ଲୋକଙ୍କ ଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ, ଆରକ୍ଷୀ ଅଧୀକ୍ଷକଙ୍କୁ ଅଭିଯୋଗ

ଖୋର୍ଦ୍ଧା: ବାଣପୁର ଥାନା ଅନ୍ତର୍ଗତ ସାନହନ୍ତୁଆଡ଼ ଗ୍ରାମର ଏକ ଦମ୍ପତି ଗ୍ରାମର କେତେକ ଲୋକଙ୍କ ଠାରୁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ଧାର ନେଇ ନଶୁଝି ଫେରାର୍ ହୋଇଯାଇଥିବା ଘଟଣାରେ ପୁଲିସ ନିଷ୍କ୍ରିୟତା ଅଭିଯୋଗ କରି ଖଲିକୋଟ ଓ ବାଣପୁରର ବିଭିନ୍ନ ଗାଁର ମହିଳାମାନେ ଜିଲ୍ଳାପାଳ ଓ ଆରକ୍ଷୀ ଅଧୀକ୍ଷକଙ୍କ ଦ୍ୱାରସ୍ଥ ହୋଇଛନ୍ତି ।

ଗତକାଲି ପ୍ରାୟ ୧୨ଜଣ ମହିଳାଙ୍କ ଏକ ପ୍ରତିନିଧି ଦଳ ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତୀଙ୍କୁ ସାକ୍ଷାତ କରି ଏନେଇ ଅଭିଯୋଗ କରିଥିଲେ । ଏହାପରେ ଜିଲ୍ଳାପାଳ ସେମାନଙ୍କୁ ଖୋର୍ଦ୍ଧା ଆରକ୍ଷୀ ଅଧୀକ୍ଷକଙ୍କ ସହ ସାକ୍ଷାତ କରିବାକୁ ପରାମର୍ଶ ଦେଇଥିଲେ । ମହିଳାମାନେ ଆରକ୍ଷୀ ଅଧୀକ୍ଷକଙ୍କୁ ସାକ୍ଷାତ କରି ଘଟଣା ସମ୍ପର୍କରେ ଜଣାଇଛନ୍ତି । ସେମାନଙ୍କ ଅଭିଯୋଗ ହେଲା, ତାଙ୍କ ଗାଁର ସୁଦର୍ଶନ ପ୍ରଧାନ ଓ ଝୁନୁବାଳା ପ୍ରଧାନ ୧୦୦ଜଣ ମହିଳାଙ୍କ ଠାରୁ ବିଭିନ୍ନ ସମୟରେ ଲକ୍ଷାଧିକ ଟଙ୍କା ନେଇଥିଲେ । ଯାହାର ପରିମାଣ ପ୍ରାୟ ଦେଢ଼ କୋଟି ଟଙ୍କା ହେବ । ଗତ ମାସ ୧୨ ତାରିଖରେ ଗଂଜାମ ଖଲିକୋଟ ଲଙ୍ଗଳେଶ୍ୱରର ମମତା ସାହୁ ନାମ୍ନୀ ଜଣେ ମହିଳା ବାଣପୁର ଥାନାରେ ଝୁନୁବାଳାଙ୍କ ନାମରେ ଅଭିଯୋଗ କରିଥିଲେ । ସେ ଅଭିଯୋଗରେ ଦର୍ଶାଇଥିଲେ ଯେ ଝୁନୁବାଳା ତାଙ୍କ ଠାରୁ ୧ ବର୍ଷ ପୂର୍ବେ ୨ଲକ୍ଷ ୫୦ ହଜାର ଟଙ୍କା ହାତଉଧାରୀ ନେଇଥିଲେ । ପରେ ଏହାକୁ ସେ ଫେରାଇବାକୁ କହିବାାରୁ ତାଙ୍କୁ ଗାଳିଗୁଲଜ କରିଥିଲେ । କେବଳ ମମତା ନୁହନ୍ତି ଆଖପାଖ ଗାଁର ଶତାଧିକ ମହିଳାଙ୍କ ନିକଟରୁ ଏଭଳି ଟଙ୍କା ନେଇ ସେ ଫେରାର୍ ହୋଇଯାଇଛନ୍ତି ।

ମହିଳାଙ୍କ କହିବା କଥା ହେଲା ପୁଲିସ ସେମାନଙ୍କ ଅଭିଯୋଗ ଉପରେ ଏକ ମାମଲା ରୁଜୁ କରିଥିଲେ ମଧ୍ୟ ସେମାନଙ୍କ ବିରୋଧରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିନାହିଁ । ସେମାନଙ୍କ ଝିଅ, ଜ୍ୱାଇଁ ଗାଁରେ ରହୁଛନ୍ତି ସେମାନେ ମଧ୍ୟ ଏହି ଟଙ୍କା ହଡ଼ପରେ ସାମିଲ ଅଛନ୍ତି ବୋଲି ଅଭିଯୋଗ କରିଛନ୍ତି । ଆରକ୍ଷୀ ଅଧୀକ୍ଷକ ବାଣପୁର ଏସ୍ଡିପିଓଙ୍କୁ ଏନେଇ ତଦନ୍ତ କରି ରିପୋର୍ଟ ଦେବାକୁ ନିଦେ୍ର୍ଦଶ ଦେଇଥିବା କାର୍ଯ୍ୟାଳୟ ସୂତ୍ରରୁ ଜଣାଯାଇଛି ।

ସମ୍ବନ୍ଧିତ ଖବର