ବ୍ୟାଙ୍କରୁ ୧.୩୧ କୋଟି ହଡ଼ପ ଘଟଣା : ୫ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲ୍‌ , ୨୭ ଲକ୍ଷ ଜରିମାନା

ଜରିମାନା ଅନାଦେୟ ଭୋଗିବେ ଅଧିକ ୪ ବର୍ଷ ଜେଲ୍‌, ବ୍ୟାଙ୍କ ଅଫିସର ଶତରୂପା ଥିଲେ ମାଷ୍ଟରମାଇଣ୍ଡ୍‌

ବାରିପଦା : ଜଳନିଧି ଯୋଜନାରେ ହିତାଧିକାରୀଙ୍କୁ ଲକ୍ଷେ ଟଙ୍କାର ସହାୟତା ରାଶି ପ୍ରଦାନକୁ ନେଇ ୨୦୧୨-୧୩ ମସିହାରେ ମୟୂରଭଞ୍ଜ ଜିଲ୍ଲା ଝାରପୋଖରିଆସ୍ଥିତ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାରେ ହୋଇଥିଲା ୧ କୋଟି ୩୧ ଲକ୍ଷ ଟଙ୍କାର ଘୋଟାଲା। ବହୁଚର୍ଚ୍ଚିତ ଏହି ବ୍ୟାଙ୍କ ଜାଲିଆତି ମାମଲାର ଆଜି ରାୟ ଶୁଣାଇଛନ୍ତି ବାରିପଦା ଚିଫ୍‌ ଜୁଡିସିଆଲ୍‌ ମାଜିଷ୍ଟ୍ରେଟ୍‌ (ସିଜେଏମ୍‌) ବିକାଶ ଚନ୍ଦ୍ର ଦେ। ଏହି ଘଟଣାରେ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ଓ ଜଣେ ମହିଳା ଅଫିସରଙ୍କୁ ମିଶାଇ ମୋଟ ୫ ଜଣ ଅଭିଯୁକ୍ତଙ୍କୁ ୧୪ ବର୍ଷ ଲେଖାଏଁ ଜେଲଦଣ୍ଡାଦେଶ ହୋଇଛି। ଏଥିସହିତ ଅଭିଯୁକ୍ତଙ୍କୁ ୨୭ ଲକ୍ଷ ଟଙ୍କା ଲେଖା ଜରିମାନା ରାଶି ଜମା କରିବାକୁ ରାୟରେ ଉଲ୍ଲେଖ ରହିଛି। ଜରିମାନା ଅନାଦେୟ ଅଭିଯୁକ୍ତମାନେ ଅଧିକ ୪ ବର୍ଷ ଲେଖା ଜେଲ୍‌‌ ଦଣ୍ଡ ଭୋଗିବେ। ଜରିମାନା ଅର୍ଥ ସଂପୃକ୍ତ ବ୍ୟାଙ୍କ୍‌ ଶାଖାରେ ଜମା କରାଯିବାକୁ ସିଜେଏମ୍‌ ଆଦେଶ ଦେଇଛନ୍ତି। କୋର୍ଟରେ ଦଣ୍ଡିତ ହୋଇଥିବା ଅଭିଯୁକ୍ତମାନେ ହେଲେ ବ୍ୟାଙ୍କର ତତ୍କାଳୀନ ଶାଖା ପରିଚାଳକ ଗିରିଜା ଶଙ୍କର ମିଶ୍ର, ତତ୍କାଳୀନ କ୍ଷେତ୍ର ଅଧିକାରିଣୀ (ଫିଲ୍‌ଡ ଅଫିସର) ଶତରୂପା ମହାନ୍ତି, ଓରିଏଣ୍ଟାଲ୍‌ ମେସିନାରୀ ସପ୍ଲାୟରର ଦୁଇ ପରିଚାଳକ ତଥା ସମ୍ପର୍କରେ ବାପ-ପୁଅ ବଙ୍ଗାଳି ଜେନା ଓ ସୁଶାନ୍ତ ଜେନା ଏବଂ ଜଣେ ଏଜେଣ୍ଟ ସତ୍ୟାନନ୍ଦ ପାତ୍ର।

ଝାରପୋଖରିଆ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାର ମ୍ୟାନେଜର ସୀତାକାନ୍ତ ମହାନ୍ତିଙ୍କ ଅଭିଯୋଗକ୍ରମେ ଏ ନେଇ ଥାନାରେ ମାମଲା ରୁଜୁ ହୋଇଥିଲା। ପରବର୍ତ୍ତୀ ସମୟରେ କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲ୍ୟୁ) ଏହାର ତଦନ୍ତ ଭାର ନେଇଥିଲା। ପାଣି ମୋଟର ପମ୍ପ ଯୋଗାଉଥିବା ଓରିଏଣ୍ଟାଲ୍‌ ମେସିନାରୀ ସପ୍ଲାୟର ପରିଚାଳକ ବଙ୍ଗାଳୀ ଜେନା ଏବଂ ତାଙ୍କ ପୁଅ ସୁଶାନ୍ତ ଜେନା ଜଳନିଧି ଯୋଜନାରେ ସ୍ଥାନୀୟ ଅଞ୍ଚଳର ୧୩୧ ଜଣ ଚାଷୀଙ୍କୁ ଋଣ ଯୋଗାଇବାକୁ କହି ଝାରପୋଖରିଆ ବ୍ୟାଙ୍କ୍‌ ଅଫ୍‌ ଇଣ୍ଡିଆ ଶାଖାରୁ ୧ କୋଟି ୩୧ ଲକ୍ଷ ଟଙ୍କା ଋଣ ଉଠାଇଥିଲେ। ମାତ୍ର ଏହି ଟଙ୍କାକୁ କୌଣସି ଚାଷୀଙ୍କୁ ନଦେଇ ଆତ୍ମସାତ୍‌ କରିଦେଇଥିଲେ। ଏହି ଦୁର୍ନୀତିରେ ବାପ-ପୁଅଙ୍କୁ ବ୍ୟାଙ୍କର ତତ୍କାଳୀନ ମ୍ୟାନେଜର ଗିରିଜା ଶଙ୍କର ମିଶ୍ର, କ୍ଷେତ୍ର ଅଧିକାରିଣୀ ଶତରୂପା ମହାନ୍ତି ସହଯୋଗ କରିଥିବାବେଳେ ଏଜେଣ୍ଟ୍‌ ସତ୍ୟାନନ୍ଦ ମହାନ୍ତି ଚାଷୀମାନଙ୍କ ସହିତ ଯୋଗସୂତ୍ର ସାଜିଥିଲେ। ତେବେ ହିତାଧିକାରୀମାନେ ଉକ୍ତ ଯୋଜନାରେ କୌଣସି ଆର୍ଥିକ ସହାୟତା ପାଇନଥିବା ଅଭିଯୋଗ କଲା ପରେ ଘଟଣାର ଖୋଳତାଡ଼ ଆରମ୍ଭ ହୋଇଥିଲା। ଏହି ଆର୍ଥିକ ହେରଫେର ମାମଲାରେ ବଙ୍ଗାଳୀ ଜେନା ଓ ତାଙ୍କ ପୁଅ ସୁଶାନ୍ତ ଗିରଫ ହୋଇ ଜେଲ୍‌ ଯାଇଥିଲେ। ଦୁଇ ବ୍ୟାଙ୍କ ଅଧିକାରୀ ଗିରିଜା ଶଙ୍କର ଏବଂ ଶତରୂପାଙ୍କୁ ବ୍ୟାଙ୍କରୁ ବହିଷ୍କାର କରାଯିବା ସହିତ ପରେ ଗିରଫ କରାଯାଇଥିଲା। ସେହିପରି ଏଜେଣ୍ଟ୍‌ ସତ୍ୟାନନ୍ଦ ମଧ୍ୟ ଗିରଫ ହୋଇଥିଲେ। ଆଜି ଚୂଡ଼ାନ୍ତ ରାୟ ପୂର୍ବରୁ ବଙ୍ଗାଳୀ ଓ ସୁଶାନ୍ତଙ୍କୁ ଛାଡ଼ି ଅନ୍ୟ ୩ ଜଣ ଜାମିନରେ ମୁକୁଳିଥିଲେ। ଉକ୍ତ ବାପପୁଅ ଗତ ୫ ବର୍ଷ ହେଲା ଜେଲ୍‌ରେ ଅଛନ୍ତି। ରାୟ ପରେ ଅନ୍ୟ ୩ ଜଣଙ୍କୁ ଜେଲ୍‌ ପଠାଇ ଦିଆଯାଇଛି। ଇଓଡବ୍ଲ୍ୟୁ ପକ୍ଷରୁ ବରିଷ୍ଠ ପୁଲିସ ଅଧିକାରୀ ଗିରିଜା ଶଙ୍କର ଚକ୍ରବର୍ତ୍ତୀ ଏହି ଆର୍ଥିକ ଅନିୟମିତତାର ତଦନ୍ତ କରିଥିବା ବେଳେ ସରକାରଙ୍କ ପକ୍ଷରୁ ଭାରପ୍ରାପ୍ତ ଅତିରିକ୍ତ ପିପି ସନ୍ତୋଷ କୁମାର ପୃଷ୍ଟି ମାମଲା ପରିଚାଳନା କରିଥିଲେ।

