ବାଇକ୍‌ ଡିକିରୁ ଲୁଟି ନେଲେ ଲକ୍ଷେ ଟଙ୍କା

ଏସ୍‌. ରାମପୁର : ଡୁଙ୍ଗୁରିପାଲି ବ୍ଲକ ପଣ୍ଡକିଟାଲ ମେନ୍ କେନାଲ ବ୍ରିଜ୍ ଛକ ନିକଟରୁ ସ୍ପଷ୍ଟ ଦିବାଲୋକରେ ବିଚ୍ ରାସ୍ତାରୁ ନଗଦ ଲକ୍ଷେ ଟଙ୍କା ଲୁଟି ଦୁର୍ବୃତ୍ତ ଫେରାର୍ ହୋଇଯାଇଥିବା ଘଟଣା ଅଞ୍ଚଳରେ ଚର୍ଚ୍ଚାର ବିଷୟ ହୋଇଛି।

ଡୁଙ୍ଗୁରିପାଲି ବ୍ଲକ୍‌ ମାୟାବର୍ହା ପଞ୍ଚାୟତ ଜୀବନଦାଦର ଗ୍ରାମର ଗୋବିନ୍ଦ ଚନ୍ଦ୍ର ପାଢ଼ୀ ରାମପୁର ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଶାଖାରୁ ନିଜର ଧାନ ବିକ୍ରି ୧ଲକ୍ଷ ଟଙ୍କା ଉଠାଇ ଘରକୁ ଫେରୁଥିଲେ। ତେବେ ସେ ଡ୍ରେସ କିଣିବା ପାଇଁ ପଣ୍ଡକିଟାଲ ମେନ୍‌ କେନାଲ ବ୍ରିଜ ଛକ ନିକଟରେ ଥିବା ଏଲିନା କପଡ଼ା ଦୋକାନକୁ ଯାଇଥିଲେ। ଏହି ସମୟରେ ଅଚାନକ ଏକ ବାଇକ୍‌ରେ ୨ ଜଣ ଆସି ତାଙ୍କ ବାଇକ୍ ଡିକିରୁ ଟଙ୍କା ବ୍ୟାଗଟି ଝାମ୍ପିନେଇ ଫେରାର୍ ହୋଇଯାଇଥିଲେ। ଗୋବିନ୍ଦ ବାଇକ୍‌ରେ ପିଛା କରିଥିଲେ ବି ଦୁର୍ବୃତ୍ତମାନେ ବରପାଲି ପଟକୁ ଫେରାର ହୋଇଯାଇଥିଲେ। ଗୋବିନ୍ଦଙ୍କ ଅଭିଯୋଗ ପରେ ରାମପୁର ପୁଲିସ ତୁରନ୍ତ ବରପାଲି ପଟକୁ ଯାଇଥିଲେ ବି ନିରାଶ ହୋଇଥିଲେ। ଏ ସଂକ୍ରାନ୍ତରେ ରାମପୁର ଥାନାରେ ଏକ ମାମଲା ରୁଜୁ ହୋଇଛି। ଅତିରିକ୍ତ ଏସ୍‌ପି ରମେଶ ଚନ୍ଦ୍ର ପାଣିଗ୍ରାହୀ ଓ ଡିଏସ୍‌ପି ହେମସାଗର ନନ୍ଦ ଘଟଣାସ୍ଥଳକୁ ଯାଇ ଘଟଣାର ଅନୁଧ୍ୟାନ କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର