କରୋନା ମୁକାବିଲା କଡ଼ାକଡ଼ି ପାଇଁ ଅଧ୍ୟାଦେଶ ଆଣିବେ ସରକାର : ଅମାନିଆ ହେଲେ ଲକ୍ଷେ ତଣ୍ଡ

କ୍ୟାବିନେଟ୍‌ରେ ୨୦ ପ୍ରସ୍ତାବକୁ ମୋହର
ସ୍ବାସ୍ଥ୍ୟସେବା ଭିତ୍ତିଭୂମି ପାଇଁ ଖର୍ଚ୍ଚ ହେବ ଆଉ ୧୯୯୮ କୋଟି
୪୫ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ୩ ମେଡିକାଲ କଲେଜର ହେବ ବିକାଶ

ଭୁବନେଶ୍ୱର : କରୋନାର ମୁକାବିଲା କରିବା ଲାଗି ରାଜ୍ୟ ସରକାର ଅନେକ ପଦକ୍ଷେପ ଗ୍ରହଣ କରିଥିଲେ ମଧ୍ୟ କିଛି ଅମାନିଆଙ୍କ ପାଇଁ ପରିସ୍ଥିତି ଗୁରୁତର ହେବାରେ ଲାଗିଛି। ବାରମ୍ବାର ସଚେତନତା ସତ୍ତ୍ବେ ସେମାନେ କଟକଣା ମାନୁ ନାହାନ୍ତି। ତେଣୁ ଏହି ଅମାନିଆଙ୍କୁ ସାବାଡ଼ କରିବା ଲାଗି ରାଜ୍ୟ ସରକାର ଶେଷରେ ବ୍ରହ୍ମାସ୍ତ୍ର ପ୍ରୟୋଗ କରିଛନ୍ତି। ମାସ୍କ ବ୍ୟବହାର ନ କଲେ କିମ୍ବା ସର୍ବସାଧାରଣରେ ଛେପ ପକାଇଲେ ଅଥବା ସାମାଜିକ ଦୂରତା ନିୟମ ଉଲ୍ଲଂଘନ କଲେ ଏଣିକି ସେମାନଙ୍କୁ ବହୁମୂଲ୍ୟ ଦେବାକୁ ପଡ଼ିପାରେ। ଏସବୁ ନିୟମ ଉଲ୍ଲଂଘନ କଲେ ୨ବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ କିମ୍ବା ଜରିମାନା ଏକ ଲକ୍ଷ ଟଙ୍କା ହୋଇପାରେ। ସ୍ଥଳବିଶେଷରେ ଉଭୟ ଦଣ୍ଡବିଧାନ ବି କରାଯାଇପାରେ। ଏହି ଉଦ୍ଦେଶ୍ୟରେ ମହାମାରୀ ଅଧିନିୟମରେ ଏକ ବଡ଼ ଧରଣର ସଂଶୋଧନ କରିବା ଲାଗି ଅଧ୍ୟାଦେଣ ଆଣିବାକୁ ସରକାର ନିଷ୍ପତ୍ତି ନେଇଛନ୍ତି। ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ଭିଡିଓ କନଫରେନ୍ସିଂ ଯୋଗେ ଅନୁଷ୍ଠିତ ରାଜ୍ୟ କ୍ୟାବିନେଟ୍ ବୈଠକରେ ଏଭଳି ମୋଟ ୨୦ଟି ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି ନିଆଯାଇଛି।

କ୍ୟାବିନେଟ୍ ନିଷ୍ପତ୍ତି ସଂପର୍କରେ ସୂଚନା ଦେଇ ମୁଖ୍ୟଶାସନ ସଚିବ ଅସିତ କୁମାର ତ୍ରିପାଠୀ କହିଛନ୍ତି ଯେ କୋଭିଡ୍-୧୯ ମହାମାରୀ ସମଗ୍ର ବିଶ୍ବରେ ଏକ ବୃହତ୍ ଜନସ୍ବାସ୍ଥ୍ୟ ସଙ୍କଟ ସୃଷ୍ଟି କରିଛି। ଓଡ଼ିଶା ସରକାର ଏହାକୁ ରୋକିବା ଲାଗି ମହାମାରୀ ରୋଗ ଅଧିନିୟମର ଧାରା ୨ ଓ ୩ ଅନୁଯାୟୀ ଦିଆଯାଇଥିବା କ୍ଷମତାର ପ୍ରୟୋଗ କରି ଓଡ଼ିଶା କୋଭିଡ୍-୧୯ ନିୟମାବଳି,୨୦୨୦ ପ୍ରସ୍ତୁତ କରିଛନ୍ତି। ମାତ୍ର ବିଗତ ଏକମାସ ଧରି ଏହି ସଂକ୍ରମଣ କମିବା ପରିବର୍ତ୍ତେ ବଢ଼ିବାରେ ଲାଗିଛି। ରାଜ୍ୟ ସରକାର ଜାରି କରିଥିବା ସାମାଜିକ ଦୂରତା ନିର୍ଦେଶାବଳି କିଛି ଲୋକ ଆଦୌ ପାଳନ କରୁନାହାନ୍ତି। ଏହାଦ୍ବାରା ଜନସ୍ବାସ୍ଥ୍ୟ ପ୍ରତି ବିପଦ ଆସୁଛି। ଯଦି ଲୋକମାନେ ନିୟମ ପାଳନ ନ କରନ୍ତି, ତେବେ ଗୋଷ୍ଠୀ ସଂକ୍ରମଣ ହୋଇପାରେ। ଏହାଦ୍ବାରା ସ୍ବାସ୍ଥ୍ୟସେବା କେବଳ ଚାପଗ୍ରସ୍ତ ହେବ ତାହା ନୁହେଁ, ମୂଲ୍ୟବାନ ଜୀବନ ମଧ୍ୟ ଯାଇପାରେ।

ରାଜ୍ୟ ସରକାର ମାସ୍କ ବ୍ୟବହାର, ସର୍ବସାଧାରଣରେ ଛେପ ପକାଇବା, ସାମାଜିକ ଦୂରତା ନିୟମର ଉଲ୍ଲଂଘନ ଆଦି ସଂପର୍କରେ ସଚେତନତା ସୃଷ୍ଟି କରିଛନ୍ତି। ଭାରତ ସରକାର ମଧ୍ୟ ୫୦ ଜଣ ଓ ୨୦ଜଣଙ୍କ ଉପସ୍ଥିତିରେ ବିବାହ ଉତ୍ସବ ଏବଂ ଅନ୍ତିମ ସଂସ୍କାରକୁ ଅନୁମତି ଦେଇଛନ୍ତି। ମାତ୍ର ଲକ୍ଷ୍ୟ କରାଯାଉଛି ଯେ ଏହାର ବ୍ୟତିକ୍ରମ ହେଉଛି। ଏଣୁ କଠୋର ଦଣ୍ଡବିଧାନ ପାଇଁ ଆଜି କ୍ୟାବିନେଟ୍ ନିଷ୍ପତ୍ତି ନେଇ ଗତ ଏପ୍ରିଲ ୮ ତାରିଖରେ ଯେଉଁ ଅଧ୍ୟାଦେଶ ବଳରେ ଦଣ୍ଡ ଅବଧି ୨ବର୍ଷ ପର୍ଯ୍ୟନ୍ତ ଜେଲ୍ ଓ ଜରିମାନା ୧୦ହଜାର ଟଙ୍କା ଧାର୍ଯ୍ୟ କରାଯାଇଥିଲା, ତାହାକୁ ଆଜି ପୁଣି ବଢ଼ାଇ ଦିଆଯାଇଛି। ନୂଆ ନିଷ୍ପତ୍ତି ଅନୁସାରେ, କଟକଣା ଉଲ୍ଲଂଘନ କଲେ ଦୁଇବର୍ଷ ପର୍ଯ୍ୟନ୍ତ କାରାଦଣ୍ଡ, ୧ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜରିମାନା କିମ୍ବା ଉଭୟ ଦଣ୍ଡବିଧାନ ହୋଇପାରେ। ଯେହେତୁ ରାଜ୍ୟ ବିଧାନସଭା ଅଧିବେଶନ ଏବେ ଅନୁଷ୍ଠିତ ହେଉନାହିଁ ଓ ସଂକ୍ରମଣକୁ ପ୍ରତିହତ କରିବା ଜରୁରୀ ହୋଇପଡ଼ିଛି, ଏଣୁ କ୍ୟାବିନେଟ୍ ଅଧ୍ୟାଦେଶକୁ ମଞ୍ଜୁର କରିଛନ୍ତି, ଯାହା ପରବର୍ତ୍ତୀ କାଳରେ ବିଧାନସଭାରେ ଗୃହୀତ କରାଯାଇ ଆଇନ ପ୍ରଣୟନ କରାଯିବ। ଏହି ଅଧ୍ୟାଦେଶରେ ରାଜ୍ୟପାଳଙ୍କ ମୋହର ଲାଗିବା ପରେ ତତ୍କାଳ ଲାଗୁ ହେବ।

ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ରମରେ କ୍ୟାବିନେଟ୍ ଆଜି ସ୍ବାସ୍ଥ୍ୟସେବାର ଭିତ୍ତିଭୂମି ସୁଦୃଢ଼ କରିବା ସଂପର୍କରେ ଏକ ବଡ଼ ପଦକ୍ଷେପ ନେଇଛନ୍ତି। ‘ନିର୍ମଳ’ ସଂଶୋଧିତ ଯୋଜନା ଅନୁମୋଦନ ଲାଭ କରିଛି। ଏଥିରେ ୧୯୯୮ କୋଟି ୧୫ଲକ୍ଷ ୪୬ ହଜାର ଟଙ୍କା ବିନିଯୋଗ ହେବ। ଏଥିରୁ ୧୮୭୪ କୋଟି ୨୭ଲକ୍ଷ ୨୯ ହଜାର ଟଙ୍କା ରାଜ୍ୟ ବଜେଟରୁ ଓ ବାକି ୧୨୩ କୋଟି ୮୮ଲକ୍ଷ ୧୭ ହଜାର ଟଙ୍କା ଜାତୀୟ ସ୍ବାସ୍ଥ୍ୟ ମିସନରୁ ଖର୍ଚ୍ଚ ହେବ। ଏହି ଅର୍ଥ ୧୮୬୪ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନରେ ଉନ୍ନତମାନର ରୋଗୀ ସେବା ଓ ସଂକ୍ରମଣକୁ ରୋକିବା ଦିଗରେ ଖର୍ଚ୍ଚ କରାଯିବ। ଯାହାଦ୍ବାରା ଭବିଷ୍ୟତରେ ଓଡିଶା ‘କାୟାକଳ୍ପ’ ଏବଂ ‘ଏନ୍‌କ୍ୟୁଏଏସ୍’ କାର୍ଯ୍ୟକ୍ରମରେ ଭଲ ପ୍ରଦର୍ଶନ କରିପାରିବ।

Andrew Weaver, MLA

ମୁଖ୍ୟ ସଚିବ କହିଲେ ଯେ ପ୍ରଥମ ପର୍ଯ୍ୟାୟରେ ୨୦୧୮-୧୯ରୁ ୨୦୨୨-୨୩ ପର୍ଯ୍ୟନ୍ତ ପାଞ୍ଚବର୍ଷ ଲାଗି ୫୫୦ କୋଟି ୨୪ଲକ୍ଷ ୫୨ ହଜାର ଟଙ୍କା ଖର୍ଚ୍ଚ କରାଯାଇଥିଲା। ଏଥିରେ କେବଳ ଜିଲ୍ଲାସ୍ତରୀୟ ସ୍ବାସ୍ଥ୍ୟକେନ୍ଦ୍ରକୁ ଅନ୍ତର୍ଭୁକ୍ତ କରାଯାଇଥିଲା। ଏହାର ସଫଳତା ଦେଖି ସରକାର ଏବେ ଦ୍ବିତୀୟ ପର୍ଯ୍ୟାୟରେ ‘ନିର୍ମଳ ପ୍ଲସ୍’ ଯୋଜନାରେ ୪ଟି ନୂତନ ମେଡିକାଲ କଲେଜ ଓ ହସ୍ପିଟାଲ, ୯ଟି ଆୟୁଷ କଲେଜ ଓ ହସ୍ପିଟାଲ ଏବଂ ୩୨ଟି ନର୍ସିଂ କଲେଜ ଓ ସ୍କୁଲ ଏବଂ ହଷ୍ଟେଲ ସମେତ ମୋଟ ୪୫ଟି ସ୍ବାସ୍ଥ୍ୟ ପ୍ରତିଷ୍ଠାନକୁ ସାମିଲ କରିବାକୁ ନିଷ୍ପତ୍ତି ନେଇଛନ୍ତି।

