ଦେଢ଼ କୋଟି ଟଙ୍କାର ବ୍ରାଉନସୁଗର ଜବତ

ଭୁବନେଶ୍ବର : ମୁନିଗୁଡ଼ାରେ ପିଚୁ ବୋଝେଇ ଟ୍ରକ୍‌ରୁ କୋଟିଏ ଟଙ୍କାର ଗଞ୍ଜେଇ ଜବତ ହେବା ୨୪ ଘଣ୍ଟା ନ ପୂରୁଣୁ ଆଜି କ୍ରାଇମ୍‌ବ୍ରାଞ୍ଚ ଏସ୍‌ଟିଏଫକୁ ପୁଣି ସଫଳତା ମିଳିଛି। ଖୋର୍ଦ୍ଧା ବାଇପାସ ରୋଡ୍‌ରେ ଚଢ଼ଉ କରି ଆଜି ଏସ୍‌ଟିଏଫ୍‌ ଜଣେ କୁଖ୍ୟାତ ଡ୍ରଗ୍ସ ମାଫିଆକୁ ଗିରଫ କରିଛି। ସେ ହେଉଛି ଖୋର୍ଦ୍ଧା ସଦର ଥାନା କାଇପଦର ମୁସଲିମ ସାହିର ସେକ୍ ଅନୱର। ତା’ ପାଖରୁ କେଜିଏ ୩୧୦ ଗ୍ରାମ୍‌ ଓଜନର ବ୍ରାଉନ୍‌ସୁଗର ଜବତ କରାଯାଇଛି। ଜବତ ବ୍ରାଉନ୍‌ସୁଗାରର ମୂଲ୍ୟ ୧କୋଟି ୫୦ ଲକ୍ଷ ଟଙ୍କା ହେବ ବୋଲି ଏସ୍‌ଟିଏଫ୍‌ ଅନୁମାନ କରୁଛି। ଏହି ନିଶା ବେପାରରେ ବ୍ୟବହୃତ ସ୍କୁଟି ମଧ୍ୟ ତା’ ଠାରୁ ଜବତ କରାଯାଇଛି।

ଖୋର୍ଦ୍ଧାରେ ଚାଲିଥିବା ବେଆଇନ ଖଣି ବେପାର ବେଳୁ ଅନୱର ଏହି ବେପାର କରୁଥିଲା। ବାଲେଶ୍ବରର ସେକ୍‌ ରାଜା ଓ ଖୋର୍ଦ୍ଧାର ଛୋଟା ସହ ସାମିଲ ହୋଇ ବେପାର ଚଳାଇଥିଲା‌। ଗିରଫ ପୂର୍ବରୁ ସକ୍ରିୟ ଥିବା ବାଲେଶ୍ବରର ସେକ୍‌ ରାଜା ସହ ମିଶି କୋଲକାତା ଓ ରାଜ୍ୟ ବାହାରକୁ ଯାଇ ଏହି ନିଶାଦ୍ରବ୍ୟ ଆଣୁଥିଲା। ଛୋଟା ଓ ରାଜା ଗିରଫ ହେବା ପରେ ସେ କିଛି ଦିନ ଆତ୍ମଗୋପନ କରି ରହିଥିଲା। କିଛି ଦିନ ହେବ ସେ ପୁଣି ବେପାର ଆରମ୍ଭ କରିଥିଲା। ବେପାରରେ ସକ୍ରିୟ ହେବା ପରେ ଏସ୍‌ଟିଏଫ୍‌ ତା’ ଉପରେ ନଜର ରଖିଥିଲା। ଗତ ରାତିରେ ସେ ଏହି ନିଶାଦ୍ରବ୍ୟ ନେଇ ବାଲେଶ୍ବରରୁ ଫେରିବା ପରେ ଏସ୍‌ଟିଏଫ୍‌ ତାକୁ ଜଗି ରହିଥିଲା। ହେଲେ ସେ ଘରକୁ ଫେରିନଥିଲା। ଆଜି ସକାଳେ ଫେରିବା ବେଳେ ବାଇପାସ୍‌ ଛକରେ ଏସ୍‌ଟିଏଫ୍‌ର ଦୁଇଟି ଟିମ୍‌ ତାକୁ ମାଡ଼ି ବସିଥିଲେ। ସ୍କୁଟି ଡିକିରୁ ଏହି ନିଶାଦ୍ରବ୍ୟ ମିଳିଥିଲା। ଘଟଣାର ଅଧିକ ତଦନ୍ତ ଚାଲିଛି। ଖୁବ୍‌ଶୀଘ୍ର ଅନ୍ୟ ସହଯୋଗୀଙ୍କୁ ଗିରଫ କରାଯିବ ବୋଲି ଏସ୍‌ଟିଏଫ୍‌ କହିଛି। ସୂଚନାଯୋଗ୍ୟ, ନିଶାଦ୍ରବ୍ୟ ଜବତ କରିବାରେ ଗତବର୍ଷ ଏସ୍‌ଟିଏଫ୍ ରେକର୍ଡ କରିଥିଲା। ୨୩.୫କେଜି ବ୍ରାଉନ୍‌ସୁଗାର ସହ ୪୪ କୁଇଣ୍ଟାଲ ଗଞ୍ଜେଇ, ୧୪ଟି ବନ୍ଧୁକ ଓ ୩୪ଟି ଗୁଳି ଜବତ କରିଥିଲା। ଏହା ଛଡ଼ା ୭ କଲରାପତରିଆ ବାଘ ଚମଡ଼ା, ୨ଟି ଜୀବନ୍ତ ବଜ୍ରକାପ୍ତା, ୫ କେଜି ବଜ୍ରକାପ୍ତା କାତି, ୨ଟି ହରିଣ ଚମଡ଼ା, ୪.୬ ‌କୁଇଣ୍ଟାଲ ଚନ୍ଦନ କାଠ, ୫.୨୯ ଲକ୍ଷ ନକଲି ନୋଟ୍‌, ୬୬ ହଜାର ପିଡିଏସ୍‌ କିରାସିନ୍‌, ବିପୁଳ ପରିମାଣର ବିସ୍ଫୋରକ ସାମଗ୍ରୀ, ୨୨ଲକ୍ଷ ୯୫ ହଜାର ୯୭୫ ଟଙ୍କା ଜବତ କରିବାରେ ଏସ୍‌ଟିଏଫ୍‌ ସଫଳ ହୋଇଛି।

ସମ୍ବନ୍ଧିତ ଖବର