୪୫ ମାସ ହେଲା ହୋଇନି ଆର୍‌ପିଡିଏସି ବୈଠକ : ଶିଳ୍ପପତିଙ୍କୁ ତାଗିଦ୍‌ କରିବାକୁ ଡରୁଛି ପ୍ରଶାସନ!

ପାରିପାର୍ଶ୍ବିକ ଉନ୍ନୟନ ଓ ବିସ୍ଥାପିତଙ୍କ ସମସ୍ୟା ସମାଧାନ ହେବ କିପରି?

ଯାଜପୁର/ଦାନଗଦୀ : ଏସିଆ ମହାଦେଶର ଇସ୍ପାତ ରାଜଧାନୀ କୁହାଯାଉଥିବା କଳିଙ୍ଗନଗର ଶିଳ୍ପାଞ୍ଚଳର ସ୍ଥିତି ସଙ୍ଗିନ୍‌। ଗୋଟିଏ ପରେ ଗୋଟିଏ କାରାଖାନାର ଚିମିନିରୁ ଧୂଆଁ ବାହାରିବା ବନ୍ଦ ହୋଇଯାଉଥିବାରୁ ବିଭିନ୍ନ ମହଲରେ ଉଦ୍‌ବେଗ ପ୍ରକାଶ ପାଉଛି। ପାରିପାର୍ଶ୍ବିକ ଉନ୍ନୟନ, ବିସ୍ଥାପିତଙ୍କ ସମସ୍ୟାର ସମାଧାନ ତଥା ଆଞ୍ଚଳିକ ନିଯୁକ୍ତି ଉପରେ ଗୁରୁତ୍ବ ଦିଆଯାଉ ନଥିବାରୁ ଏଠାରେ ସମସ୍ୟାର ପାହାଡ଼ ଛିଡ଼ାହୋଇଛି। ହେଲେ ଆଶ୍ଚର୍ଯ୍ୟଜନକ ଭାବେ ଦୀର୍ଘ ୪୫ମାସ ହେଲା ପୁନର୍ବାସ ଏବଂ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି ବୈଠକ (ଆରପିଡିଏସି) ହୋଇପାରିନି। ଶିଳ୍ପପତିଙ୍କୁ ନିୟନ୍ତ୍ରଣକୁ ଆଣିବା ଏବଂ ପ୍ରଶାସନର ଅପରିଣାମଦର୍ଶିତା ପ୍ରତି ଏହା ସିଧା ଅଙ୍ଗୁଳି ନିର୍ଦ୍ଦେଶ କରୁଛି।

