ଫାଇନାନ୍ସ କର୍ମଚାରୀଙ୍କ ଠାରୁ ୧.୨୦ ଲକ୍ଷ ଟଙ୍କା ଲୁଟ୍ ଅଭିଯୋଗ

ବୈପାରିଗୁଡା:କୋରାପୁଟ ଜିଲ୍ଲା ବୈପାରିଗୁଡ଼ା ଅଞ୍ଚଳରେ ଜଣେ ଫାଇନାନ୍ସ କର୍ମଚାରୀଙ୍କ ଠାରୁ ଏକ ଲକ୍ଷ କୋଡିଏ ହଜାର ଟଙ୍କା ଲୁଟ୍ ହୋଇଥିବା ନେଇ ଅଭିଯୋଗ ହୋଇଛି। ଏହି ବ୍ଲକ ଅନ୍ତର୍ଗତ ଦୋରାଗୁଡା ପଞ୍ଚାୟତର ଲେପାଗୁଡା ଠାରୁ ଫିୟୁଜ୍ଅନ୍ କମ୍ପାନିର କର୍ମଚାରୀ ମନ ହରିଜନ (୨୮) ଏକ ଲକ୍ଷ କୋଡିଏ ହଜାର ଟଙ୍କା ଆଦାୟ କରି ଜୟପୁର ଫେରୁଥିବା ବେଳେ ମୁଣ୍ଡାଗୁଡା ନିକଟରେ ଲୁଟର ଶୀକାର ହୋଇଛନ୍ତି।

ତେବେ କର୍ମଚାରୀଙ୍କ କହିବା ଅନୁଯାୟୀ ଦୋରାଗୁଡା ପଞ୍ଚାୟତର ଲେପାଗୁଡା ଲକ୍ଷେ କୋଡ଼ିଏ ହଜାର ଟଙ୍କା ଆଦାୟ କରି ରାତି ସାଢ଼େ ଦଶଟାରେ ଫେରୁଥିବା ବେଳେ ମୁଣ୍ଡାଗୁଡା ନିକଟରେ ଜଙ୍ଗଲ ଭିତରୁ ଦୁଇ ଜଣ ଯୁବକ ବାହାରି ତାଙ୍କୁ ଅଟକେଇବା ପାଇଁ ଚେଷ୍ଟା କଲେ। ସେ ଭୟରେ ଗାଡ଼ିର ଗତି ବଢେଇ ଦେଇ ଆଗକୁ ଯିବାକୁ ଚେଷ୍ଟା କଲା ବେଳକୁ ସାମ୍ନା ପଟରୁ ଗୋଟିଏ ବାଇକରେ ଦୁଇ ଜଣ ଆସି ତାଙ୍କ ବାଇକକୁ ଧକ୍କା ଦେଲେ। ଏଥିରେ ମନ ହରିଜନ ତଳେ ପଡ଼ିଯାଇଥିଲେ। ସମସ୍ତେ ମିଶି ମନକୁ ଠେଙ୍ଗା ସହ ଆକ୍ରମଣ କରିଥିଲେ, ଯାହାଫଳରେ ମନର ମୁଣ୍ଡ ଫାଟିବା ସହ ଦେହ ସାରା ଆଘାତ ଲାଗିଛି ଏବଂ ତାଙ୍କ ଠାରୁ ବ୍ୟାଗରେ ଥିବା କାଗଜ ପତ୍ର ସହ ଟଙ୍କା ଲୁଟି ନେଲେ।

ତେବେ ସେ ବିକଳରେ ଚିତ୍କାର କରିବା ଶୁଣି ମୁଣ୍ଡାଗୁଡା ଗାଆଁ ଲୋକ ଏବଂ ତାଙ୍କ ସହିତ ନିରଂଜନ ଜେନା ଘଟଣାସ୍ଥଳରେ ଆସି ପହଞ୍ଚିଲେ, ତାଙ୍କର ଅବସ୍ଥା ଦେଖି ନିରଂଜନ ନିଜ ବୁଲେଟରେ ବୈପାରିଗୁଡା ମେଡିକାଲରେ ଆଣି ଚିକିତ୍ସା ପାଇଁ ଭର୍ତ୍ତି କରିଛନ୍ତି। ପୁଲିସ ଘଟଣା ଶୁଣି ମେଡିକାଲରେ ପହଞ୍ଚି ଘଟଣାର ତଦନ୍ତ କରୁଛନ୍ତି।

ସମ୍ବନ୍ଧିତ ଖବର