କୋଇଡ଼ା: ପ୍ରାୟ ଦୁଇମାସ ପୂର୍ବେ ଚୋରି ହୋଇଥିଲା ଡିଜେଲ୍। ଏହି ଚୋରିରେ ସମ୍ପୃକ୍ତ ଥିବା ସନ୍ଦେହରେ ଆର୍ପିଏଫ୍ ଉଠାଇନେଲା ଦୁଇଭାଇଙ୍କୁ। ରାତିସାରା ଥାନାରେ ରଖି ନିର୍ଯାତନା ଦେଲା। ଏହା ପରଦିନ ସନ୍ଧ୍ୟାରେ ଛାଡ଼ି ଦେଇଥିଲା ଦୁଇଭାଇଙ୍କୁ। ଗୁରୁତର ଦୁଇଭାଇ ଘରେ ପହଞ୍ଚିବା ପରେ ପରିବାର ଲୋକେ ନିର୍ଯାତନା ବିଷୟରେ ଶୁଣି ହତବାକ୍ ହୋଇପଡ଼ିଥିଲେ। ଗତକାଲି ଶୁକ୍ରବାର ଗୁରୁତର ଦୁଇଭାଇ ପୁଲିସର ଦ୍ବାରସ୍ଥ ହେବା ପରେ ପୁଲିସ ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତିକରିଛି। କିନ୍ତୁ ଅଭିଯୋଗର ୨୪ ଘଣ୍ଟା ବିତିଯାଇଥିଲେ ବି ମାମଲା ରୁଜୁ ହୋଇନି। ଏପରି ଘଟଣା ଦେଖିବାକୁ ମିଳିଛି କୋଇଡ଼ା ବ୍ଲକ୍ ଗୋପନା ପଞ୍ଚାୟତ ଛିଡ଼ାକୁଦର ଗ୍ରାମରେ।
ସୂଚନା ଅନୁସାରେ, ଅଗଷ୍ଟ ୧୨ରେ କୋଇଡ଼ା ବ୍ଲକ୍ ପାଟାସାହି ରେଳ ସାଇଡିଂରେ ରେଳଇଞ୍ଜିନ୍ରୁ ୭୦୦ ଲିଟର ଡିଜେଲ ଓ ଏକ ପଙ୍ଖା ଚୋରି ହୋଇଥିଲା। ଏହି ଘଟଣାରେ ସମ୍ପୃକ୍ତ ଥିବା ସନ୍ଦେହ କରି ଅକ୍ଟୋବର ୨ ତାରିଖ ବୁଧବାର ରାତିରେ ଆର୍ପିଏଫ୍ ଛିଡ଼ାକୁଦର ଗ୍ରାମରେ ପହଞ୍ଚି ଦୁଇଭାଇ ଦୁମ୍ବି ଇଚାଗୁଟୁ(୨୭) ଓ ଛୋଟେଲାଲ୍ ଇଚାଗୁଟୁ(୨୫)ଙ୍କୁ ଉଠାଇ ନେଇଥିଲେ। ସେମାନଙ୍କୁ ନିକଟସ୍ଥ ବିମଳାଗଡ଼ ଆର୍ପିଏଫ୍ କାର୍ଯ୍ୟାଳୟକୁ ନେଇ ଚୋରି କରିଛ; ମାନିଯାଅ କହି ଦିଆଯାଇଥିଲା ନିର୍ଯାତନା। ଦୁଇଭାଇଙ୍କ ଅଭିଯୋଗ ଅନୁଯାୟୀ ସେମାନଙ୍କୁ ଉଲଗ୍ନ କରି ବାଉଁଶ ବାଡ଼ିରେ ନିର୍ମମ ଭାବେ ପିଟିବା ପରେ ଗରମ ପାଣି ଢାଳୁଥିଲେ। ନିର୍ଯାତନା ସେତିକିରେ ସୀମିତ ନଥିଲା।
ବିଦ୍ୟୁତ୍ ଆଘାତ ଦେବା ସହ ସଣ୍ଡୁଆସିରେ ଆଙ୍ଗୁଠିକୁ ଟାଣିଲେ
ଥାନାରେ ଅଭିଯୋଗ କଲେ ପୀଡ଼ିତ
ବିଦ୍ୟୁତ୍ ଆଘାତ ଦେବା ସହ ଲୁହା ସଣ୍ଡୁଆସିରେ ଆଙ୍ଗୁଠିକୁ ଟାଣୁଥିଲେ। ଦୁଇଭାଇ ଚୋରି ବିଷୟରେ କିଛି ଜାଣିନଥିବା କହିଥିଲେ ବି ଏହାକୁ ଗ୍ରହଣ କରିନଥିଲେ। ସାରାରାତି ଉଭୟଙ୍କୁ ମାରିବା ପରେ ୩ ତାରିଖ ସନ୍ଧ୍ୟାରେ ଆର୍ପିଏଫ୍ ସେମାନଙ୍କୁ ଛାଡ଼ିଦେଇଥିଲା। ସେମାନେ ଘରେ ପହଞ୍ଚିବା ପରେ ନିଜ ସହିତ ହୋଇଥିବା ବର୍ବରତାକୁ ବଖାଣିଥିଲେ। ନ୍ୟାୟ ପାଇଁ ୪ ତାରିଖରେ କେ. ବଲାଙ୍ଗ ଥାନାରେ ପରିବାର ସହ ପହଞ୍ଚିଥିଲେ ଦୁଇଭାଇ। ପୁଲିସ ସେମାନଙ୍କୁ କେ. ବଲାଙ୍ଗ ଉପସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଛି। ଯଥାଶୀଘ୍ର ସୁସ୍ଥହେବା ପାଇଁ ସେମାନଙ୍କୁ ଉତ୍ତମ ଚିକିତ୍ସା ପ୍ରଦାନ କରାଯାଉଛି ବୋଲି ଡାକ୍ତର କହିଛନ୍ତି। ଅନ୍ୟପଟେ ପୁଲିସ ଏ ସମ୍ପର୍କରେ ଲିଖିତ ଅଭିଯୋଗ ପାଇଲା ପରେ ମଧ୍ୟ ୫ ତାରିଖ ସନ୍ଧ୍ୟାସୁଦ୍ଧା ମାମଲା ରୁଜୁ ହୋଇ ନଥିବା ଜଣାପଡ଼ିଛି।