ଉଦଳା: ଉଦଳାର ଜଣେ ଶିକ୍ଷକ ଦମ୍ପତିଙ୍କ ଠାରୁ ଦିନ ଦ୍ବିପ୍ରହରେ ଟଙ୍କା ବ୍ୟାଗ ଝାମ୍ପିନେଲେ ଲୁଟେରା। ସୂଚନା ଅନୁଯାୟୀ ଭୀମତାଳି ପଞ୍ଚାୟତ ମଦନାପାଳ ଗ୍ରାମର ନିରଞ୍ଜନ ସେଠୀ ନିଜ ପତ୍ନୀଙ୍କ ସହ ଉଦଳା ଷ୍ଟେଟ୍ ବ୍ୟାଙ୍କରୁ ଏକ ଲକ୍ଷ ଟଙ୍କା ଉଠାଇ ଏକ ଭ୍ୟାନିଟି ବ୍ୟାଗରେ ରଖି ଘରକୁ ଫେରୁଥିଲେ। ଘରେ ପହଞ୍ଚି ଗେଟ୍ ଫାଟକ ଖୋଲିବା ବେଳକୁ ଲୁଟେରାମାନେ ପତ୍ନୀଙ୍କ ହାତରୁ ଭ୍ୟାନିଟି ବ୍ୟାଗ୍ଟି ଝାମ୍ପି ନେଇ ଚମ୍ପଟ ମାରିଥିଲେ।
ଦିନ ପ୍ରାୟ ୧୧.୩୦ ସମୟରେ ଏହି ଘଟଣା ଘଟିଥିବା ବେଳେ ଲୁଟେରାମାନେ ଉଦଳା ରାସ୍ତାରେ ଦ୍ରୁତଗତିରେ ବାଇକ୍ରେ ପଳାଇଥିଲେ। ଶ୍ରୀ ସେଠୀଙ୍କ ଅଭିଯୋଗ କ୍ରମେ ଥାନାରେ କେସ୍ ନଂ ୯୮/୨୨ରେ ମାମଲା ରୁଜୁ ହୋଇଛି। ଉଦଳାରେ ଲୁଟେରାମାନେ ପୁଣିଥରେ ସକ୍ରିୟ ହୋଇ ଉଠିବା ପରେ ସାଧାରଣରେ କୋକୁଆ ଭୟ ଖେଳିଯାଇଛି।