ଭଦ୍ରକ: ୭ ବର୍ଷ ତଳେ ଭଦ୍ରକର ଚରମ୍ପାରେ ନିର୍ମିତ ଅମୃତ ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ରକ୍ଷଣାବେକ୍ଷଣ ଅଭାବରୁ ପୋଖରୀରେ ଦଳ ଭର୍ତ୍ତି ହୋଇଯିବା ସହିତ ବୋଟିଂ ବ୍ୟବସ୍ଥା ଅଚଳ ହୋଇପଡ଼ିଛି। ପ୍ରାରମ୍ଭିକ ପର୍ଯ୍ୟାୟରେ ଭିଡ଼ ଜମୁଥିବା ପାର୍କକୁ ଏବେ ଲୋକେ ଆସିବାକୁ ମୁହଁ ମୋଡ଼ୁଛନ୍ତି। ଭଦ୍ରକର ତତ୍କାଳୀନ ବିଧାୟକ ଯୁଗଳ କିଶୋର ପଟ୍ଟନାୟକ ଓ ନଗରପାଳ ମାନସ କୁମାର ମହାନ୍ତିଙ୍କ ଉଦ୍ୟମକ୍ରମେ ଭଦ୍ରକ ପୌରପାଳିକା ଚରମ୍ପା ଅଞ୍ଚଳର ୨ ନମ୍ବର ୱାର୍ଡ ରହଣିଆରେ ଅମୃତ ପାର୍କ ଲୋକାର୍ପିତ ହୋଇଥିଲା। ୫ ଏକର ବିଶିଷ୍ଟ ପୋଖରୀ ହୁଡ଼ାରେ ଏହି ପାର୍କ ନିର୍ମାଣ କରାଯାଇଥିବା ବେଳେ ଏଥିରେ ବୋଟିଂ ବ୍ୟବସ୍ଥା ରହିଥିଲା। ପାର୍କର ସୌନ୍ଦର୍ଯ୍ୟୀକରଣ ପାଇଁ ବହୁ ରଙ୍ଗବେରଙ୍ଗର ଫୁଲଗଛ ସମେତ ଅନ୍ୟାନ୍ୟ ବୃକ୍ଷ ଲଗାଯାଇଥିଲା। ପିଲାମାନଙ୍କ ମନୋରଞ୍ଜନ ପାଇଁ ଦୋଳି ଓ ଅନ୍ୟାନ୍ୟ ଖେଳନା ସାମଗ୍ରୀର ବ୍ୟବସ୍ଥା ହୋଇଥିଲା। ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହଭାଗିତାରେ ପାର୍କ ନିର୍ମାଣ ପାଇଁ କୋଟିଏରୁ ଊର୍ଦ୍ଧ୍ବ ଟଙ୍କା ଖର୍ଚ୍ଚ ହୋଇଥିଲା। ପ୍ରାରମ୍ଭିକ ପର୍ଯ୍ୟାୟରେ ଏଠାରେ ପ୍ରବଳ ଭିଡ଼ ହେଉଥିଲା।
ଅବହେଳାରୁ ପାର୍କ ଏବେ ପରିତ୍ୟକ୍ତ ଅବସ୍ଥାରେ ପଡ଼ିରହିଛି। ଅଧିକାଂଶ ସମୟରେ ଉକ୍ତ ପାର୍କର ମୁଖ୍ୟ ଫାଟକରେ ତାଲା ପଡ଼ି ରହୁଛି। ଅଧିକାଂଶ ଲାଇଟ୍ ଜଳୁନି। ପାର୍କରେ ଯେଉଁ ପାଣି ଝର ନିର୍ମିତ ହୋଇଥିଲା, ତାହା ଅଳ୍ପ କେଇଟା ଦିନ ମଧ୍ୟରେ ଅଚଳ ହୋଇପଡ଼ିଛି। ଅନୁରୂପ ଭାବେ ବୋଟିଂ ପାଇଁ ପୋଖରୀରୁ ଦଳ ସଫା ନିମନ୍ତେ ପରବର୍ତ୍ତୀ ପର୍ଯ୍ୟାୟରେ ୬ ଲକ୍ଷ ଟଙ୍କା ଖର୍ଚ୍ଚ ହୋଇଥିଲେ ମଧ୍ୟ ଏବେ ପୁଣି ବିଲାତି ଦଳରେ ଭର୍ତ୍ତି ହୋଇଗଲାଣି। ଆଗକୁ ପାର୍ବଣ ଋତୁ ଆସୁଛି। ବିଶେଷ କରି କାଳୀପୂଜା ପାଇଁ ଚରମ୍ପା ଚଳଚଞ୍ଚଳ ହୋଇଉଠିବ। ଏଠାକୁ ପ୍ରତିଦିନ ସହସ୍ରାଧିକ ଲୋକ ଆସିବେ। ଏସବୁକୁ ଦୃଷ୍ଟିରେ ରଖି ରହଣିଆ ପୋଖରୀରୁ ଦଳ ସଫା କରାଯାଇ ପୁଣି ବୋଟିଂ ବ୍ୟବସ୍ଥା ସୁଗମ କରିବାକୁ ସହରବାସୀ ଦାବି କରିଛନ୍ତି। ଏନେଇ ଭଦ୍ରକ ପୌରାଧ୍ୟକ୍ଷା ଗୁଲମକ୍କୀ ହବିବିଙ୍କୁ ପଚାରିବାରୁ ସେ କହିଛନ୍ତି, ଖୁବ୍ଶୀଘ୍ର ପୁଷ୍କରିଣୀରୁ ଦଳ ସଫେଇ କରାଯାଇ ପାର୍କର ସୌନ୍ଦର୍ଯ୍ୟ ଫେରାଇ ଅଣାଯିବ। ଏହି ପାର୍କର ପାଚେରି ନିର୍ମାଣ ପାଇଁ ୧୮ ଲକ୍ଷ ଟଙ୍କାର ଅନୁଦାନ ଯୋଗାଇ ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2025/09/15/fhfsfhxbvvb-2025-09-15-03-47-49.jpg)