୫୯୪ ପ୍ରକାର ଧାନକୁ ନେଇ ଚାଲିଛି ଗବେଷଣା
୪୪ ପ୍ରକାର ବାସନା ଧାନକୁ ଚାଷୀ ଅନୁକୂଳ କରିବାକୁ ପ୍ରୟାସ
ଜୟପୁର : ଚାଷୀଙ୍କୁ ହସାଇବ ହର୍ସନ୍ତ। କୋରାପୁଟ ଜିଲ୍ଲାର ଖରିଫ ଋତୁରେ ଲାଗୁଥିବା ଚକଡା ପୋକକୁ ଦମନ କରି ଦେବ ଭଲ ଅମଳ। ତାହା ପୁଣି ଅନ୍ୟ ଧାନ ତୁଳନାରେ ଅପେକ୍ଷାକୃତ ଅଧିକ ଅମଳ। ଜୟପୁରରେ ରହିଥିବା ଆଞ୍ଚଳିକ କୃଷି ଗବେଷଣା ଓ ବୈଷୟିକ ଜ୍ଞାନ ପ୍ରସାରଣ ଉପକେନ୍ଦ୍ରରେ ତିନି ବର୍ଷ ହେବ ଚାଲିଛି ଗବେଷଣା। କୋରାପୁଟ ଜିଲ୍ଲାରେ ଲାଗୁଥିବା ଚକଟା ପୋକକୁ ହତ କରିବାକୁ ଆସିଛି ନୂଆ ପ୍ରଜାତି ଧାନ। ଏହି ଧାନ ହେକ୍ଟର ପିଛା ପ୍ରାୟ ୫୫ କୁଇଣ୍ଟାଲ ଧାନ ଅମଳ ଦେବ। ଏହି ଧାନର ନାମ ହେଉଛି ‘ହର୍ସନ୍ତ’।
ଓଡ଼ିଶା କୃଷି ଓ ବୈଷୟିକ ବିଶ୍ବବିଦ୍ୟାଳୟ ପକ୍ଷରୁ ଏହି ଧାନକୁ ଗବେଷଣା କରାଯାଇ ଉତ୍ପନ୍ନ କରାଯାଇଥିବାବେଳେ ଏହାକୁ କୋରାପୁଟରେ ତିନିବର୍ଷ ହେବ ତନ୍ନତନ୍ନ କରି ପରୀକ୍ଷା କରାଯାଉଛି। ଗତ ତିନିବର୍ଷ ହେବ ଅନ୍ୟ ଧାନ ବଦଳରେ ଏହି ଧାନ ଅଧିକ ଅମଳକ୍ଷମ ହେବା ସହ ଚକଟାରୋଗ ନିରୋଧୀଭାବେ ସାବ୍ୟସ୍ତ ହୋଇଛି। ୬ଟି ଋତୁରେ ଏହି ଧାନକୁ ପରୀକ୍ଷା କରାଯାଇଥିବା ବେଳେ ମଧ୍ୟମ ଓ ଖାଲୁଆ ଜମିରେ ଖରିଫ ଋତୁରେ ଏହା ଅଧିକ ଅମଳକ୍ଷମ ସାବ୍ୟସ୍ତ ହୋଇଛି। ୧୫୦ ଦିନରେ ଏହି ଧାନ ଅମଳ ହେଉଥିବାବେଳେ ଅନ୍ୟ ଧାନ ତୁଳନାରେ ଏହି ଧାନକୁ ଚକଟା ତା’ ଆଁରେ ଧରିପାରୁନି ବୋଲି କହିଛନ୍ତି କୃଷିବୈଜ୍ଞାନିକ ମିହୀର ରଞ୍ଜନ ମହାନ୍ତି। ଏହି ଧାନ ଅନ୍ୟ ଜିଲ୍ଲାରେ ଭଲ ପ୍ରଦର୍ଶନ କରିଥିବାବେଳେ କୋରାପୁଟ ଜିଲ୍ଲାର ପାଣିପାଗକୁ ସୁହାଇବକି ନାହିଁ ବୋଲି ପ୍ରଥମେ ଚିନ୍ତାରେ ରହିଥିଲେ। ତେବେ ଏହି ଧାନ କୋରାପୁଟ ଜିଲ୍ଲାର କେବଳ ଖରିଫ ଋତୁରେ ହିଁ ଭଲ ଅମଳ ଦେଉଛି। ଅନ୍ୟ ଋତୁରେ ଏହି ଧାନ ଭଲ ଅମଳ ଅପେକ୍ଷାକୃତ ଭାବେ କମ ରହୁଥିବା ବୈଜ୍ଞାନିକ କହିଛନ୍ତି।
