ରାଉରକେଲା: ଚକ୍ରଧରପୁର ରେଳମଣ୍ଡଳ ଅନ୍ତର୍ଗତ ରାଉରକେଲା ଷ୍ଟେସନରେ ଚାଲିଥିବା ରୁଟ୍‌ ରିଲେ ଇଣ୍ଟରଲକିଂ ସିଷ୍ଟମ (ଆର୍‌ଆର୍‌ଆଇ) ନିର୍ଦ୍ଧାରିତ ସମୟ ମଧ୍ୟରେ ଶେଷ ହୋଇଛି। ଏଥିସହ ରାଉରକେଲା ଷ୍ଟେସନରେ ୬ ଓ ୭ ନଂ ପ୍ଲାଟଫର୍ମ କାର୍ଯ୍ୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। ବିଭାଗୀୟ ଉଚ୍ଚ ଅଧିକାରୀଙ୍କ ନିର୍ଦ୍ଦେଶକ୍ରମେ ଦ.ପୂ. ରେଳବାଇ ଜିଏମ୍‌ ଅନୀଲ କୁମାର ମିଶ୍ରା, ଚକ୍ରଧରପୁର ଡିଆର୍‌ଏମ୍‌ ଓ ଅନ୍ୟ ବରିଷ୍ଠ ଅଧିକାରୀ ଘନ ଘନ ରାଉରକେଲା ଷ୍ଟେସନ ଗସ୍ତ କରି ଚାଲିଥିବା କାର୍ଯ୍ୟର ତଦାରଖ କରିଥିଲେ। ନିର୍ମାଣଧୀନ ଠିକା ସଂସ୍ଥାକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବାକୁ ଦାଗିଦ୍‌ କରିଥିଲେ। ଆସନ୍ତା ୧୬ରେ ଆର୍‌ଆର୍‌ଆଇ ବ୍ୟବସ୍ଥାକୁ ଉଦ୍‌ଘାଟନ କରାଯିବ ବୋଲି ଜଣାପଡ଼ିଛି। ପ୍ଲାଟଫର୍ମ ନଂ ୬ ଓ ୭ର କାର୍ଯ୍ୟ ଶେଷ ହୋଇଥିବାରୁ ଏଣିକି ଟ୍ରାଫିକ୍‌ ସମସ୍ୟା ରହିବ ନାହିଁ।

Advertisment

ରାଉରକେଲା ଷ୍ଟେସନର ୧୧ ରେଳ ଲାଇନକୁ ଏକକାଳୀନ ସଂଚାଳନ କରିବାକୁ ସହଜ ହେବ। ୬ ଓ ୭ ନଂ ଦୁଇଟି ଅତିରିକ୍ତ ପ୍ଲାଟଫର୍ମ ତେୁ ରାଉରକେଲା ବାହାର ସିଗ୍‌ନାଲ ଯେମିତି କଲୁଙ୍ଗା, କାଂଶବାହାଲ, ବନ୍ଧମୁଣ୍ଡା, ଏ.କ୍ୟାବିନ୍‌, ଫଟାପାଇପ୍‌ ସିଗ୍‌ନାଲକୁ ଲମ୍ବା ସମୟ ଅପେକ୍ଷା କରିବାକୁ ପଡ଼ିବ ନାହିଁ। ଉଭୟ ମାଲଗାଡ଼ି ଓ ଏକ୍ସପ୍ରେସ୍‌ ଟ୍ରେନ୍‌ ଠିକ୍‌ ସମୟରେ ରାଉରକେଲା ଷ୍ଟେସନରେ ପହଞ୍ଚି ପାରିବ। ଟ୍ରେନ୍‌ରେ ଯାତ୍ରା କରୁଥିବା ଛାତ୍ର, ଶ୍ରମିକ, ସରକାରୀ କର୍ମଚାରୀ, ରୋଗୀ ଓ ସାଧାରଣ ଯାତ୍ରୀମାନଙ୍କୁ ଏଣିକି ଆଉ ଅସୁବିଧାରେ ସମ୍ମୁଖୀନ ହେବାକୁ ପଡ଼ିବ ନାହିଁ। ସୂଚନାଯୋଗ୍ୟ, ତୃତୀୟ ରେଳଲାଇନ, ଇଣ୍ଟରଲକିଂ ଓ ସିଗ୍‌ନାଲ ବ୍ୟବସ୍ଥା ଆଦି କାର୍ଯ୍ୟର ଉନ୍ନତୀକରଣ ପାଇଁ ଗତ ସେପ୍ଟେମ୍ବର ୩୦ରୁ ଅକ୍ଟୋବର ୧୫ ପର୍ଯ୍ୟନ୍ତ ରାଉରକେଲା ଷ୍ଟେସନ ଦେଇ ରେଳସେବା ବନ୍ଦ ରହିଥିଲା।

କେବଳ କିଛି ଟ୍ରେନ୍‌କୁ ଯାତାୟତ ପାଇଁ ଅନୁମତି ମିଳିଥିଲା। ଏହି ସମୟ ମଧ୍ୟରେ ବିଭିନ୍ନ ଦିନରେ ଭିନ୍ନଭିନ୍ନ ଏକ୍ସପ୍ରେସ୍‌, ପାସେଞ୍ଜର ଓ ବନ୍ଦେ ଭାରତ ଆଦି ଟ୍ରେନ୍‌କୁ ମିଶାଇ ପ୍ରାୟ ୬୬ଟି ଟ୍ରେନ୍‌ ବାତିଲ ହୋଇଛି। ଏକକାଳୀନ ଏତେ ସଂଖ୍ୟକ ଟ୍ରେନ୍‌ ବାତିଲ ହୋଇଥିବାରୁ ଟିକଟ୍‌ ବୁକିଂ କରିଥିବା ଓ ଦୂର ସ୍ଥାନକୁ ଯିବାକୁ ଚାହୁଁଥିବା ହଜାରହଜାର ଯାତ୍ରୀଙ୍କୁ ନାହିଁ ନଥିବା ଅସୁବିଧାରେ ସମ୍ମୁଖୀନ ହେବାକୁ ପଡୁଛି। ଟାଟାନଗର, ସିନି, ରାଜଖରସୁଆଁ, ଚକ୍ରଧରପୁର, ଗୋଏଲକେରା, ମନୋହରପୁର, ରାଉରକେଲା, ରାଜଗାଙ୍ଗପୁର, ଝାରସୁଗୁଡ଼ା ଆଦି ଷ୍ଟେସନ ଦେଇ ଦୈନିକ ଯାତାୟତ କରୁଥିବା ଟ୍ରେନ୍‌ଗୁଡ଼ିକ ଆସନ୍ତା ୧୫ ତାରିଖ ପର୍ଯ୍ୟନ୍ତ ବାତିଲ ରହିବ।