କଳିଙ୍ଗନଗରର ୧୩ଟି ବୃହତ ଶିଳ୍ପ କାରଖାନା ମଧ୍ୟରୁ ଅନେକ ରୁଗ୍‌ଣ ଅବସ୍ଥାକୁ ଚାଲିଯାଇଛି। ଅନେକ କର୍ମଚାରୀ ଏବଂ ଶ୍ରମିକ ପରିବାର ମାସ ମାସ ଧରି ଦରମା ପାଇନାହାନ୍ତି। ଶିଳ୍ପ ପାଇଁ ଜମି ହରାଇଥିବା ଲୋକେ ଏବେ କାମଧନ୍ଦା ଅଭାବରୁ ଭୋକ ଉପାସରେ କାଳ କାଟୁଛନ୍ତି। ଏଭଳି ସ୍ଥିତିରେ କରୋନା ପାଇଁ ପ୍ରବାସୀ ଓଡ଼ିଆମାନେ ବାହାର ରାଜ୍ୟରୁ ନିଜ ନିଜ ଅଞ୍ଚଳକୁ ଫେରି ଆସିଛନ୍ତି। ଏମାନଙ୍କୁ କର୍ମନିଯୁକ୍ତି ଦେବା ମଧ୍ୟ ସରକାରଙ୍କ ପାଇଁ ଚିନ୍ତାର ବିଷୟ ହୋଇଛି। ଶିଳ୍ପପତିଙ୍କ ଉପରେ ଅଙ୍କୁଶ ଲଗାଇବା ପାଇଁ ଦାବି ଉଠୁଥିବା ବେଳେ ପ୍ରଶାସନ କିନ୍ତୁ ‌ବେଫିକର ହୋଇ ରହିଛି। ଶିଳ୍ପାନୁଷ୍ଠାନର ସୁବିଧା ସୁ‌ଯୋଗକୁ ସ୍ଥାନୀୟ ଲୋକଙ୍କ ନିକଟରେ ପହଞ୍ଚାଇବା ପାଇଁ ପ୍ରଶାସନ ଯେଉଁ ଦାୟିତ୍ବ ନିଭାଇବା କଥା, କରୁନାହିଁ। ଆଉ, ପୁନର୍ବାସ ଏବଂ ପାରିପାର୍ଶ୍ବିକ ଉନ୍ନୟନ ଉପଦେଷ୍ଟା କମିଟି (ଆରପିଡ଼ିଏସି) ପ୍ରହସନ ପାଲିଟିଛି। ସରକାରଙ୍କର ନିୟମ ଅନୁଯାୟୀ ୩ମାସରେ ଥରେ ଆରପିଡିଏସି ବୈଠକ ବସିବା ପାଇଁ ଧାର୍ଯ୍ୟ ହୋଇଥିବା ବେଳେ ୪୫ମାସ ହେଲା ବସିନାହିଁ। ଆଉ ୩ମାସ ପରେ ୪ବର୍ଷ ପୂରଣ ହେବ। ଜିଲ୍ଲାପାଳ ଭାବେ ରଞ୍ଜନ କୁମାର ଦାସ ଯାଜପୁରରେ ଯୋଗଦେବା ଦିନ (୨୦୧୬ମସିହା ସେପ୍ଟେମ୍ବର ୧୪ତାରିଖ) ଶେଷ ଆରପିଡିଏସି ବୈଠକ ବସିଥିଲା। ଏହା ପରଠାରୁ ଆଉ ଆରପିଡିଏସି ବୈଠକ ବସିନାହିଁ। ଯାଜପୁର ଜିଲ୍ଲାକୁ ଭଲ ଭାବେ ଜାଣିଥିବା ପୂର୍ବତନ ଜିଲ୍ଲାପାଳ ଅନିଲ କୁମାର ସାମଲ ଏବେ ଆରଡିସି ଅଛନ୍ତି। ଆରଡିସିଙ୍କ ଅଧ୍ୟକ୍ଷତାରେ ଆରପିଡିଏସି ବୈଠକ ହେବାର ବ୍ୟବସ୍ଥା ରହିଛି। ମାତ୍ର ବର୍ଷ ବର୍ଷ ଧରି ବୈଠକ ହେଉନି କି ବିସ୍ଥାପିତଙ୍କ ସମସ୍ୟା ସୁଧୁରୁନି। ଆରଡିସି ଶ୍ରୀ ସାମଲ ମଝିରେ ଏ ନେଇ ତନାଘନା କରିଥିଲେ। ଏପରିକି ଆରପିଡିଏସି ପାଇଁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳ ଓ ଆରଡିସିଙ୍କ କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଥିଲା। ନିଯୁକ୍ତି, ପାରିପାର୍ଶ୍ବିକ ବିକାଶ ନାମରେ ମିଥ୍ୟା ତଥ୍ୟ ଦେଇଥିବା ଶିଳ୍ପାନୁଷ୍ଠାନମା‌ନେ ଅକଳରେ ପଡ଼ିବେ ବୋଲି ବେଶ ଚର୍ଚ୍ଚା ହେଲା। ହେଲେ କୌଣସି କାରଣରୁ ପରେ ଆରପିଡିଏସି ବୈଠକ ଆଉ ହେଲା ନାହିଁ।

ପ୍ରକାଶ ଥାଉକି ନୀଳାଚଳ, ମେସ୍କୋ,ମୈଥାନ ଓ କେଜେ ଇସ୍ପାତ ଭଳି କାରଖାନାଗୁଡ଼ିକରେ ଏବେ ତାଲା ଝୁଲିଛି। ନିଯୁକ୍ତି ପାଇଥିବା ହଜାର ହଜାର ଶ୍ରମିକ ଓ କର୍ମଚାରୀ ଜୀବିକା ହରାଇ ନିୟମିତ ଆନ୍ଦୋଳନରେ ସାମିଲ ହେଉଛନ୍ତି। ଆରପିଡିଏସି ବୈଠକ ନହେବାକୁ ନେଇ ବିସ୍ଥାପିତ ପରିବାର ଏବେ ଚିନ୍ତାରେ । ଶିଳ୍ପସଂସ୍ଥା ଗୁଡ଼ିକ ଲୋକଙ୍କୁ ବିସ୍ଥାପିତ କରିବା ପରେ ପ୍ରତାରିତ ନକରି ସେମାନଙ୍କ ବିକାଶ ଓ ନିଯୁକ୍ତି ପ୍ରକ୍ରିୟାର ଭାଗିଦାର ହେବାକୁ ଦାବି ହୋଇ ଆସୁଥିଲେ ହେଁ ତାହା ଫଳପ୍ରଦ ହୋଇପାରୁନାହିଁ। ସରକାରୀ ନିର୍ଦ୍ଦେଶ ଠିକ୍ ଭାବେ କାର୍ଯ୍ୟକାରୀ ହେଉନଥିବାରୁ ଶିଳ୍ପାନୁଷ୍ଠାନ ବୃଦ୍ଧି ଅନୁପାତରେ ସମସ୍ୟା ବହୁଗୁଣିତ ହେଉଛି। ପାରିପାର୍ଶ୍ବିକ ଉନ୍ନୟନ ଯୋଜନା ମଧ୍ୟ ଠପ୍ ହୋଇପଡ଼ିଛି । ଆରପିଡିଏସି ବୈଠକ ପାଇଁ ପ୍ରାଶାସନ କେବେ ଦିନ ଧାର୍ଯ୍ୟ କରୁଛି, ତାହା ଉପରେ କଳିଙ୍ଗନଗରବାସୀଙ୍କ ନଜର ରହିଛି।

ସମ୍ବନ୍ଧିତ ଖବର