ଭୁବନେଶ୍ବର : ଭାରତୀୟ ରେଳବାଇ ପକ୍ଷରୁ ଏହାର ୨୧ଟି ରେଳ ନିଯୁକ୍ତି ବୋର୍ଡ(ଆରଆରବି) ମାଧ୍ୟମରେ ପ୍ରାୟ ୧.୪ ଲକ୍ଷ ଖାଲି ପଦ ପୂରଣ ପାଇଁ ଡିସେମ୍ବର ୧୫ରୁ ୩ଟି ପର୍ଯ୍ୟାୟରେ ମେଗା ନିଯୁକ୍ତି ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି। ଯେଉଁଥିରେ ଦେଶର ବିଭିନ୍ନ ସହରରେ ୨.୪୪ କୋଟିରୁ ଅଧିକ ପ୍ରାର୍ଥୀ ଅଂଶଗ୍ରହଣ କରିବେ। ଏହି ପରୀକ୍ଷା ପରିଚାଳନା ପାଇଁ ରେଳବାଇ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି। ପରୀକ୍ଷାର ପ୍ରଥମ ପର୍ଯ୍ୟାୟ ଡିସେମ୍ବର ୧୫ରୁ ୧୮ତାରିଖ ପର୍ଯ୍ୟନ୍ତ ହେବାକୁ ଥିବା ବେଳେ ଡିସେମ୍ବର ୨୮ରୁ ୨୦୨୧ ମାର୍ଚ୍ଚ ମଧ୍ୟରେ ଦ୍ବିତୀୟ ପର୍ଯ୍ୟାୟ ଓ ତୃତୀୟ ନିଯୁକ୍ତି ପରୀକ୍ଷା ଏପ୍ରିଲ୍ରୁ ଜୁନ୍ ଶେଷ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ।
ଡିସେମ୍ବର ୧୫ରୁ ଆରମ୍ଭ ହେବାକୁ ଥିବା ପରୀକ୍ଷା ଲାଗି ପ୍ରାର୍ଥୀମାନେ ଆରଆରବି ଅଫିସିଆଲ୍ ୱେବସାଇଟ୍ରେ ପ୍ରଦତ୍ତ ଏକ ଲିଙ୍କ୍ ମାଧ୍ୟମରେ ସେମାନଙ୍କର ପରୀକ୍ଷା ସହର, ତାରିଖ ଓ ସ୍ଥାନାନ୍ତର ବିଷୟରେ ଇ-ମେଲ୍, ଏସ୍ଏମ୍ଏସ୍ ମାଧ୍ୟମରେ ସୂଚନା ପାଇପାରିବେ। ଇ-କଲ୍ ଚିଠି ଡାଉନଲୋଡ୍ କରିବା ପାଇଁ ଲିଙ୍କ୍ ସମସ୍ତ ଆରଆରବିର ଅଫିସିଆଲ୍ ୱେବସାଇଟ୍ରେ ପରୀକ୍ଷା ତାରିଖର ୪ ଦିନ ପୂର୍ବରୁ ଲାଇଭ୍ କରାଯିବ। କୋଭିଡ୍-୧୯କୁ ଦୃଷ୍ଟିରେ ରଖି ଆରଆରବିଗୁଡ଼ିକ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ହୋଇଛି। ସାମାଜିକ ଦୂରତା, ମାସ୍କ, ସାନିଟାଇଜର୍ ବ୍ୟବହାର ବାଧ୍ୟତାମୂଳକ କରାଯାଇଛି। ପ୍ରତିଦିନ ଦୁଇଟି ସିଫ୍ଟରେ ପରୀକ୍ଷା ପରିଚାଳନା କରିବାକୁ ସ୍ଥିର ହୋଇଛି। ପ୍ରାର୍ଥୀମାନେ ଯେପରି ନିଜ ନିଜ ରାଜ୍ୟରେ ରହି ପରୀକ୍ଷା ଦେଇପାରିବେ, ସେଦିଗରେ ଆରଆରବି ଦ୍ବାରା ପ୍ରୟାସ କରାଯାଉଛି। ଫଳରେ ପ୍ରାର୍ଥୀ ରାତାରାତି ଯାତ୍ରା କରି ସେମାନଙ୍କର ପରୀକ୍ଷା କେନ୍ଦ୍ରରେ ପହଞ୍ଚି ପାରିବେ। ମହିଳା ଓ ପିଡବ୍ଲ୍ୟୁଡି ପ୍ରାର୍ଥୀମାନେ ନିଜ ରାଜ୍ୟ ମଧ୍ୟରେ ରହିବେ। ଆବଶ୍ୟକ ଓ ସମ୍ଭବ ପ୍ରାର୍ଥୀଙ୍କ ଭ୍ରମଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ରେଳବାଇ ସ୍ୱତନ୍ତ୍ର ପରୀକ୍ଷା ଟ୍ରେନ୍ ଚଳାଇବ। ରାଜ୍ୟ ସରକାରଙ୍କ ସହାୟତା ପ୍ରଦାନ କରିବାକୁ ଅନୁରୋଧ କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/RRB-Exam-Calendar-2019-20-644x362-1.jpg)