ଧାନକିଣି ୮ ବର୍ଷ ହେଲା ଯୋଗାଣ ନିଗମର ଦେଢ଼ କୋଟି ବାକି; ଖିଲାପି ମିଲର୍‌ ଓ ଅଧିକାରୀଙ୍କୁ ସୁରକ୍ଷା ଦେଉଛି କିଏ?

ସ୍ବତନ୍ତ୍ର ଅଡ଼ିଟ୍‌ରେ ଗଫଲାତି ଧରା ପଡ଼ିଥିଲା, ଫୌଜଦାରି କାର୍ଯ୍ୟାନୁଷ୍ଠାନ ନିର୍ଦ୍ଦେଶ ମାନୁନି ଯୋଗାଣ ବିଭାଗ

ବ୍ରହ୍ମପୁର: ଉତ୍ପାଦିତ ଫସଲର ଉଚିତ ପ୍ରାପ୍ୟ ଦେବା ଲାଗି ସରକାର ପ୍ରତି ବର୍ଷ ଯୋଗାଣ ନିଗମ ଜରିଆରେ ଚାଷୀଙ୍କଠାରୁ ଧାନ କିଣୁଛନ୍ତି। କେତେ ଜଣ ବିଭାଗୀୟ କର୍ମଚାରୀଙ୍କ ମନମୁଖୀ କାର୍ଯ୍ୟ ଏବଂ କିଛି ଚାଉଳ କଳ ମାଲିକଙ୍କ ଖାମଖିଆଲି ମନୋବୃତ୍ତି ଲାଗି ନିଗମ ଧାନ କିଣି କ୍ଷତି ସହୁଛି। ଗତ ୮ବର୍ଷ ତଳେ ଅର୍ଥାତ (୨୦୧୨–୧୩ ଏବଂ ୨୦୧୩–୧୪)ଗଞ୍ଜାମ ଜିଲ୍ଲାରେ ଧାନ କିଣାରେ ବ୍ୟାପକ ଅନିୟମିତତା ହୋଇଥିଲା। ଜିଲ୍ଲାର ପ୍ରାୟ ୭ ଜଣ ମିଲର୍‌ ଧାନ ନେଇ ଉପଯୁକ୍ତ ପରିମାଣ ଚାଉଳ ଫେରାଇ ନ ଥିଲେ। ଦେଢ଼ କୋଟିରୁ ଊର୍ଦ୍ଧ୍ବ ମୂଲ୍ୟର ଚାଉଳ ଦେଇ ନ ଥିଲେ। ସ୍ବତନ୍ତ୍ର ଅଡ଼ିଟ୍ ତାହାକୁ ଧରିବା ପରେ ଖିଲାପି ମିଲର୍‌ଙ୍କ ଠାରୁ ଉକ୍ତ ଚାଉଳ ବାବଦ ଅର୍ଥ ଆଦାୟ କରିବା ଲାଗି ରାଜ୍ୟ ଯୋଗାଣ ନିଗମ ଜିଲ୍ଲା ଯୋଗାଣ ବିଭାଗକୁ ୨ ବର୍ଷ ହେଲା ବାରମ୍ବାର ଚିଠି ଲେଖୁଛି। ସମ୍ପୃକ୍ତ ମିଲର୍‌ଙ୍କ ବିରୋଧରେ ଫୌଜଦାରୀ ମାମଲା ରୁଜୁ କରିବା ସହ ଅର୍ଥ ଆଦାୟ ଲାଗି ସାଟିଫିକେଟ୍‌ କେସ କରିବାକୁ ନିର୍ଦ୍ଦେଶ ଦେଇଛି। ସେ ସମୟରେ ଦାୟିତ୍ବରେ ଥିବା ଯୋଗାଣ ବିଭାଗ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବାରମ୍ବାର ଚିଠି ଲେଖୁଛି। କିନ୍ତୁ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଗତ ଦୁଇ ବର୍ଷ ମଧ୍ୟରେ ୧୦ ଥରରୁ ଅଧିକ ଚିଠି ଯୋଗାଣ ନିଗମ ଲେଖି ସାରିଲାଣି। ଏବେ ପୁଣି ଚିଠି ଲେଖିଛି। କିଛି ପ୍ରଭାବ ପଡୁନି। ଖିଲାପି ମିଲର୍‌ ଓ ଦାୟିତ୍ବରେ ଅବହେଳା କରିଥିବା ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ କାହିଁକି ଗ୍ରହଣ ହେଉନାହିଁ ତାହାକୁ ନେଇ ପ୍ରଶ୍ନ ଉଠିଛି।