ଅନ୍ୟପକ୍ଷରେ ଏହି ଉପକେନ୍ଦ୍ରରେ ଅବିଭକ୍ତ କୋରାପୁଟ ଜିଲ୍ଲାର ୪ଟି ଜିଲ୍ଲାରେ ଦେଖାଯାଉଥିବା ଚକଡା ପୋକ ଉପଦ୍ରବକୁ ସମାଧାନ କରାଯିବାକୁ ବ୍ୟବସ୍ଥା ଗ୍ରହଣ କରାଯାଉଛି। ଏହାସହ ୧୦ ହେକ୍ଟର ପରିମିତ ଏହି କେନ୍ଦ୍ରରେ ୫୯୦ ପ୍ରଜାତି ଦେଶୀ ଓ ବିଦେଶୀ ଧାନର ଗବେଷଣା କରାଯାଉଛି। ସେଥିମଧ୍ୟରେ ପ୍ରମୁଖ ରହିଛି ୪୪ପ୍ରକାର ଦେଶୀ ବାସନା ଧାନ। ଏହି ଧାନ ମଧ୍ୟରେ ରହିଛି କଳାଜୀରା, ଚଟିଆନାକୀ, କର୍ପୁରକାନ୍ତି, ବଡ ଧାନ, ହୀରାଖଣ୍ଡି, ତୁଳସୀଖଣ୍ଡି, ମୁକ୍ତାବାଲି, ଲୋକଟିମାଚି, ଦୁଧମଣି, ବାସୁଆଭୋଗ, କଲିକତି ଓ ଆଗରମତି ପାରି ବାସନାଧାନ। ଏହି ଧାନଗୁଡିକ ବହୁ ଉଚ୍ଚା ଗଛ ହେଉଥିବାରୁ ଟିକେ ପବନରେ ଗଛ ଭାଙ୍ଗିପଡୁଛି। ଏହି ଧାନଗୁଡିକୁ ଛୋଟ ଗଛ କରାଯିବାକୁ ଗବେଷେଣା କରାଯାଉଛି। ଏହାସହ ଚାରି ଜିଲ୍ଲାର ଚାଷୀ କିପରି ଏହି ବାସନାଧାନକୁ ଚାଷ କରିବେ ସେଥିପାଇଁ ଗବେଷଣା କରାଯାଉଛି। ଏହି ଧାନକୁ ମୁଖ୍ୟତଃ ମହିଁଷାରୋଗ ଧରୁଥିବାବେଳେ ଥଣ୍ଡାଦିନେ ଏହା ଚାଷ ହୋଇପାରୁନାହିଁ। ଖାଲୁଆ ଜମିରେ ଏହି ପ୍ରାୟ ଧାନ ହେଉଥିବାବେଳେ ରୋଗପୋକ ଦାଉ ସାଧୁଛି। ଏହାକୁ ରୋକିବାକୁ ପ୍ରୟାସ ଜାରି ରହିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି। ଏହାସହ ଏହି ଉପକେନ୍ଦ୍ରରେ ରାଜ୍ୟ ପ୍ରଦତ୍ତ ପ୍ରଜାତି, କେନ୍ଦ୍ର ପ୍ରଦତ୍ତ ପ୍ରଜାତି ଓ ଆନ୍ତଃଜାତୀୟ ପ୍ରଜାତିର ଧାନ ଗବେଷଣା କରାଯାଉଛି।କେନ୍ଦ୍ର ଓ ରାଜ୍ୟ ପ୍ରଜାତିର ଶତାଧିକ ଧାନ ଗବେଷଣା କରାଯାଉଥିବାବେଳେ ଅର୍ନ୍ତଜାତୀୟ ପ୍ରଜାତିର ଆଇଆର-୬୪, ଆଇଆରଆରଆଇ-୧୮୧, ଆଇଆରଆରଆଇ-୧୦୪, ଆଇଆରଆରଆଇ-୧୭୪, ଆଇଆରଆରଆଇ-୧୮୦ ଓ ଆଇଆର-୩୮ ପ୍ରମୁଖ ପ୍ରଜାତି ରହିଛି।