବୃଦ୍ଧ ବାପାମା’ଙ୍କ ସାହାରା ପାଲଟିଥାନ୍ତେ, ସେହି ବୟସରେ ଶଯ୍ୟାରେ ପଡ଼ି ଜୀବନ ସହ ଲଢ଼ୁଛନ୍ତି ଉପେନ୍ଦ୍ର ଗୌଡ଼। ପୁଅର ଏଭଳି ଦୁରବସ୍ଥା ଦେଖି ବାପାମା’ଙ୍କ ଆଖିରୁ ଲୁହରୁ ଶୁଖୁ ନଥିବା ବେଳେ ପତ୍ନୀ ନିରୁପାୟ ସାଜି ନିର୍ବାକ୍ ପାଲଟିଯାଇଛନ୍ତି। ଚିକିତ୍ସା ପାଇଁ ବାପାମା’ ଜମିବାଡ଼ି ଓ ଅଳଙ୍କାର ବିକି ସର୍ବସ୍ବାନ୍ତ ହୋଇସାରିଲେଣି। ଆଉ ଏଭଳି ଘଡ଼ିସନ୍ଧି ସମୟରେ ସରକାରୀ ସହାୟତାକୁ ଚାହିଁବା ଛଡ଼ା ଆଉ କିଛି ଉପାୟ ନାହିଁ।

ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ବ୍ଲକ୍ କ୍ଷତ୍ରିୟବରପୁର ପଞ୍ଚାୟତ ବାଘୁଆପଲ୍ଲୀ ଗ୍ରାମର ବିଶ୍ଵନାଥ ଗୌଡ଼ଙ୍କ ପୁଅ ଉପେନ୍ଦ୍ର ଗୌଡ଼। ପରିବାର କହିଲେ ବାପାମା’, ପତ୍ନୀ ଓ ଦୁଇ ଝିଅ। ପରିବାର ପ୍ରତିପୋଷଣ ପାଇଁ ଉପେନ୍ଦ୍ର ବେଙ୍ଗାଳୁରୁ ଓ ସୁରତରେ ଦାଦନ ଶ୍ରମିକ ଭାବେ କାମ କରୁଥିଲେ। ସୁଖଦୁଃଖରେ ତେଲ ଲୁଣର ସଂସାର ଚାଲିଥିବା ବେଳେ ହଠାତ୍ ଦଇବ ଦାଉ ସାଧିଲା। ଉପେନ୍ଦ୍ର ହଠାତ୍ ଅସୁସ୍ଥ ହୋଇ ପଡ଼ିଥିଲେ। ଆଉ ପରୀକ୍ଷା ବେଳେ ତାଙ୍କର ଦୁଇଟିଯାକ କିଡ୍‌ନି ଖରାପ ହୋଇଯାଇଥିବା ଜାଣିବାକୁ ପାଇଲେ।

ଏହାପରେ ସେ ନିଜ ଗାଁ ବାଘୁଆପଲ୍ଲୀ ଫେରି ଆସି କଟକ ବଡ଼ ମେଡ଼ିକାଲରେ ଚିକିତ୍ସା ଆରମ୍ଭ କରିଥିଲେ। କିନ୍ତୁ ଉପେନ୍ଦ୍ରଙ୍କ ଅବସ୍ଥା ସଂକଟାପନ୍ନ ହେବାକୁ ଲାଗିଲା। ଚିକିତ୍ସା ଖର୍ଚ୍ଚ ଏବଂ ପରିବାର ପ୍ରତିପୋଷଣ ପାଇଁ ନିଜ ପୈତୃକ ଜମିବାଡ଼ି ଓ ସୁନାରୁପା ଅଳଙ୍କାର ବିକିଦେଲେ। ବର୍ତ୍ତମାନ ଉପେନ୍ଦ୍ର ଶଯ୍ୟାରେ ପଡ଼ି ଜୀବନ ସହ ସଂଘର୍ଷ କରୁଛନ୍ତି। ଆଉ ‌ରୋଗୀଣା ପୁଅର ଯନ୍ତ୍ରଣାକୁ ଦେଖି ବାପାମା’ ଓ ପତ୍ନୀ ଲୁହ ଗଡ଼ାଇବା ଛଡ଼ା ଆଉ କିଛି ଉପାୟ ନାହିଁ। ବର୍ତ୍ତମାନ ଅଭାବ ଭିତରେ ପଡ଼ୋଶୀଙ୍କ ଠାରୁ ଧାରକରଜ କରି ସପ୍ତାହକୁ ଦୁଇ ଥର କଟକ ବଡ଼ ମେଡିକାଲକୁ ନିଆଯାଇ ଉପେନ୍ଦ୍ରଙ୍କ ଡାଏଲିସିସ୍ କରାଯାଉଛି। ଏଭଳି ପରିସ୍ଥିତିରେ ଦୁଇଓଳା ଦାନା ଯୋଗାଡ଼ କରିବା ଉପେନ୍ଦ୍ରଙ୍କ ବାପାମା’ ଓ ପତ୍ନୀଙ୍କ ପାଇଁ କଷ୍ଟସାଧ୍ୟ ପାଲଟିଛି। ଅଧିକ ଚିକିତ୍ସା ଲାଗି ସରକାରୀ ସହାୟତା ପ୍ରଦାନ ପାଇଁ ବାପା ବିଶ୍ବନାଥ କୋହଭରା କଣ୍ଠରେ ନିବେଦନ କରିଛନ୍ତି।

ସମ୍ବନ୍ଧିତ ଖବର