ଚାକିରି କରାଇ ଦେବା ନାଁରେ ଆଦିବାସୀ ଯୁବକଙ୍କ ଠାରୁ ଠକିନେଲେ ୧.୩୦ ଲକ୍ଷ ଟଙ୍କା

କୋରାପୁଟ: ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ) ଓ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କ୍ ନାମରେ ଆଦିବାସୀ ଯୁବକଙ୍କୁ ଠକ‌େଇ।  ୬ଟି ପର୍ଯ୍ୟାୟରେ ୧ଲକ୍ଷ ୩୦ ହଜାର ଟଙ୍କା ଠକେଇର ଶିକାର ହୋଇଥିବା ନେଇ ଆଜି କୋରାପୁଟ ସାଇବର ଥାନାରେ ଅଭିଯୋଗ ହୋଇଥିବାବେଳେ ନ୍ୟାୟ ମାଗୁଛନ୍ତି ଲମତାପୁଟ ବ୍ଲକ ଅନ୍ତର୍ଗତ ଦେଉଳଗୁଡ଼ା ଗ୍ରାମର ବାବୁଲା ପୂଜାରୀ।

ମିଳିଥିବା ସୂଚନା ମୁତାବକ ତାପସ ଦାସ ନାମକ ଜନୈକ ବ୍ୟକ୍ତି ନିଜକୁ ବଲାଙ୍ଗୀର ଉତ୍କଳ ଗ୍ରାମ୍ୟ ବ୍ୟାଙ୍କର ଜଣେ ଅଫିସର ବୋଲି ପରିଚୟ ଦେଇ କୋରାପୁଟ ଜିଲ୍ଲାର ଲମତାପୁଟ ବ୍ଲକ ଅନ୍ତର୍ଗତ ଦେଉଳଗୁଡ଼ା ଗ୍ରାମର ବାବୁଲା ପୂଜାରୀଙ୍କୁ ଫୋନ୍ କରି ସେ ବ୍ୟାଙ୍କରେ ଚାକିରି ପାଇଛନ୍ତି ବୋଲି କହିଥିଲେ ।  କିଛିଦିନ ପରେ ପୋଷ୍ଟ ଯୋଗେ ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକସନ (ଆଇବିପିଏସ) ଖାମରେ ତାଙ୍କୁ କାଶୀପୁର ବ୍ୟାଙ୍କରେ  ନିଯୁକ୍ତି ମିଳିଥିବା ପତ୍ର ମଧ୍ୟ ପହଞ୍ଚିଥିଲା । ଶ୍ରୀ ପୂଜାରୀ ଆଗରୁ ବ୍ରହ୍ମପୁର ଯାଇ ଏକ ବ୍ୟାଙ୍କ୍ ପରୀକ୍ଷା ଦେଇଥିବା ଯୋଗୁଁ ଏହା ସେହି ପରୀକ୍ଷାର ଫଳାଫଳ ଭାବି ଶ୍ରୀ ଦାସ ଙ୍କ କହିବା ମୁତାବକ ପ୍ରଥମେ ନିଜ ଇ-ମେଲ ଠିକଣା ଦେବା ସହ  କାଶୀପୁର ପରିବର୍ତ୍ତେ ନନ୍ଦପୁର ବ୍ୟାଙ୍କରେ ନିଯୁକ୍ତି ପାଇବା ପାଇଁ ପର୍ଯ୍ୟାୟ କ୍ରମେ ୧.୩ ଲକ୍ଷ ଟଙ୍କା ତାଙ୍କୁ ପଠାଇଥିଲେ।

କିଛିଦିନ ପରେ ନନ୍ଦପୁର ସ୍ଥିତ ଉତ୍କଳ ଗ୍ରାମ୍ୟ ବ୍ୟାଙ୍କରେ ଯୋଗ ଦେବା ପାଇଁ ତାପସ ଦାସ ନିର୍ଦ୍ଦେଶ ଦେବା ପରେ ପୋଷ୍ଟ ରେ ପାଇଥିବା ନିଯୁକ୍ତି ପତ୍ରକୁ ନେଇ ଶ୍ରୀ ପୂଜାରୀ ଯେତେବେଳେ ନନ୍ଦପୁର ରେ ବ୍ୟାଙ୍କର ଶାଖାରେ ପହଞ୍ଚିଲେ, ସେତିକିବେଳେ ତାଙ୍କ ନିଯୁକ୍ତି ପତ୍ର ଯେ ନକଲି, ସେକଥା ଜାଣିପାରି ଥିଲେ । ବାପା-ମା’ଙ୍କୁ ପିଲାଟିବେଲୁ ହରାଇ ବସିଥିବା ବାବୁଲାଙ୍କ  ପାଇଁ ଏପରି ଏକ ଠକାମୀର ଶିକାର ହେବା ତାଙ୍କ ମେରୁଦଣ୍ଡକୁ  ଦୋହଲାଇ ଦେଇଛି। ସାଙ୍ଗ ସାଥିଙ୍କ ଠାରୁ ଧାର ଉଧାର କରି ଟଙ୍କା ଯୋଗାଡ କରିଥିବା ବାବୁଲା ବର୍ତ୍ତମାନ କୋରାପୁଟ ଜିଲ୍ଲା ସାଇବର ସେଲରେ ଅଭିଯୋଗ କରିଛନ୍ତି । ତେବେ ଠକାମୀର ଶିକାର ହୋଇ ହରାଇ ବସିଥିବା ଟଙ୍କା ଫେରିନପାଇଲେ ସାଙ୍ଗସାଥୀଙ୍କୁ କିପରି ଧାରରେ ନେଇଥିବା ଟଙ୍କା ଫେରାଇବେ ସେ ନେଇ ତାଙ୍କୁ ଚିନ୍ତା ଘାରିଛି ।

ସମ୍ବନ୍ଧିତ ଖବର