ବିଭିନ୍ନ ଅଞ୍ଚଳରୁ ‘ସମ୍ବାଦ’ ଆଣିଲା ସାଂଘାତିକ ଚିତ୍ର: ବର୍ଷବର୍ଷ ଧରି ବସୁନି ଆର୍ପିଡିଏସି ବୈଠକ
ମୁଖ୍ୟମନ୍ତ୍ରୀ ବୈଠକ କରୁଛନ୍ତି, ବାବୁ ମାନୁନାହାନ୍ତି
ଲୋକସେବା ଭବନରୁ ବି ତନାଘନା ହେଉନାହିଁ
ଆଗକୁ ପ୍ରଭାବିତ ହୋଇପାରେ ବିକାଶ ପ୍ରକ୍ରିୟା
Sambad is now on WhatsApp
Join and get latest news updates delivered to you via WhatsApp
ଭୁବନେଶ୍ୱର : କରୋନା କାଳରେ ସବୁକିଛି ଠପ୍ ହୋଇଯାଇଥିଲା। ଏହା ସତ୍ତ୍ବେ ରାଜ୍ୟ ସରକାର ଭର୍ଚୁଆଲ ବା ଭିଡିଓ କନଫରେନ୍ସିଂ ଯୋଗେ କ୍ୟାବିନେଟ୍ ଠାରୁ ଆରମ୍ଭ କରି ବିଭିନ୍ନ ପ୍ରକଳ୍ପ ଶିଳାନ୍ୟାସ ପର୍ଯ୍ୟନ୍ତ ଅନେକ କାର୍ଯ୍ୟ କରିଛନ୍ତି। ନିଜେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ବି ଇତିମଧ୍ୟରେ ଏଭଳି ଶତାଧିକ ବୈଠକରେ ଯୋଗଦେବେଣି। ରାଜ୍ୟ ବିଧାନସଭାରେ ଅନେକ ସଦସ୍ୟ ଭର୍ଚୁଆଲରେ ରହି ଗୃହ କାର୍ଯ୍ୟରେ ଯୋଗଦେଉଛନ୍ତି।
ହେଲେ ଜିଲ୍ଲାସ୍ତରରେ ବାବୁମାନଙ୍କ ଉପରେ ଏହାର ଯେମିତି ସାମାନ୍ୟ ପ୍ରଭାବ ପଡିନାହିଁ। ଜିଲ୍ଲାପାଳମାନେ ଆଗ୍ରହ ଦେଖାଇନାହାନ୍ତି କି ରାଜସ୍ବ ଆୟୁକ୍ତ; ତାହା ଜାଣିବା ମୁସ୍କିଲ୍। କିନ୍ତୁ ସତ ହେଲା, କେଉଁଠି ତିନିବର୍ଷ ହେଲା ଆର୍ପିଡିଏସି (ପୁନର୍ବାସ ବା ଥଇଥାନ ଓ ପାରିପାର୍ଶ୍ବିକ ବିକାଶ ପରାମର୍ଶଦାତା କମିଟି) ବୈଠକ ବସିନି, ଆଉ କେଉଁଠି ପାଞ୍ଚବର୍ଷ। ‘ସମ୍ବାଦ’ ପକ୍ଷରୁ ରାଜ୍ୟର ସବୁ ଅଞ୍ଚଳରେ ଆର୍ପିଡିଏସି ବୈଠକର ସ୍ଥିତି ସଂପର୍କରେ ଜାଣିବା ଲାଗି ଉଦ୍ୟମ ହୋଇଥିଲା। ଯେଉଁ ରିପୋର୍ଟ ଆସିଛି, ତାହା ହୃଦୟ ଥରାଇ ଦେବା ଭଳି।
