ଆର୍‌ପିଏଫ୍‌ରେ ପୂରଣ ହେବ ୯୭୩୯ ପଦବି

ଚନ୍ଦ୍ରଶେଖରପୁର : ଭାରତୀୟ ରେଳବାଇରେ ଯୁବବର୍ଗଙ୍କ ପାଇଁ ବ୍ୟାପକ ନିଯୁକ୍ତ ସୁଯୋଗ ରହିଛି। ଏହି କ୍ରମରେ ରେଳ ସୁରକ୍ଷା ବଳ (ଆର୍‌ପିଏଫ୍‌) ଓ ରେଳ ସୁରକ୍ଷା ସ୍ୱତନ୍ତ୍ର ବଳ (ଆର୍‌ପିଏସ୍‌ଏଫ୍‌)ରେ ସବ୍‌-ଇନ୍‌ସ୍ପେକ୍ଟର ଓ କନ୍‌ଷ୍ଟେବଳ ପାଇଁ ମୋଟ ୯୭୩୯ଟି ପଦବୀ ପୂରଣ ନିମନ୍ତେ ବିଜ୍ଞପ୍ତି ପ୍ରକାଶ ପାଇଛି। ଏସ୍‌ଆଇରେ ମୋଟ୍‌ ୧୧୨୦ଟି ପୋଷ୍ଟ ରହିଥିବା ବେଳେ ତନ୍ମଧ୍ୟରୁ ୮୧୯ଟି ପୁରୁଷ ଓ ୩୦୧ଟି ମହିଳାଙ୍କ ପାଇଁ ଉଦ୍ଦିଷ୍ଟ। ସେହିପରି ମୋଟ୍‌ ୮୬୧୯ଟି କନ୍‌ଷ୍ଟେବଳ ପଦ ମଧ୍ୟରୁ ୪୪୦୩ଟି ପୁରୁଷ ଓ ୪୨୧୬ ମହିଳାଙ୍କ ପାଇଁ ରହିଛି। ଜୁନ୍‌ ପହିଲାରୁ ୩୦ତାରିଖ ପର୍ଯ୍ୟନ୍ତ ଏନେଇ ଅନ୍‌ଲାଇନରେ ଆବେଦନ କରିହେବ। ସେହିପରି ସମଗ୍ର ଦେଶରେ ପୋଷ୍ଟ ଅଫିସ୍‌ ମାଧ୍ୟମରେ ଇଣ୍ଟରନେଟ୍‌ ଦ୍ୱାରା ଦେୟ ଆଦାୟ ପାଇଁ ରେଳବାଇ ଓ ଡାକସେବା ମଧ୍ୟରେ ଏକ ଚୁକ୍ତି ସ୍ୱାକ୍ଷରିତ ହୋଇଛି। ପ୍ରାର୍ଥୀମାନେ ପୋଷ୍ଟ ଅଫିସ୍‌ରେ ପାଉଣା ଜମା କରିବା ସହିତ ଚାଲାଣ ନମ୍ବର ନେଇ ପୁଣି ଅନଲାଇନ୍‌ରେ ଆବେଦନ କରିବାକୁ ହେବ। ପୂର୍ବତଟ ରେଳ ପ୍ରମୁଖ ବିତ୍ତ ପରାମର୍ଶଦାତା ରାଜ କୁମାର ମନେଚ୍ଚାଙ୍କ ଉପସ୍ଥିତିରେ ପୂର୍ବତଟ ରେଳ ପକ୍ଷରୁ ଆର୍‌ପିଏଫ୍‌ ଆଇଜି ଅତୁଲ କୁମାର ପାଠକ ଓ ଡାକ ସେବା ପକ୍ଷରୁ ସହାୟକ ନିର୍ଦ୍ଦେଶକ ଖଗେଶ୍ୱର ମଲ୍ଲିକଙ୍କ ମଧ୍ୟରେ ଏହି ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।

ସମ୍ବନ୍ଧିତ ଖବର