ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟ‌ରେ ଯୋଗଦେଲେ ଆର୍‌ପି ଶର୍ମା

ଭୁବନେଶ୍ବର : ପୂର୍ବତନ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଡାକ୍ତର ରାଜେନ୍ଦ୍ର ପ୍ରସାଦ ଶର୍ମା ଆଜି ଓଡ଼ିଶା ଲୋକାୟୁକ୍ତ ସଦସ୍ୟ ଭାବେ କାର୍ଯ୍ୟରେ ଯୋଗ ଦେଇଛନ୍ତି। ତୋଷାଳି ପ୍ଲାଜା ତୃତୀୟ ମହଲାରେ ନବନିର୍ମିତ କାର୍ଯ୍ୟାଳୟରେ ତାଙ୍କୁ ଲୋକାୟୁକ୍ତ ସମ୍ପାଦକ ମାନସ ରଞ୍ଜନ ତ୍ରିପାଠୀଙ୍କ ସମେତ ଅନ୍ୟ ଅଧିକାରୀମାନେ ସ୍ବାଗତ ସମ୍ବର୍ଦ୍ଧନା ଜ୍ଞାପନ କରିଛନ୍ତି। କର୍ମଚାରୀ ଓ ଅଧିକାରୀମାନଙ୍କ ସହ ଆଲୋଚନା କରିବା ପରେ ସେ କୋର୍ଟ ରୁମ୍‌ ସମେତ ଅନ୍ୟ ବିଭାଗଗୁଡ଼ିକ ବୁଲି ଦେଖିଥିଲେ ଏବଂ କର୍ମଚାରୀ ସଂଖ୍ୟା, କର୍ମଚାରୀଙ୍କ ଦାୟିତ୍ବ, ସୁରକ୍ଷା କର୍ମୀଙ୍କ ସଂଖ୍ୟା ସମେତ ଅନ୍ୟାନ୍ୟ ଜରୁରୀ ବ୍ୟବସ୍ଥା ସମ୍ବନ୍ଧରେ ପଚାରି ବୁଝିଥିଲେ।

ଗତ ମାର୍ଚ୍ଚ ୨୦ ତାରିଖ‌ରେ ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବରେ ଜଷ୍ଟିସ୍‌ ଅଜିତ ସିଂହ ଦାୟିତ୍ବ ଗ୍ରହଣ କରିଥିଲେ। ପରେ ପରେ ଓଡ଼ିଶା ହାଇକୋର୍ଟ ପୂର୍ବତନ ବିଚାରପତି ଜଷ୍ଟିସ୍‌ ବିଜୟ କୁମାର ନାୟକ ପ୍ରଥମ ସଦସ୍ୟ(ନ୍ୟାୟିକ) ଭାବରେ ଯୋଗଦାନ କରିଥିବା ବେଳେ ପୂର୍ବତନ ଭାରତୀୟ ବନସେବା ଅଧିକାରୀ ଦେବବ୍ରତ ସ୍ବାଇଁ ଦ୍ବିତୀୟ ସଦସ୍ୟ ଭାବରେ ଏପ୍ରିଲ ୪ ତାରିଖରେ କାର୍ଯ୍ୟଭାର ନେଇଥିଲେ। ଆଜି ତୃତୀୟ ସଦସ୍ୟ ଭାବରେ ଡାକ୍ତର ଶର୍ମା କାର୍ଯ୍ୟଭାର ଗ୍ରହଣ କରିଛନ୍ତି। ଲୋକାୟୁକ୍ତ ଆଇନ ମୁତାବକ ଅଧ୍ୟକ୍ଷଙ୍କ ସହ ଏଥିରେ ୫ ଜଣ ସଦସ୍ୟ ରହିପାରିବେ।

ଉଲ୍ଲେଖଯୋଗ୍ୟ ଯେ ଦୁର୍ନୀତି ବିରୋଧରେ ଅଭିଯୋଗ ଗ୍ରହଣ କରିବା ସହ ଶୁଣାଣି କରି ଆଇନ ଅନୁଯାୟୀ ଦଣ୍ଡବିଧାନ କରିବା ପାଇଁ ଲୋକାୟୁକ୍ତ କାମ କରିବ। ଅଭିଯୋଗ ପାଇବାର ୬୦ ଦିନ ମଧ୍ୟରେ ସ୍ବତନ୍ତ୍ର ଏଜେନ୍‌ସି ଦ୍ବାରା ଅଭିଯୋଗର ତଦନ୍ତ କରି ରିପୋର୍ଟ ସଂଗ୍ରହ କରିବା ସହ ମାମଲାର ଶୁଣାଣି କରାଯିବ। ରାଜ୍ୟରେ ୨୦୧୮ ଫେବ୍ରୁଆରିରୁ ଲୋକାୟୁକ୍ତ ଗଠନ ହେବା ପରେ ଅଦ୍ୟାବଧି ୧୯୪ଟି ମାମଲା ହେବା ସହ ଶୁଣାଣି ଆରମ୍ଭ ହୋଇଛି। ସ୍ବତନ୍ତ୍ର ସଂସ୍ଥା ଜରିଆରେ ‌କେତେକ ଅଭିଯୋଗର ତଦନ୍ତ ମଧ୍ୟ ଚାଲିଛି। ଏବେ ଅଭିଯୋଗ ସିଧାସଳଖ ଗ୍ରହଣ କରାଯାଉଥିବାବେଳେ ଖୁବ୍‌ଶୀଘ୍ର ‌ପୋର୍ଟାଲ ଖୋଲିବା ସହ ଅନ୍‌ଲାଇନ୍‌ ଅଭିଯୋଗ ଗ୍ରହଣ କରିବା ପାଇଁ ବ୍ୟବସ୍ଥା ହେବ ବୋଲି ଜଣାପଡ଼ିଛି। ସରକାରୀ ବିଧି ବ୍ୟବସ୍ଥାରେ ସ୍ବଚ୍ଛତା ବଜାୟ ରଖିବା ପାଇଁ ଦୁର୍ନୀତି ବିରୋଧରେ ଯେ କେହି ଏଠାରେ ଅଭିଯୋଗ କରିପାରିବେ।

ସୂଚନାଯୋଗ୍ୟ, ପତ୍ନୀଙ୍କ ଦେହାନ୍ତ ପରେ ଡା. ଶର୍ମା ପୁଲିସ ମହାନିର୍ଦ୍ଦେଶକ ପଦରୁ ସ୍ବେଚ୍ଛାକୃତ ଅବସର ପାଇଁ ଆବେଦନ କରିଥିଲେ। ଏହା ପରେ ଲୋକାୟୁକ୍ତ ସଦସ୍ୟ ପାଇଁ ତାଙ୍କ ନାମ ସୁପାରିସ୍ ହେବା ସହ ସେ ମନୋନୀତ ହୋଇଥିଲେ।

ସମ୍ବନ୍ଧିତ ଖବର