ସେହିଭଳି ‘ନିର୍ମଳ ପ୍ଲସ୍ ପ୍ଲସ୍’ ଯୋଜନାରେ ରାଜ୍ୟର ୭ଟି ପ୍ରମୁଖ ସ୍ବାସ୍ଥ୍ୟ ପ୍ରତିଷ୍ଠାନ ଯଥା ଶ୍ରୀରାମଚନ୍ଦ୍ର ଭଂଜ ମେଡିକାଲ କଲେଜ, ମହାରାଜା କୃଷ୍ଣଚନ୍ଦ୍ର ଗଜପତି ମେଡିକାଲ କଲେଜ, ବୀର ସୁରେନ୍ଦ୍ର ସାଏ ଗବେଷଣା ପ୍ରତିଷ୍ଠାନ, ରାଜଧାନୀ ଚିକିତ୍ସାଳୟ ଓ ୩ଟି ଅନ୍ୟାନ୍ୟ ପ୍ରମୁଖ ହସ୍ପିଟାଲ ଯଥା ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ର, ମାନସିକ ସ୍ବାସ୍ଥ୍ୟ ପ୍ରତିଷ୍ଠାନ, ବଲ୍ଲଭଭାଇ ପଟେଲ୍ ସ୍ନାତକୋତ୍ତର ପ୍ରତିଷ୍ଠାନକୁ ସାମିଲ କରାଯାଇଛି।

ସ୍ବାସ୍ଥ୍ୟ ବିଭାଗ ସଂପର୍କିତ ଅନ୍ୟ ଏକ ଗୁରୁତ୍ବପୂର୍ଣ୍ଣ ନିଷ୍ପତ୍ତି କ୍ର‌ମେ ଏଣିକି ବିଜୁ କୃଷକ କଲ୍ୟାଣ ଯୋଜନାରେ ଦୁଇଟି ପର୍ଯ୍ୟାୟରେ ପଞ୍ଜୀକୃତ ହୋଇଥିବା ପ୍ରାୟ ୭୦ଲକ୍ଷରୁ ଅଧିକ ପରିବାର ପଞ୍ଜୀକୃତ ବେସରକାରୀ ଚିକିତ୍ସାଳୟରେ ମାଗଣା ଚିକିତ୍ସା ସହାୟତା ପାଇପାରିବେ। ଷ୍ଟେଟ୍ ହେଲ୍ଥ ଆସ୍ୟୁରାନ୍ସ ସୋସାଇଟି ମାଧ୍ୟମରେ ଏହାର ପରିଚାଳନା କରାଯିବ। ଏହାର ଅଧ୍ୟକ୍ଷ ସ୍ବାସ୍ଥ୍ୟ ସଚିବ ଥିବା ବେଳେ ସିଇଓ ଭାବେ ଜାତୀୟ ସ୍ବାସ୍ଥ୍ୟ ମିସନ ପରିଚାଳନା ନିର୍ଦେଶକ ରହିଛନ୍ତି। ୨୦୧୯-୨୦ରୁ ୨୦୨୩-୨୪ ପର୍ଯ୍ୟନ୍ତ ଏହି ଯୋଜନା ମାଧ୍ୟମରେ ୧୨୩୩କୋଟି ୪୪ହଜାର ଟଙ୍କା ଖର୍ଚ୍ଚ ହେବ।

ସମ୍ବନ୍ଧିତ ଖବର