ଧରାକୋଟ : ନବଜାତ ପୁଅକୁ ଦେଖିବେ ବୋଲି ଖୁସି ମନରେ ଟ୍ରେନ୍ରେ ଭିଟାମାଟିକୁ ଆସୁଥିଲେ। ହେଲେ ବିଧିର ବିଧାନ କିଛି ଅଲଗା ଥିଲା। ହୃଦ୍ଘାତ ପରେ ନିମିଷକରେ ଜୀବନଦୀପ ଲିଭିଗଲା। ରେଳବାଇ ସୁରକ୍ଷା ବାହିନୀ (ଆରପିଏଫ୍)ରେ କାର୍ଯ୍ୟରତ ଗଞ୍ଜାମ ଜିଲ୍ଲା ଧରାକୋଟ ବ୍ଲକ୍ ଜଗମୋହନ ଗ୍ରାମର ଯବାନ ସୌଦାଗର ବିଶ୍ବାଳ (୩୭)ଙ୍କ ଏଭଳି ଦୁଃଖଦ ମୃତ୍ୟୁ ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି।
ଗ୍ରାମର ରଘୁନାଥ ବିଶ୍ବାଳ ଓ ସତ୍ୟ ବିଶ୍ବାଳଙ୍କ ଏକମାତ୍ର ପୁଅ ସୌଦାଗର ୨୦୧୭ରେ ଆରପିଏଫ୍ରେ ଚାକିରି ଜୀବନ ଆରମ୍ଭ କରିଥିବା ବେଳେ ଛତିଶଗଡ଼ ରାଜ୍ୟ କାମରୁଲ୍ରେ ପୋଷ୍ଟିଂ ହୋଇଥିଲା। ୧୪ ମାସ ତଳେ ସେ ସନ୍ଧ୍ୟାରାଣୀଙ୍କୁ ବିବାହ କରିଥିଲେ। ଗତବର୍ଷ ଡିସେମ୍ବର ମାସରେ ଏକ ଶିଶୁପୁତ୍ର ଜନ୍ମ ହୋଇଥିଲା। ଦେଢ଼ମାସର ପୁଅକୁ ଦେଖିବା ଲାଗି ଗ୍ରାମକୁ ଆସିବା ପାଇଁ ଗତ ୨୭ ତାରିଖରେ ସୌଦାଗର କାମରୁଲ୍ରୁ ଟ୍ରେନ୍ରେ ଚଢ଼ିଥିଲେ। ତେବେ ଦାନ୍ତେୱାଡ଼ା ରେଳ ଷ୍ଟେସନ୍ରେ ହଠାତ୍ ତାଙ୍କୁ ହୃଦ୍ଘାତ ହୋଇଥିଲା। ତୁରନ୍ତ ସୌଦାଗରଙ୍କୁ ନିକଟସ୍ଥ ଏକ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ଏହି ଖବର ପହଞ୍ଚିବା ପରେ ପତ୍ନୀ ସନ୍ଧ୍ୟାରାଣୀ ଓ ବାପାମାଆଙ୍କ ପାଦତଳୁ ମାଟି ଖସିଯାଇଥିଲା।
ଆଜି ସକାଳେ ସୌଦାଗରଙ୍କ ଶବକୁ କମାଣ୍ଡର୍ ଅଶୋକ କୁମାର ଯାଦବଙ୍କ ନେତୃତ୍ବରେ ଆମ୍ବୁଲାନ୍ସ୍ ଯୋଗେ ଭିଟାମାଟି ଜଗମୋହନ ଗ୍ରାମକୁ ଅଣାଯାଇଥିଲା। କାନ୍ଦବୋବାଳିରେ ଗାଁ ଦାଣ୍ଡ ଫାଟି ପଡ଼ିଥିଲା। ସତୀମଠ ନିକଟ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦାର ସହ ଅନ୍ତିମ ସଂସ୍କାର ସଂପନ୍ନ ହୋଇଥିଲା। ‘ସୌଦାଗର ଅମର ରହେ....’ ସ୍ଲୋଗାନ୍ରେ ପରିବେଶ ପ୍ରକମ୍ପିତ ହୋଇଉଠିଥିଲା। ଜିଲ୍ଲା ପରିଷଦ ସଭାପତି ଅଞ୍ଜଳି ସ୍ୱାଇଁ, ଜିଲ୍ଲା ପରିଷଦ ସଭ୍ୟ ପ୍ରତାପ ସ୍ୱାଇଁ, ସରପଞ୍ଚ ପ୍ରତିନିଧି ପ୍ରମୋଦ ମହାରଣା, ବିଜେଡି ନେତା ରବୀନ୍ଦ୍ର ଘୋଷ ଓ ଦିଲ୍ଲୀପ ସ୍ୱାଇଁଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଶୋକସନ୍ତପ୍ତ ପରିବାରକୁ ସମବେଦନା ଜଣାଇଥିଲେ। ଏକମାତ୍ର ରୋଜଗାରକ୍ଷମ ପୁଅକୁ ହରାଇ ପରିବାର ସଂପୂର୍ଣ୍ଣ ଭାବେ ଭାଙ୍ଗିପଡ଼ିଛି।