ମିଳିଥିବା ସୂଚନା ଅନୁଯାୟୀ, ୨୦୧୨–୧୩ ଧାନ କିଣାରେ ଅଂଶ ଗ୍ରହଣ କରିଥିବା ଶଙ୍କର ଚାଉଳ କଳ ଉପଯୁକ୍ତ ପରିମାଣର ଚାଉଳ ଦେବାରେ ବିଫଳ ହୋଇଥିଲା। ଏହି କଳ ନିଗମକୁ ୫ଲକ୍ଷ ୬୨ହଜାର ୭୮୩ ଟଙ୍କା ଦେବାକୁ ବାକି ଅଛି। କିନ୍ତୁ ଏହି ଅର୍ଥ ଆଦାୟ ହୋଇପାରୁ ନାହିଁ। ଉକ୍ତ ମିଲର୍‌ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯୋଗାଣ ନିଗମ ନିର୍ଦ୍ଦେଶ ଦେଇଛି। ସେହିପରି ନାରାୟଣୀ ଚାଉଳ କଳ ଉପରେ ୫ଲକ୍ଷ ୧୮ହଜାର ୯୩ଟଙ୍କା ଏବଂ ଲିଙ୍ଗରାଜ ଚାଉଳ କଳ ଉପରେ ୧୬ଲକ୍ଷ ୮୯ହଜାର ୬୮ଟଙ୍କା ଯୋଗାଣ ନିଗମକୁ ଦେବାକୁ ରହିଛି। ଏହି ଦୁଇ ମିଲର ବିରୋଧରେ ଆଇନଗତ(ସିଭିଲ ଓ ଫୌଜଦାରୀ) କାର୍ଯ୍ୟାନୁଷ୍ଠାନ ଲାଗି ମଧ୍ୟ ନିେର୍ଦ୍ଦଶ ଦିଆଯାଇଛି। ସେହିପରି ମା ବୁଢି ଠାକୁରାଣି ଚାଉଳ କଳ ୨୭ଲକ୍ଷ ୩୩ହଜାର ୧୯୦ଟଙ୍କା ଯୋଗାଣ ନିଗମକୁ ଦେବାକୁ ରହିଛି। ସେତେ ବେଳର ଜିଲ୍ଲା ଯୋଗାଣ ଅଧିକାରୀ ଓ ଉକ୍ତ ଚାଉଳ କଳ ଲାଗି ନିଯୁକ୍ତ ଅଧିକାରୀଙ୍କ ଭୁଲ ଲାଗି ଏଭଳି ଅନିୟମିତା ହୋଇଥିବା ସ୍ବତନ୍ତ୍ର ଅଡିଟ୍ ରିପୋର୍ଟରେ ଦର୍ଶାଯାଇଛି। ମିଲର ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ବାରମ୍ବାର ଯୋଗାଣ ନିଗମ ଚିଠି ଲେଖୁଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ଏହାକୁ ନେଇ ତୀବ୍ର ଉଦ୍‌ବେଗ ପ୍ରକାଶ କରିଛି ନିଗମ। ସେହିପରି ସିଂହାସନୀ ଚାଉଳ କଳ ଠାରୁ ୧୭୪୨ .୫୨୪ କ୍ବିଟାଲ ଚାଉଳ ବାବଦକୁ ୪୧ଲକ୍ଷ ୭୭ହଜାର ୩୯୦ଟଙ୍କା ଅଦାୟ କରିବା ଲାଗି ଯୋଗାଣ ନିଗମ ନିର୍ଦ୍ଦେଶ ରହିଛି। ଗତ ଦୁଇ ବର୍ଷ ହେଲା ମିଲର୍‌ଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଲାଗି ନିଗମ ଚିଠି ଲେଖୁଥିଲେ ହେଁ କୌଣସି ପଦକ୍ଷେପ ନିଆଯାଉ ନାହିଁ। ସେହିପରି ମା’ କାଳୀ ଚାଉଳ କଳ ଠାରୁ ୨୬ଲକ୍ଷ ୧୧ହଜାର ୮୬୭ଟଙ୍କା ଆଦାୟ ଲାଗି ନିର୍ଦ୍ଦେଶ ରହିଛି।

ସେହିପରି ୨୦୧୩-୧୪ ଧାନ କିଣା ସିଜନ୍‌ରେ ଅଂଶ ଗ୍ରହଣ କରିଥିବା ଫୁଲ ଠାକୁରାଣୀ ଚାଉଳ କଳ ଠାରୁ ୨୩ ଲକ୍ଷ ୨୧ହଜାର ୬୫୦ଟଙ୍କା ଆଦାୟ କରିବାକୁ ନିର୍ଦ୍ଦେଶ ରହିଛି। ଏହି ଚାଉଳ କଳ ବିରୋଧରେ ୨୦୧୮ ମସିହାରେ ଜିଲ୍ଲା ଯୋଗାଣ ବିଭାଗ ପକ୍ଷରୁ ଏକ ସାଟିର୍ଫିକେଟ କେସ୍‌ ରୁଜୁ ହୋଇଛି। କେସ୍‌ର ବର୍ତ୍ତମାନ ସ୍ଥିତି କ’ଣ ଜାଣିବାକୁ ଚାହିଁଛି ଯୋଗାଣ ନିଗମ।

ଏ ସମ୍ପର୍କରେ ଜିଲ୍ଲା ଯୋଗାଣ ଅଧିକାରୀ ଉମାଶଙ୍କର ପତିଙ୍କୁ ପଚାରିବାରୁ ସେ କହିଛନ୍ତି, ସେ କାର୍ଯ୍ୟରେ ଯୋଗ ଦେବା ପରେ ଏବେ ପ୍ରଥମେ ଚିଠି ଆସିଛି। ତେବେ କାହିଁକି କାର୍ଯ୍ୟାନୁଷ୍ଠାନ ଓ ପଦକ୍ଷେପ ନିଆଯାଇ ନାହିଁ, ତାହା ଅନୁଧ୍ୟାନ କରୁଛି। ଏ ଦିଗରେ ଖୁବଶୀଘ୍ର ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର