ରେଳ ସୁରକ୍ଷା ହେଲ୍‌ପ ଲାଇନ ନମ୍ବର ‘୧୮୨’ ଯୋଗୁଁ ଆର୍‌ପିଏଫ୍‌ ଫେରାଇଲାଣି ୫୪ ଲକ୍ଷ

୨୩୭ଟି ଲଗେଜ, ୩୧ ଲାପଟପ୍‌ ଓ ୯୬ ଫୋନ୍‌ ଉଦ୍ଧାର, ୨୬ ଲକ୍ଷରୁ ଅଧିକ ଟଙ୍କାର ସୁନା ଅଳଙ୍କାର ଫେରସ୍ତ ହୋଇଛି

ଭୁବନେଶ୍ବର : ରେଳ ଯାତ୍ରୀମାନଙ୍କ ବନ୍ଧୁ ଭାବେ କାମ କରୁଛି ରେଳ ସୁରକ୍ଷା ହେଲ୍‌ପ ଲାଇନ ନମ୍ବର ‘୧୮୨’। ଏହି ହେଲ୍ପଲାଇନ ନମ୍ବର ରେଳପଥ ସୁରକ୍ଷା ବଳ(ଆର୍‌ପିଏଫ୍‌) ଦ୍ୱାରା ପରିଚାଳିତ ହେଉଛି। ବ୍ୟାଗ, ଲଗେଜ ଓ ମନିପର୍ସଠାରୁ ଆରମ୍ଭ କରି ମୋବାଇଲ ଫୋନ୍‌, କମ୍ପ୍ୟୁଟର ଲାପଟପ୍‌, ସୁନା ଅଳଙ୍କାର, ଟଙ୍କା ଓ ଟ୍ରେନ୍‌ରେ ଛାଡ଼ିଯାଇଥିବା ଯାତ୍ରୀମାନଙ୍କ ଜିନିଷପତ୍ରକୁ ଉଦ୍ଧାର କରାଯିବା ସହ ସେଗୁଡିକୁ ଯାତ୍ରୀଙ୍କୁ ଫେରସ୍ତ କରାଯାଇଛି। ପୂର୍ବତଟ ରେଳପଥ ପରିସୀମା ମଧ୍ୟରୁ ୨୦୧୯ର ପ୍ରଥମ ୮ ମାସରେ ୫୪ ଲକ୍ଷ ଟଙ୍କାରୁ ଅଧିକ ମୂଲ୍ୟର ଜିନିଷପତ୍ର ଯାତ୍ରୀଙ୍କୁ ଫେରାଯାଇଛି। ଯାତ୍ରୀମାନେ ଛାଡ଼ିଯାଉଥିବା ବହୁ ମୂଲ୍ୟବାନ ସାମଗ୍ରୀ ସାଂଗକୁ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର, ପରିଚୟପତ୍ର, ଦସ୍ତାବିଜ ପ୍ରଭୃତି ଆରପିଏଫ୍‌ ଦ୍ୱାରା ‘୧୮୨’ ହେଲ୍ପ ଲାଇନ ଯୋଗୁଁ ଉଦ୍ଧାର ସମ୍ଭବ ହେଉଛି। ବିବାହ ସମ୍ବନ୍ଧୀୟ ସୁନା ଅଳଙ୍କାର ମଧ୍ୟ ଉଦ୍ଧାର କରାଯାଇ ଯାତ୍ରୀଙ୍କୁ ଫେରସ୍ତ ଦିଆଯାଇଛି। ଏଥିସହ ମୋବାଇଲ ଫୋନଗୁଡିକୁ ଉଦ୍ଧାର କରାଯାଇ ଫେରସ୍ତ କରାଯାଇଛି। ପୂର୍ବତଟ ରେଳପଥ ପକ୍ଷରୁ ମିଳିଥିବା ତଥ୍ୟ ଅନୁଯାୟୀ ୨୦୧୯ ଅଗଷ୍ଟ ମାସ ସୁଦ୍ଧା ‘୧୮୨’ ହେଲ୍ପ ଲାଇନ ମାଧ୍ୟମରେ ୩୧୦ଟି ଅଭିଯୋଗ ଉପରେ ସାମଗ୍ରୀ ଉଦ୍ଧାର ହୋଇଛି। ସେଥିମଧ୍ୟରୁ ୨୩୭ଟି ଲଗେଜ୍‌ ଓ ମନିପର୍ସ, ୯୬ଟି ମୋବାଇଲ ଓ ୩୧ଟି ଲାପଟପ୍‌ ଉଦ୍ଧାର କରାଯାଇଛି। ଏଥିସହ ୨୬ ଲକ୍ଷରୁ ଊର୍ଦ୍ଧ ଟଙ୍କାର ସୁନା ଅଳଙ୍କାର ଓ ୪ ଲକ୍ଷରୁ ଅଧିକ ନଗଦ ଟଙ୍କା ଉଦ୍ଧାର କରାଯାଇ ଯାତ୍ରୀମାନଙ୍କୁ ଫେରସ୍ତ ହୋଇଛି।

ପୂର୍ବତଟ ରେଳପଥର ଆରପିଏଫ୍‌ ପ୍ରମୁଖ ସୁରକ୍ଷା ଆୟୁକ୍ତ ରାଜା ରାମ ପ୍ରତ୍ୟେକ ଆରପିଏଫ୍‌ ପୋଷ୍ଟ୍‌ର କାର୍ଯ୍ୟଦକ୍ଷତାକୁ ପ୍ରତିଦିନ ସମୀକ୍ଷା କରୁଛନ୍ତି। ଏଥିପାଇଁ ଅନେକ ଯାତ୍ରୀ ରେଳବାଇର ଏହି କାର୍ଯ୍ୟ ପାଇଁ କୃତଜ୍ଞତା ଜଣାଇଛନ୍ତି। ପୂର୍ବତଟ ରେଳପଥ ଏହି କାର୍ଯ୍ୟକୁ ପୂର୍ଣ୍ଣ ଉତ୍ସାହର ସହ ଜାରି ରଖି ରେଳଯାତ୍ରୀ ଓ ଏହି ଅଞ୍ଚଳର ଲୋକମାନଙ୍କୁ ସେବା ପ୍ରଦାନ କରିବା ପାଇଁ ପ୍ରତିବଦ୍ଧ ବୋଲି ପ୍ରକାଶ କରିଛି। ରେଳଯାତ୍ରୀ ଓ ସାଧାରଣ ଜନତା ରେଳ ସୁରକ୍ଷା ହେଲ୍ପ ଲାଇନ ନମ୍ବର ‘୧୮୨’ କୁ ଡାଏଲ କରି ରେଳବାଇ ସୁରକ୍ଷା ସମ୍ବନ୍ଧୀୟ ଅଭିଯୋଗ କଲେ ତୁରନ୍ତ ପଦକ୍ଷେପ ନିଆଯାଇପାରିବ ‌ବୋଲି ପୂର୍ବତଟ ରେଳପଥ ପକ୍ଷରୁ କୁହାଯାଇଛି।

ସମ୍ବନ୍ଧିତ ଖବର