ଟିଟିଲାଗଡ଼ : ବଲାଙ୍ଗୀର ଜିଲ୍ଲା ଟିଟିଲାଗଡ଼ ସ୍ଥିତ ଶାସ୍ତ୍ରୀ ଛକ ଏସ୍ବିଆଇ ବଜାର ଶାଖା ସାମନାରୁ ବୁଧବାର ବ୍ୟବସାୟୀ ପ୍ରଦୀପ୍ତ ଜେନାଙ୍କଠାରୁ ଲୁଟେରାମାନେ ଟଙ୍କା ବ୍ୟାଗ୍ ଲୁଟି ନେଇଛନ୍ତି। ସେଥିରେ ଦେଢ଼ଲକ୍ଷ ଟଙ୍କା ଥିଲା ବୋଲି କୁହାଯାଉଛି। ଏହି ଚୋରି ଘଟଣା ସିସିଟିଭିରେ କଏଦ୍ ହୋଇଛି। ଏହାକୁ ଆଧାର କରି ପୁଲିସ ତନାଘନା କରୁଛି।
ପୁଲିସ ସୂତ୍ରରୁ ପ୍ରକାଶ ଯେ ବ୍ୟବସାୟୀ ଶ୍ରୀ ଜେନା ବୁଧବାର ଦିନ ୧୧ଟା ସମୟରେ ତାଙ୍କ ସ୍ତ୍ରୀଙ୍କ ଆକାଉଣ୍ଟରେ ଦେଢ଼ଲକ୍ଷ ଟଙ୍କା ଜମା କରିବାକୁ ଏସ୍ବିଆଇ ବଜାର ଶାଖାକୁ ଯାଇଥିଲେ। ବ୍ୟାଙ୍କ ସାମନାରେ ବାଇକ୍ ଡିକିରୁ ଟଙ୍କା କାଢ଼ି ଭିତରକୁ ଯିବା ସମୟରେ ଜଣେ ଦୁର୍ବୃତ୍ତ ତାହା ଲୁଟି ନେଇଥିଲା। ପୂର୍ବରୁ ବାଇକ୍ରେ ପ୍ରସ୍ତୁତ ହୋଇ ରହିଥିବା ଆଉଜଣେ ଦୁର୍ବୃତ୍ତର ବାଇକ୍ରେ ବସି ଆଖି ପିଛୁଳାକେ ଫେରାର୍ ହୋଇଯାଇଥିଲା। ଶ୍ରୀ ଜେନା ପିଛା କରିବାକୁ ଚେଷ୍ଟା କରିଥିଲେ ମଧ୍ୟ ତଳେ ପଡ଼ିଯାଇଥିଲେ। ବିଭିନ୍ନ ସ୍ଥାନର ସିସିଟିଭି ଫୁଟେଜ୍କୁ ଆଧାର କରି ପୁଲିସ ତଦନ୍ତ ଆରମ୍ଭ କରିଛି।