ଧର୍ମଶାଳା : ଭିଜିଲାନ୍ସ ଜାଲରେ ପଡ଼ିଛନ୍ତି ଯାଜପୁର ଜିଲ୍ଲା ଅନ୍ତର୍ଗତ ଧର୍ମଶାଳା ସବରେଜିଷ୍ଟ୍ରାର ଅଫିସର ଜଣେ କୋଟିପତି କନିଷ୍ଠ କିରାଣି। ସେ ହେଉଛନ୍ତି ରତ୍ନାକର ମହାନ୍ତି। ତାଙ୍କ ଘରୁ ପ୍ରାୟ କୋଟିଏ ୩୦ ଲକ୍ଷ ଟଙ୍କାର ଆୟ ବହିର୍ଭୂତ ସମ୍ପତ୍ତି ଠାବ କରାଯାଇଛି।
ଆଜି କଟକ ଭିଜିଲାନ୍ସ ପକ୍ଷରୁ ଏକକାଳୀନ ୬ଟି ସ୍ଥାନରେ ଚଢ଼ଉ କରାଯାଇଥିଲା। ଚହଟାରେ ଥିବା ଘର, ଜାରକା ବରଜୁ ନଗରରେ ଥିବା ଏକମହଲା କୋଠା, ଜାରକାଠାରେ ଥିବା ହୋଟେଲ ଆକାଶ, ବଡ଼ ମଙ୍ଗଳପୁରରେ ଥିବା ମାର୍କେଟ କମ୍ପ୍ଲେକ୍ସ, ଚାନ୍ଦପୁରର ଥିବା ସମ୍ପର୍କୀୟଙ୍କ ଘର ସମେତ ଅଫିସରେ ଚଢ଼ଉ କରାଯାଇଥିଲା। ଚଢ଼ଉ ବେଳେ ୨୪ ଲକ୍ଷ ୬୮ ହଜାର ୬୦୮ ଟଙ୍କାର ଦୁଇ ମହଲା କୋଠା, ୬ ଲକ୍ଷ ୯ହଜାର ୩୫୮ ଟଙ୍କାର ଦୁଇ ଦୁଇଟି ମାର୍କେଟ କମ୍ପ୍ଲେକ୍ସ, ୧୫ଲକ୍ଷ ୬୨ ଜହାର ୭୩୩ ଟଙ୍କାର ଏକ ହୋଟେଲ, ୫ଲକ୍ଷ ୫୨ ହଜାର ଟଙ୍କାର ଏକ ପ୍ଲଟ୍, ଗୋଟିଏ ଚାରିଚକିଆ ଗାଡ଼ି, ବିଭିନ୍ନ ବ୍ୟାଙ୍କରେ ଥିବା ୧୬ ଲକ୍ଷ ୭୯ ହଜାର ୯୪୩ ଟଙ୍କା, ୭ଲକ୍ଷ ୪୨ ହଜାର ୧୬୦ ଟଙ୍କାର ସୁନା ଅଳଙ୍କାର, ନଗଦ ୮ ଲକ୍ଷ ୨୭ ହଜାର ୦୫୮ ଟଙ୍କା, ବିଭିନ୍ନ ବ୍ୟାଙ୍କରେ ଥିବା ୧୬ ଲକ୍ଷ ୭୯ ହଜାର ୯୪୩ ଟଙ୍କା, ଏକ ଲକ୍ଷ ୪୨ହଜାର ୮୨୭ ଟଙ୍କାର ତିନି ତିନିଟି ମଟର ସାଇକଲ ଠାବ କରାଯାଇଛି। ସ୍ବତନ୍ତ୍ର ଭିଜିଲାନ୍ସ କୋର୍ଟ କଟକଙ୍କ ନିର୍ଦେଶ କ୍ରମେ କଟକ ଭିଜିଲାନ୍ସ ଡିଭିଜନ ପକ୍ଷରୁ ଏହି ଚଢ଼ଉ କରାଯାଇଥିଲା।
ଯାଜପୁର ଓ କେନ୍ଦ୍ରାପଡା ଜିଲ୍ଲା ଭିଜିଲାନ୍ସ ବିଭାଗ ପକ୍ଷରୁ ୭ଟି ଟିମ୍ ଗଠନ କରାଯାଇ ଏହି ଚଢଉ କରାଯାଇଥିଲା। ରାତି ୮ଟା ପର୍ଯ୍ୟନ୍ତ ଚଢଉ ଜାରି ରହିଥିଲା। ବର୍ତମାନ ସୁଦ୍ଧା ମୋଟ ୧କୋଟି ୨୯ଲକ୍ଷ ୩୫ହଜାର ୫୭୪ଟଙ୍କା ମୂଲ୍ୟର ସଂପତ୍ତି ଠାବ ହୋଇଥିବା କଟକ ଭିଜିଲାନ୍ସ ଡିଭିଜନ୍ ଏସ୍ପି ଶଶିଭୂଷଣ ମିଶ୍ର ସୂଚନା ଦେଇଛନ୍ତି।