ବ୍ରହ୍ମପୁର : ଅନ୍ଲାଇନ୍ରେ ସାମଗ୍ରୀ କିଣିବା ବେଳେ ସାଇବର୍ ଠକ ଜାଲରେ ପଡ଼ିଛନ୍ତି ଜଣେ ମହିଳା ଗ୍ରାହକ। ଉପହାର ଲୋଭ ଦେଖାଇ ସାଇବର୍ ଠକ କୌଶଳ କ୍ରମେ ସମ୍ପୃକ୍ତ ଗ୍ରାହକଙ୍କ ଠାରୁ ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା ଠକି ନେବାରେ ସକ୍ଷମ ହୋଇଛି। ଏ ନେଇ ମହିଳା ଜଣକ ସାଇବର ଥାନାରେ ଅଭିଯୋଗ କରିବା ପରେ ପୁଲିସ କେସ୍ ନମ୍ବର ୩/୨୩ରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ ଆମ୍ବପୁଆରେ ରହୁଥିବା ଜଣେ ମହିଳାଙ୍କ ନିକଟକୁ ଗତମାସ ୨୪ତାରିଖରେ ଜଣେ ଅଜଣା ଯୁବକ ଫୋନ୍ କରିଥିଲା। ଏକ ନିର୍ଦ୍ଦିଷ୍ଟ ଅନ୍ଲାଇନ୍ ସାମଗ୍ରୀ କିଣାବିକା ସଂସ୍ଥାରୁ କହୁଥିବା ନେଇ ବ୍ୟକ୍ତି ଜଣକ ନିଜର ପରିଚୟ ଦେଇଥିଲା। ପୂର୍ବରୁ ମହିଳା ଜଣକ ସେହି ସଂସ୍ଥା ଜରିଆରେ କିଛି ସାମଗ୍ରୀ ମଗାଇଥିଲେ। ଏଣୁ ସେ ସନ୍ଦେହ କରିବାର ଅବକାଶ ନଥିଲା। ୫ହଜାର ଟଙ୍କାରୁ ଅଧିକ ମୂଲ୍ୟର ସାମଗ୍ରୀ କିଣିଲେ ମାଗଣା ଉପହାର ଯୋଜନା ଥିବା ନେଇ ଫୋନ୍ କରିଥିବା ବ୍ୟକ୍ତି ଜଣକ କହିଥିଲେ। ଫଳରେ ମହିଳା ଜଣକ କିଛି ସାମଗ୍ରୀ କିଣିବା ପାଇଁ ଟଙ୍କା ପଠାଇଥିଲେ। ହେଲେ ଟଙ୍କା ମିଳି ନଥିବା ସେହି ବ୍ୟକ୍ତି ଜଣକ କହିବାରୁ ସେ ପୁଣିଥରେ ଟଙ୍କା ପଠାଇଥିଲେ। ଏଭଳି ବିଭିନ୍ନ ପର୍ଯ୍ୟାୟରେ ଅନ୍ଲାଇନ୍ରେ ପ୍ରାୟ ୧ଲକ୍ଷ ୨୦ହଜାର ଟଙ୍କା ସେ ପଠାଇଥିଲେ। ଟଙ୍କା ପଠାଇବା ପରେ ମଧ୍ୟ ତାଙ୍କୁ କୌଣସି ସାମଗ୍ରୀ ମିଳି ନଥିଲା। ଫୋନ୍ ଆସିଥିବା ସେହି ନମ୍ବରରେ ଯୋଗଯୋଗ କଲେ ମଧ୍ୟ କୌଣସି ଉତ୍ତର ମିଳି ନଥିଲା। ଶେଷରେ ମହିଳା ଜଣକ ସାଇବର୍ ଠକେଇର ଶିକାର ହୋଇଥିବା ଜାଣି ଥାନାରେ ଅଭିଯୋଗ କରିଥିଲେ। ପୁଲିସ ଏ ନେଇ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।