ଇ-ବିଦ୍ୟା ଅଧୀନରେ ସାମିଲ ହେବ ୨୦୦ ଚ୍ୟାନେଲ୍
ଡିଜିଟାଲ୍ ବିଶ୍ବବିଦ୍ୟାଳୟରେ ବିଶ୍ବସ୍ତରୀୟ ଗୁଣାତ୍ମକ ଶିକ୍ଷା
ଭୁବନେଶ୍ବର : ୨୦୨୨-୨୩ ଆର୍ଥିକ ବର୍ଷ ପାଇଁ କେନ୍ଦ୍ର ବଜେଟ୍ରେ ଶିକ୍ଷା, ଦକ୍ଷତା ବିକାଶକୁ ଅଧିକ ଗୁରୁତ୍ୱ ଦିଆଯାଇଛି। ଇତିହାସରେ ପ୍ରଥମ ଥର ଲାଗି ଶିକ୍ଷା ବିଭାଗ ପାଇଁ ୧ ଲକ୍ଷ ୪ ହଜାର ୨୭୮ କୋଟିର ବ୍ୟୟ ବରାଦ ହୋଇଛି। ଗତବର୍ଷ ତୁଳନାରେ ଏଥର ବଜେଟ୍ରେ ୧୧ ହଜାର କୋଟିରୁ ଅଧିକ ଟଙ୍କାର ବ୍ୟୟ ବରାଦ ହୋଇଥିବାରୁ କେନ୍ଦ୍ରୀୟ ଶିକ୍ଷାନୁଷ୍ଠାନଗୁଡ଼ିକର ଅନୁଦାନ ବଢ଼ିବା ଏକପ୍ରକାର ଥୟ। କେନ୍ଦ୍ରୀୟ ବିଶ୍ବବିଦ୍ୟାଳୟ, ଆଇଆଇଟି, ଏନ୍ଆଇଟି, କେନ୍ଦ୍ରୀୟ ଅନୁଦାନ ପାଉଥିବା ଶିକ୍ଷାନୁଷ୍ଠାନ ବେଶ ଉପକୃତ ହେବେ। ବିଶ୍ବବିଦ୍ୟାଳୟ ଅନୁଦାନ ଆୟୋଗ(ୟୁଜିସି) ଓ ଏଆଇସିଟିଇ ପରି ସଂସ୍ଥାଗୁଡ଼ିକର ବଜେଟ୍ ବୃଦ୍ଧି ପାଇବ। ରାଜ୍ୟଗୁଡ଼ିକୁ ଦିଆଯାଉଥିବା ପାଣ୍ଠି ବୃଦ୍ଧି ପାଇବା ସହ ଶିକ୍ଷାନୁଷ୍ଠାନ ଭିତ୍ତିଭୂମି ଆହୁରି ସୁଦୃଢ଼ ହୋଇପାରିବ ବୋଲି ମତପ୍ରକାଶ ପାଇଛି।
କରୋନା ଭଳି ମହାମାରୀ ସମୟରେ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଯେପରି ପ୍ରଭାବିତ ନ ହେବ ସେଥିପାଇଁ ‘ୱାନ୍ କ୍ଲାସ-ୱାନ ଟିଭି’ କାର୍ଯ୍ୟକ୍ରମ ଆରମ୍ଭ କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି। ପିଏମ୍ ଇ-ବିଦ୍ୟା ଅଧୀନ ଏହି କାର୍ଯ୍ୟକ୍ରମରେ ୨୦୦ ଟିଭି ଚ୍ୟାନେଲ୍କୁ ସାମିଲ କରାଯିବ। ଏହାଦ୍ବାରା ଗ୍ରାମାଞ୍ଚଳ ଓ ଅର୍ଦ୍ଧ ସହରାଞ୍ଚଳର ଛାତ୍ରଛାତ୍ରୀଙ୍କୁ ଇଣ୍ଟରନେଟ୍, ଟିଭି ଓ ସ୍ମାର୍ଟ ଫୋନ୍ ମାଧ୍ୟମରେ ନୂତନ ଇ-ଲର୍ଣ୍ଣିଂ ବିଷୟବସ୍ତୁ ବିତରଣର ପ୍ଲାଟଫର୍ମ ସୁବିଧା ହେବ। ସମସ୍ତ ଆଞ୍ଚଳିକ ଭାଷାରେ ଶିକ୍ଷାଦାନ ଉପଲବ୍ଧ କରିବା ପାଇଁ ୧୨ଟି ଚ୍ୟାନେଲରୁ ୨୦୦ ଚ୍ୟାନେଲ୍ କରିବାକୁ ନିଷ୍ପତ୍ତି ହୋଇଛି। ପିଏମ୍ ଇ-ବିଦ୍ୟା ଯୋଜନା ଅନ୍ତର୍ଗତ ସ୍ବୟଂପ୍ରଭା ଟିଭିର ସମ୍ପ୍ରସାରଣ ଲାଗି ଘୋଷଣା କରାଯାଇଛି। ଯାହାକି ସମସ୍ତ ରାଜ୍ୟର ପ୍ରଥମରୁ ଦ୍ବାଦଶ ଶ୍ରେଣୀ ପାଇଁ ଆଞ୍ଚଳିକ ଭାଷାରେ ସପ୍ଲିମେଣ୍ଟାରି ଶିକ୍ଷା ପ୍ରଦାନ କରିବାକୁ ସକ୍ଷମ ହେବ। ୨୦୨୨-୨୩ରେ ବିଜ୍ଞାନ ଓ ଗଣିତରେ ୭୫୦ରୁ ଅଧିକ ଭର୍ଚୁଆଲ୍ ଲ୍ୟାବ୍ ଏବଂ ୭୫ଟି ସ୍କିଲିଂ ଇ-ଲ୍ୟାବ୍ ପ୍ରତିଷ୍ଠା କରାଯିବ।
ବଜେଟ୍ରେ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ସମ୍ପର୍କରେ ମଧ୍ୟ କେନ୍ଦ୍ର ଅର୍ଥମନ୍ତ୍ରୀ ଘୋଷଣା କରିଛନ୍ତି। ଏହାଦ୍ବାରା ଛାତ୍ରଛାତ୍ରୀଙ୍କୁ ବିଶ୍ବସ୍ତରୀୟ ଗୁଣାତ୍ମକ ଶିକ୍ଷା ମିଳିପାରିବ। ସମସ୍ତ ଆଞ୍ଚଳିକ ଭାଷାରେ ‘ହବ୍ ଓ ସ୍ପିକ୍’ ନେଟୱର୍କ ସୃଷ୍ଟି କରିବ। ଆବଶ୍ୟକ ଡିଜିଟାଲ୍ ଭିତ୍ତିଭୂମି ଓ ତାଲିମ ଯୋଗାଇବା ପାଇଁ ଡିଜିଟାଲ୍ ବିଶ୍ୱବିଦ୍ୟାଳୟ ଦେଶର ଅନ୍ୟ କେନ୍ଦ୍ରୀୟ ବିଶ୍ୱବିଦ୍ୟାଳୟଗୁଡ଼ିକ ସହ ମିଶି କାର୍ଯ୍ୟ କରିବ। ବିଭିନ୍ନ ଭାରତୀୟ ଭାଷା ଓ ଆଇସିଟି ଫର୍ମାଟରେ ଉପଲବ୍ଧ ହେବ। ହବ୍ ବିଲ୍ଡିଂର ଅତ୍ୟାଧୁନିକ ଆଇସିଟି ପାରଦର୍ଶିତା ସହ ବିଶ୍ୱବିଦ୍ୟାଳୟ ଏକ ନେଟୱର୍କିଂ ହବ୍ ସ୍ପୋକେନ୍ ମଡେଲ ଉପରେ ନିର୍ମିତ ହେବ। ଦେଶର ଯୁବକମାନଙ୍କୁ ସକ୍ଷମ କରିବା ପାଇଁ ଆଇଟିଆଇଗୁଡ଼ିକରେ ମଧ୍ୟ ନୂତନ ଦକ୍ଷତା ବିକାଶ ପାଠ୍ୟକ୍ରମ ଆରମ୍ଭ ହେବ ବୋଲି ମଧ୍ୟ ଘୋଷଣା ହୋଇଛି।
କୃଷି ଶିକ୍ଷା ଉପରେ ମଧ୍ୟ କେନ୍ଦ୍ର ସରକାର ଧ୍ୟାନ ଦେଇଛନ୍ତି। ଜୈବିକ କୃଷି, ଆଧୁନିକ କୃଷିର ଆବଶ୍ୟକତା ପୂରଣ ପାଇଁ କୃଷି ବିଶ୍ୱବିଦ୍ୟାଳୟଗୁଡ଼ିକର ସିଲାବସ୍କୁ ସଂଶୋଧନ କରିବା ଉପରେ ଅର୍ଥମନ୍ତ୍ରୀ ଗୁରୁତ୍ୱାରୋପ କରିଛନ୍ତି। ଗୁଜୁରାଟ ଇଣ୍ଟରନ୍ୟାସନାଲ ଫାଇନାନ୍ସ ଟେକ୍ ସିଟିରେ ଆର୍ଥିକ ପରିଚାଳନା, ଫିନ୍-ଟେକ୍, ଗଣିତ ପାଠ୍ୟକ୍ରମ ପ୍ରଦାନ କରିବାକୁ ସରକାର ଅନୁମତି ଦେବାକୁ ନିଷ୍ପତ୍ତି ନେଇଛନ୍ତି। ଅର୍ବାନ୍ ପ୍ଲାନିଂ ଓ ଡିଜାଇନ୍ରେ ଜ୍ଞାନର ବିକାଶ ପାଇଁ ଏବଂ ଏହି କ୍ଷେତ୍ରରେ ସାର୍ଟିଫିକେଟ୍ ତାଲିମ ପ୍ରଦାନ ଲାଗି ବିଭିନ୍ନ ଅଞ୍ଚଳରେ ୫ଟି ଏକାଡେମିକ୍ ଅନୁଷ୍ଠାନକୁ ଉତ୍କର୍ଷ କେନ୍ଦ୍ର ଭାବେ ମନୋନୀତ କରାଯିବ। ଉକ୍ତ କେନ୍ଦ୍ରକୁ ପ୍ରତ୍ୟେକଙ୍କୁ ୨୫୦ କୋଟି ଏଣ୍ଡୋମେଣ୍ଟ ପାଣ୍ଠି ଯୋଗାଇ ଦିଆଯିବ। ଏଥିସହ ଅନ୍ୟାନ୍ୟ ଶିକ୍ଷାନୁଷ୍ଠାନରେ ସିଲାବସ୍, ଗୁଣବତ୍ତା ଓ ସହରୀ ଯୋଜନା ପାଠ୍ୟକ୍ରମରେ ପ୍ରବେଶ ପାଇଁ ଏଆଇସିଟିଇ ନେତୃତ୍ୱ ନେବ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/school-students-bkm-1.jpg)