ଉଲ୍ଲେଖଯୋଗ୍ୟ, ସରକାରଙ୍କ ଜଳନିଧି ଯୋଜନାରେ ସେତେବେଳେ ଚାଷୀଙ୍କୁ ନିଜ ଜମିରେ ଜଳସେଚନ ସୁବିଧା ନିମନ୍ତେ ବୋରୱେଲ୍‌ ଆଦି ଖୋଳିବା ନିମନ୍ତେ ୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଉଥିଲା। ଆଉ ଏହି ୧ ଲକ୍ଷରୁ ୫୦ ହଜାର ଟଙ୍କା ସବ୍‌ସିଡି ମିଳୁଥିଲା। ଫଳରେ ଚାଷୀଙ୍କୁ ମାତ୍ର ୫୦ ହଜାର ଟଙ୍କା ଶୁଝିବାକୁ ପଡ଼ୁଥିଲା। ଏହି ଯୋଜନା ସମ୍ପର୍କରେ ଜାଣି ଅଭିଯୁକ୍ତ ବାପପୁଅ ୧୩୧ ଜଣ ହିତାଧିକାରୀଙ୍କୁ ସହାୟତା ଯୋଗାଇ ଦେବା ନିମନ୍ତେ ଝାର‌ପୋଖରିଆ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାର ଦ୍ବାରସ୍ଥ ହୋଇଥିଲେ। ନିଜର ଏକ ସଂସ୍ଥା ଓରିଏଣ୍ଟାଲ୍‌ ମେସିନାରୀ ସପ୍ଲାୟର ମାଧ୍ୟମରେ ଚାଷୀଙ୍କୁ ଏହି ଯୋଜନାର ଲାଭ ଦେବାକୁ ବ୍ୟାଙ୍କ ସହିତ ବୁଝାମଣା କରିଥିଲେ। ମାତ୍ର ଏଜେଣ୍ଟ୍‌, ତତ୍କାଳୀନ ବ୍ୟାଙ୍କ ମ୍ୟାନେଜର ଓ କ୍ଷେତ୍ର ଅଧିକାରିଣୀଙ୍କ ସହିତ ମିଶି ସମସ୍ତେ ହିତାଧିକାରୀଙ୍କ ଆର୍ଥିକ ସହାୟତା ରାଶିକୁ ଚଳୁ କରିଦେଇଥିଲେ।

ବ୍ୟାଙ୍କ ଅଫିସର ଶତରୂପା ଥିଲେ ମାଷ୍ଟରମାଇଣ୍ଡ୍‌, ଅନ୍ୟତମ ଅଭିଯୁକ୍ତ ସୁଶାନ୍ତଙ୍କୁ କରିଥିଲେ ବିବାହ
ଜଳନିଧି ଯୋଜନାରେ ଚାଷୀଙ୍କୁ ସହାୟତା ରାଶି ନଦେଇ ସବୁ ଟଙ୍କା ହଡ଼ପ କରିବା ପଛରେ କାମ କରିଥିଲା ଝାରପୋରିଆ ବ୍ୟାଙ୍କ ଅଫ୍‌ ଇଣ୍ଡିଆ ଶାଖାର ତତ୍କାଳୀନ କ୍ଷେତ୍ର ଅଧିକାରିଣୀ ଶତରୂପା ମହାନ୍ତିଙ୍କ ଚତୁର ମସ୍ତିଷ୍କ। ଓରିଏଣ୍ଟାଲ୍‌ ମେସିନାରୀ ସପ୍ଲାୟର ସଂସ୍ଥାର ଅନ୍ୟତମ ପରିଚାଳକ ସୁଶାନ୍ତ ଜେନାଙ୍କୁ ଏହି ବିପୁଳ ଆର୍ଥିକ ଅନିୟମିତତା ସମୟରେ ହିଁ ସେ ବିବାହ କରିଥିଲେ। ଚାଷୀଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖା ଉଠାଯିବ, ମାତ୍ର ଉକ୍ତ ଅର୍ଥକୁ କାହାକୁ ନ ଦେଇ ଚଳୁ କରିବାକୁ ନକ୍ସା ତିଆରି କରିଥିଲେ ଶତରୂପା। ବ୍ୟାଙ୍କ୍‌ରେ ଚାକିରି କରୁଥିବାରୁ ସେ ଏହି ଯୋଜନାକୁ ବେଶ୍‌ ଚତୁରତାର ସହିତ ଅଭିଯୁକ୍ତ ବାପପୁଅଙ୍କ ସହିତ କାର୍ଯ୍ୟକାରୀ କରିଥିଲେ। ତତ୍କାଳୀନ ବ୍ୟାଙ୍କ ମ୍ୟାନେଜରଙ୍କୁ ହାତ କରି ରଚାଯାଇଥିଲା ସମସ୍ତ ଯୋଜନା। ଏହି ଘଟଣା ସେତେବେଳେ ସମଗ୍ର ରାଜ୍ୟରେ ଚାଞ୍ଚଲ୍ୟ ସୃଷ୍ଟି କରିଥିଲା। ଆଉ ଟଙ୍କା ଲୁଟ୍‌ର ମସୁଧା କରୁ କରୁ ଅଭିଯୁକ୍ତମାନେ ପରସ୍ପରକୁ ବିବାହ କରିବା ମଧ୍ୟ ବେଶ୍‌ ରୋଚକ ପରିସ୍ଥିତି ସୃଷ୍ଟି କରିଥିଲା।

ସମ୍ବନ୍ଧିତ ଖବର