ଲୁଣ କଳା ବଜାରି ପ୍ରସଙ୍ଗ : ହୋଲସେଲରକୁ ଲକ୍ଷେ ଟଙ୍କା ଫାଇନ ପକାଇଲା ପ୍ରଶାସନ

ପାଟଣାଗଡ଼: ବଲାଙ୍ଗୀର ଜିଲ୍ଲାପାଟଣାଗଡ଼ରେ ଲୁଣ କଳା ବଜାରି କରୁଥିବା ନେଇ ଜଣା ପଡିଥିଲାା ଏ ନେଇ ପ୍ରଶାସନ ପକ୍ଷରୁ କଳା ବଜାରି ନ କରିବା, ଗ୍ରାହକ ମାନଙ୍କୁ ଅଧିକ ଲୁଣ ବିକ୍ରି ନ କରିବା ନେଇ ଘୋଷଣା କରା ଯାଇଥିଲା । ତେବେ ଏହାକୁ ଭୃକ୍ଷେପ ନ କରି କିଛି ବ୍ୟବସାୟୀ ଏହାର କଳା ବଜାରୀ ଜାରି ରଖିଥିଲେ । ତେଣୁ ଗତ ଗୁରୁବାରରେ ପାଟଣାଗଡ଼ ପ୍ରଶାସନ ପକ୍ଷରୁ ଏକ ଟିମ କରି ହୋଲସେଲର ସଜ୍ଜନ ଅଗ୍ରୱାଲଙ୍କ (ଲକ୍ଷ୍ମୀ ଷ୍ଟୋର) ଗୋଦାମ ଗୁଡିକରେ ଚଢଉ କରିଥିଲାା ସମଲେଶ୍ବରୀ ନଗରରେ ଥିବା ତାର ଗୋଦାମରେ ଚଢଉ ସମୟରେ ୧୨୦ ବସ୍ତାରେ ସମୁଦାୟ ୩ ହଜାର କେଜି ଲୁଣ ରହିଥିଲା ।

ତେବେ ଶନିବାର ଉକ୍ତ ଗୋଦାମକୁ ପୁଣି ଥରେ ଟିମ୍ ଯାଇଥିଲା । ଏହି ଟିମରେ ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ, ତହସିଲଦାର ପୁଷ୍ପାଞ୍ଜଳୀ ପଣ୍ଡା, ଅତିରିକ୍ତ ତହସିଲଦାର ଧିରଜ ପାତ୍ର ଓ ଯୋଗାଣ ନିରୀକ୍ଷକ ସନ୍ତୋଷ ସିଂ ଅଗ୍ରସିନା ପହଞ୍ଚିଥିବା ବେଳେ ଉକ୍ତ ଗୋଦାମରେ ମହଜୁଦ ଥିବା ସବୁ ଲୁଣ ଆଉ ନ ଥିବା ଦେଖିବାକୁ ପାଇଥିଲା ଟିମ । ଗୋଦାମରେ ଲୁଣ ନ ଥିବା ଦେଖି ଉକ୍ତ ଟିମ୍ ଉପଜିଲ୍ଲାପାଳଙ୍କୁ ରିପୋର୍ଟ କରିଥିଲେ ।  ଜିଲ୍ଳାପାଳଙ୍କ ନିର୍ଦ୍ଦେଶରେ ପାଟଣାଗଡ଼ ଉପଜିଲ୍ଲାପାଳ ସୋମନାଥ ପଧାନ ସମ୍ପୃକ୍ତ ହୋଲସେଲରକୁ ଲକ୍ଷେ ଟଙ୍କା ଜରିମାନା ପକାଇଥିବା ଓ ସୋମବାର ଦିନ ଉକ୍ତ ହୋଲସେଲର ଠାରୁ ଲକ୍ଷେ ଟଙ୍କା ଜରିମାନା ଆଦାୟ କରା ଯାଇଥିବା ନେଇ ସହକାରୀ ଜିଲ୍ଲାପାଳ ପଦ୍ମନାଭ ପୁରୋହିତ ସୂଚନା ଦେଇଛନ୍ତି ।

ଏଠାରେ ପ୍ରକାଶ ଥାଉ କି, ଲକ୍ ଡାଉନ୍ ପରେ ପାଟଣାଗଡ଼ ସହରରେ ବିଭିନ୍ନ ସାମଗ୍ରୀର ବ୍ୟାପକ ଭାବେ କଳା ବଜାରି ହେଉଛି । ସେହିପରି ଲୁଣ କଳା ବଜାରି ମଧ୍ୟ ହେଉଥିବା ପ୍ରଶାସନ ସୂଚନା ପାଇ ଚଢଉ କରିଥିଲା । ତେବେ ପାଟଣାଗଡ଼ ଆହୁରି ଅନେକ ଗୋଦମେ ରହିଛି । ଉକ୍ତ ହୋଲସେଲର ମାନେ ଲକ୍ ଡାଉନ୍ ଫାଇଦା ଉଠାଇ ବ୍ୟାପକ ଭାବେ କଳା ବଜାରି କରୁଥିବା ଅଭିଯୋଗ ହେଉଛି । ତେଣୁ ପ୍ରଶାସନ କଳା ବଜାରି କରୁଥିବା ସମସ୍ତ ହୋଲସେଲର ଉପରେ ଚଢଉ କରାଯିବା ନେଇ ଦାବି ହେଉଛି ।

ସମ୍ବନ୍ଧିତ ଖବର