ଦକ୍ଷିଣାଞ୍ଚଳ ଆରଡିସିଙ୍କ ଅଧୀନସ୍ଥ ୧୦ଟି ଜିଲ୍ଲାରେ ୫୭ଟି ବୈଠକ ସ୍ଥାନରେ ମାତ୍ର ୧୫ଟି ହୋଇଛି। ଭର୍ଚୁଆଲରେ ବୈଠକ କରିବା ଲାଗି ସରକାର ସମସ୍ତଙ୍କୁ ଅନୁମତି ଦେଇଛନ୍ତି। ପ୍ରଶାସନର ଏଭଳି କାର୍ଯ୍ୟଧାରାରେ ଏସବୁ ଜିଲ୍ଲାରେ ଚାଲିଥିବା ୧୫ ଦୀର୍ଘମିଆଦୀ ପ୍ରକଳ୍ପର କାର୍ଯ୍ୟ କଣ ଦୌଡିବ? ଖଣିଖାଦାନ, ଶିଳ୍ପସମୃଦ୍ଧ ଜିଲ୍ଲା କେନ୍ଦୁଝରରେ କାନୁପୁର ପ୍ରକଳ୍ପ ପ୍ରଶାସନ ପାଇଁ ଚ୍ୟାଲେଞ୍ଜ। ଏଠି ବି ୩ବର୍ଷ ହେଲା ବୈଠକ ବସିନାହିଁ। ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳ ଓ ସଂଲଗ୍ନ ଅଞ୍ଚଳ ସ୍ଥିତି ଆହୁରି ସଙ୍ଗିନ୍। ୫ବର୍ଷ ହେଲା ବୈଠକ ବସିନି। ସମ୍ବଲପୁରରେ ନିଜେ ଉତ୍ତରାଞ୍ଚଳ ଆରଡିସି ରହୁଛନ୍ତି। ଚାରି ଚାରି ଜଣ ଆରଡିସି ଗଲେଣି, ବୈଠକ ବସୁନି।
ଆଚମ୍ବିତ ହେଲା ଭଳି କଥାଟି ହେଲା, ରାଜ୍ୟର ପ୍ରାୟ ସବୁ ଅଞ୍ଚଳରେ ଯେବେ ଏହି ନିୟମର ଖୋଲା ଉଲ୍ଲଂଘନ ଚାଲିଛି, ସେବେ ଲୋକସେବା ଭବନରେ ବସିଥିବା ମୁଖ୍ୟଶାସନ ସଚିବଙ୍କ ଠାରୁ ଆରମ୍ଭ କରି ବରିଷ୍ଠ ଅଧିକାରୀମାନେ ଏ ସଂପର୍କରେ ଜାଣିଛନ୍ତି କି ନାହିଁ, ଯଦି ଜାଣିଛନ୍ତି କି ପଦକ୍ଷେପ ନେଇଛନ୍ତି, ତାହା ବି ସମସ୍ତଙ୍କ ପାଇଁ ଅଜଣା। ବାବୁମାନଙ୍କୁ ଏଭଳି ଦାୟିତ୍ବହୀନତା ଲାଗି ଦଣ୍ଡ ଦିଆଯାଇଛି ବା ତାଗିଦ୍ କରାଯାଇଛି କି? ଯଦି କରାଯାଇଛି, ତା’ ପରେ ବି କେହି ମାନିନାହାନ୍ତି? ଏଭଳି ପ୍ରଶ୍ନ ବୁଦ୍ଧିଜୀବୀ ମହଲକୁ ଆନ୍ଦୋଳିତ କଲାଣି।
ଆହୁରି ଗୋଟିଏ ଗୁରୁତ୍ବପୂର୍ଣ୍ଣ ଦିଗ ହେଲା, ରାଜ୍ୟ ସରକାର ବିକାଶ ପ୍ରକ୍ରିୟାକୁ ତ୍ବରାନ୍ବିତ କରିବା ଲାଗି ଲୋକସେବା ଭବନରେ କସରତ ଚଳାଇଛନ୍ତି। ଓଡ଼ିଶାରେ ପୁଞ୍ଜିନିବେଶ ଲାଗି ଏବଂ ଭିତ୍ତିଭୂମିର ବିକାଶ ପାଇଁ ନକ୍ସା ପ୍ରସ୍ତୁତିରେ ବ୍ୟସ୍ତ। ଠିକ୍ ସେତିକି ବେଳେ ତାଙ୍କରି ପ୍ରଶାସନିକ ଅଧିକାରୀଙ୍କ ଏଭଳି ମନମାନି ଓ ବିସ୍ଥାପିତ ଅଥବା ପ୍ରଭାବିତଙ୍କ ପ୍ରତି କଠୋର ଆଭିମୁଖ୍ୟ ଏହି ପ୍ରକ୍ରିୟାକୁ ତ୍ବରାନ୍ବିତ କରିବ ନା ବିକାଶ ରାସ୍ତାରେ ବାଧକ ସାଜିବ?
