କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜିରେ ମୁଖାପିନ୍ଧା ଦୁର୍ବୃତ୍ତ ପୁଣି ଥରେ ସକ୍ରିୟ ହୋଇଛନ୍ତି। କିଛି ଦିନ ନୀରବତା ପରେ ଲୁଟେରାମାନେ ଆଜି ଦିନ ଦ୍ବିପହରରେ ବଡ଼ଧରଣର ଲୁଟ୍‌ କରିଛନ୍ତି। ବ୍ୟାଙ୍କରୁ ଟଙ୍କା ଉଠାଇ ଘରକୁ ଫେରୁଥିବା ଜଣେ ବରିଷ୍ଠ ନାଗରିକଙ୍କୁ ଲୁଟେରାମାନେ ଟାର୍ଗେଟ କରିଛନ୍ତି। ଦୁର୍ବୃତ୍ତମାନେ ବରିଷ୍ଠ ନାଗରିକଙ୍କ ଠାରୁ ୧ ଲକ୍ଷ ୯୯ ହଜାର ଟଙ୍କା ଲୁଟ୍‌ କରି ଫେରାର ହୋଇଯାଇଛନ୍ତି। ଲୁଟ୍‌ର ଶିକାର ହୋଇଛନ୍ତି ସମ୍ବାରୁ ପନିକା।

Advertisment

ସୂଚନା ଅନୁସାରେ କଣ୍ଟାବାଞ୍ଜି ଥାନା ଡଙ୍ଗାମରା ଗାଁର ସମ୍ବାରୁ ପନିକା ଆଜି ସ୍ଥାନୀୟ ଭାରତୀୟ ଷ୍ଟେଟ୍‌ ବ୍ୟାଙ୍କ (ଏସ୍‌ବିଆଇ)ରୁ ୧ ଲକ୍ଷ ୯୯ ହଜାର ଟଙ୍କା ଉଠାଇଥିଲେ। ସେ ବ୍ୟାଙ୍କରୁ ଟଙ୍କା ପାଇଲା ପରେ ଏହାକୁ ନିଜ ବାଇକ୍‌ର ଡିକିରେ ଭର୍ତ୍ତି କରିଥିଲେ। ଏହା ପରେ ସେ ଘରକୁ ଫେରୁଥିଲେ। ତେବେ ସମ୍ବାରୁ ବ୍ୟାଙ୍କରୁ ଅଳ୍ପ କିଛି ଦୂରକୁ ଯିବା ବେଳେ ସେଠାରେ ଏକ ବାଇକ୍‌ରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ପହଞ୍ଚି ଥିଲେ। ଦୁର୍ବୃତ୍ତମାନେ ସମ୍ବାରୁଙ୍କୁ ଅଟକାଇ ଥିଲେ। ଏହା ପରେ ଦୁର୍ବୃତ୍ତମାନେ ସମ୍ବାରୁଙ୍କ ବାଇକ୍‌ ଡିକି ଖୋଲି ବ୍ୟାଗରେ ଭର୍ତ୍ତି ଥିବା ଟଙ୍କାକୁ ବଳପୂର୍ବକ ନେଇ ଫେରାର ହୋଇଯାଇଥିଲେ।

ଲୁଟ୍‌ର ଶିକାର ହେଲା ପରେ ସମ୍ବାରୁ ପନିକା ସ୍ଥାନୀୟ ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ଘଟଣାର ଖବର ପାଇ ଛାନ୍‌ଭିନ୍‌ ଜାରି ରଖିଛି। ପୁଲିସ ଆଖପାଖ ଦୋକାନର ସିସିଟିଭି ଯାଞ୍ଚ କରୁଥିବା ଦେଖିବାକୁ ମିଳିଛି। ସୂଚନାଯୋଗ୍ୟ କଣ୍ଟାବାଞ୍ଜିରେ ଅତୀତରେ ମଧ୍ୟ ଏଭଳି ଲୁଟ୍‌ ଘଟଣା ଦେଖିବାକୁ ମିଳିଛି।