ଟ୍ରାଫିକ୍ ନିୟମ ନ ମାନି ବାଇକ୍ ଚଳାଇବା ମହଙ୍ଗା ପଡ଼ିଲା, ଚାଳକଙ୍କୁ ୧.୧୩ ଲକ୍ଷ ଟଙ୍କା ଜରିମାନା  

ରାୟଗଡ଼ା: ନୂତନ ମଟର ଯାନ ଆଇନକୁ ନେଇ କଠୋର ହେଉଛି ପରିବହନ ବିଭାଗ। ଯାଞ୍ଚକୁ କଡାକଡ଼ି ସହିତ ନିୟମ ଉଲ୍ଲଂଘନକାରୀଙ୍କ ବିରୁଦ୍ଧରେ ‌ନେଉଛି ଆଖିଦୃଶିଆ ପଦକ୍ଷେପ। ବାହାର ରାଜ୍ୟରୁ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଆଣି ରାୟଗଡ଼ାରେ ଟ୍ରାଫିକ୍ ନିୟମ ନ ମାନି ଚଲାଉଥିବା ବାଇକ ଚାଳକକୁ ପରିବହନ ବିଭାଗ ଟ୍ରାଫିକ୍ ଇନସପେକ୍ଟର୍ ୧ ଲକ୍ଷ ୧୩ ହଜାର ୫ ଶହ ଟଙ୍କାର ଫାଇନ୍ କରିଛନ୍ତି।

ସରକାର ନୂଆ ବର୍ଷରୁ ଟ୍ରାଫିକ୍ ନିୟମକୁ କଡାକଡ଼ି କରିବା ପରେ ସାରା ଜିଲ୍ଲାରେ ପରିବହନ ଓ ପୁଲିସ୍ ପକ୍ଷରୁ ଯାନ ବାହନ ଯାଞ୍ଚକୁ ଜୋରଦାର୍ କରାଯାଇଛି। ସହରର ଡିଆଇବି ଛକରେ ଆଜି ଯାଞ୍ଚ ଚାଲିଥିବା ବେଳେ ବାଇକରେ ବୁଲି ଡ୍ରମ ବ୍ୟବସାୟ କରୁଥିବା ମଧ୍ୟପ୍ରଦେଶ ଅମରପୁରର ପ୍ରକାଶ ବନଜରାକୁ ପୁଲିସ୍ ଧରିଥିଲା। ପ୍ରକାଶ ହେଲମେଟ୍ ପିନ୍ଧିନଥିବା ବେଳେ ଚଲାଉଥିବା ବାଇକର ରେଜିଷ୍ଟ୍ରେସନ୍ ନଂ ନଥିଲା। ପ୍ରକାଶ ବାଇକ ମଧ୍ୟପ୍ରଦେଶରୁ କିଣିବା ପରେ ରେଜିଷ୍ଟ୍ରେସନ୍ ନ କରି ରାୟଗଡ଼ା ନେଇ ଆସି ଏଠାରେ ବ୍ୟବସାୟରେ ଲଗାଇଥିଲେ। ପରିବହନ ବିଭାଗର ଯାଞ୍ଚରେ ଧରା ପଡ଼ିବା ପରେ ବିନା ରେଜିଷ୍ଟ୍ରେସନରେ ଗାଡ଼ି ଚଲାଇବା, ଡ୍ରାଇଭିଂ ଲାଇସେନସ୍, ଇନସ୍ୟୁରାନସ୍ ନଥିବା, ହେଲମେଟ୍ ପିନ୍ଧିନଥିବା କାରଣ ଦର୍ଶାଇ ୧ ଲକ୍ଷ ୧୩ ହଜାର ୫୦୦ ଟଙ୍କାର ଜରିମାନା କଟାଯାଇଛି। ନୂତନ ମଟର ଯାନ ଆଇନ କାର୍ଯ୍ୟକାରୀ ପରେ ବାଇକ ଚାଳକଙ୍କ ନିକଟରୁ ଏତେ ଟଙ୍କା ଫାଇନ୍ ଆଦାୟ ହେବା ରାୟଗଡ଼ାରେ ପ୍ରଥମ ଘଟଣା। ପରିବହନ ବିଭାଗ ଟ୍ରାଫିକ୍ ଇନସପେକ୍ଟର୍ ଯୁଧିଷ୍ଠିର ଲେଙ୍କାଙ୍କ ସମେତ ସହକାରୀ ଏମଭିଆଇ ଆର. କେ. ବେହେରା, ଟ୍ରାଫିକ୍ ଏଏସଆଇ ସି. କେ. ପାତ୍ର ପ୍ରମୁଖ ଯାନବାହନ ଯାଞ୍ଚରେ ସାମିଲ୍ ହୋଇଥିଲେ। ନୂତନ ଆଇନକୁ ମାନିବା ସହ ଫାଇନ୍ ଏଡାଇବା ଲାଗି ଗାଡ଼ି ଚଲାଇବା ସମୟରେ ହେଲମେଟ୍ ପିନ୍ଧିବା, ଆବଶ୍ୟକ କାଗଜପତ୍ର ଠିକ୍ ରଖିବାକୁ ଚାଳକକୁ ନିବେଦନ କରିଛନ୍ତି ଜିଲ୍ଲା ପରିବହନ ଅଧିକାରୀ ଦିଲ୍ଲୀପ କୁମାର ଦଳାଇ।

ସମ୍ବନ୍ଧିତ ଖବର