କେବଳ ସେତିକି ନୁହେଁ, ପ୍ରଶାସନିକ ଅଧିକାରୀମାନେ ଏତେ ନିର୍ଦ୍ଦୟ କେମିତି ହେବେ? କରୋନା କାଳରେ ଯେବେ ସବୁକୁଛି ବିପର୍ଯ୍ୟୟ ମୁହଁକୁ ଠେଲି ହୋଇଯାଇଛି, ରାଜ୍ୟ ଅର୍ଥନୀତି ବି ଏଥିରୁ ବାଦ୍ ଯାଇନି, ସେ ସମୟରେ ବିଭିନ୍ନ ପ୍ରକଳ୍ପ ଲାଗି ବିସ୍ଥାପିତ ବା ପ୍ରଭାବିତ ହୋଇଥିବା ବ୍ୟକ୍ତିବିଶେଷ କିଭଳି ଅଛନ୍ତି, ଭଲରେ ନା ମନ୍ଦରେ ଏହା କେହି ଦେଖିବେନି? ସେମାନଙ୍କୁ ପୂର୍ବ ବୈଠକରେ ଦିଆଯାଇଥିବା ପ୍ରତିଶ୍ରୁତି ପାଳନ ହେଲା କି ନାହିଁ, ତାହାର ବି ସମୀକ୍ଷା ହେବନାହିଁ?
ନିୟମ ଅନୁସାରେ, ପ୍ରତି ତିନିମାସରେ ଆର୍ପିଡିଏସି ବୈଠକ ବସିବା କଥା। ଜିଲ୍ଲାପାଳ ଏହାର ଆବାହକ, ଆରଡିସି ନିଶ୍ଚିତ ଅଧ୍ୟକ୍ଷତା କରିବେ। କିନ୍ତୁ କାହା ଲାଗି ବୈଠକ ବସୁନାହିଁ? ଆରଡିସିମାନେ କାର୍ଯ୍ୟବ୍ୟସ୍ତ ନା ଜିଲ୍ଲାପାଳ? ପ୍ରତିଶ୍ରୁତି ଅନୁସାରେ କାର୍ଯ୍ୟ ହେଉନଥିବାରୁ ପ୍ରଶାସନ ମୁହଁ ଲୁଚାଉଛି କି?
ସରକାର ଏବେଠୁ ନ ହେଜିଲେ, ଆଗକୁ ନୂଆ ଓଡ଼ିଶା ଗଠନ କେବଳ ପ୍ରଭାବିତ ହେବ ତା ନୁହେଁ, ବିସ୍ଥାପିତ ତଥା କ୍ଷତିଗ୍ରସ୍ତମାନେ ଯଦି ଥରେ ପ୍ରଶାସନ ଉପରେ ବିଶ୍ବାସ ହରାନ୍ତି, ତେବେ ସାମଗ୍ରିକ ଭାବେ ରାଜ୍ୟର ବିକାଶ କାର୍ଯ୍ୟ ଠପ୍ ହୋଇଯାଇପାରେ, ଏଭଳି ଆଶଙ୍କାକୁ ଏଡ଼ାଇ ହେବ ନାହିଁ।