ପୁରୀ: ବିଶ୍ବ ପ୍ରସିଦ୍ଧ ପୁରୀ ଶ୍ରୀମନ୍ଦିରକୁ ଆଜି ଜଣେ ଭକ୍ତ ୧୦ ଲକ୍ଷ ଟଙ୍କା ଦାନ କରିଛନ୍ତି। ଶ୍ରୀମନ୍ଦିରକୁ ଦାନ କରିଥିବା ଭକ୍ତ ହେଉଛନ୍ତି ଏମ୍ ଏସ୍ କନ୍ସଲଟାଣ୍ଟର ମାଲିକ ଡ. ସୌମେନ୍ଦ୍ର ମହାନ୍ତି। ସେ ଏହି ଦାନ ଟଙ୍କାକୁ ନିଜର ପ୍ରତିନିଧିଙ୍କ ମାଧ୍ୟମରେ ଶ୍ରୀମନ୍ଦିରର ପ୍ରଶାସକ (ଉନ୍ନୟନ) ଅଜୟ କୁମାର ଜେନାଙ୍କୁ ହସ୍ତାନ୍ତର କରିଛନ୍ତି। ଏହି ଅବସରରେ ଶ୍ରୀମନ୍ଦିରର ଅତିରିକ୍ତ ଇଂଜିନିୟର ଆଶିଷ କୁମାର ସୁବୁଦ୍ଧି, ଓଏସ୍ଡି ଶୁଭ୍ରାଂଶୁ ପାଢ଼ୀ ଓ ଲୋକ ସଂପର୍କ ଅଧିକାରୀ ଜିତେନ୍ଦ୍ର ନାରାୟଣ ମହାନ୍ତି ଉପସ୍ଥିତ ଥିଲେ।
ସୂଚନାଯୋଗ୍ୟ ଗତ ସେପ୍ଟେମ୍ବର ମାସ ୧ ତାରିଖ ଦିନ ଗଂଜାମ ଜିଲ୍ଲା ଖଲ୍ଲିକୋଟ ବଜାର ନିବାସୀ ସକଳେଶ୍ବର ରଥ ଶ୍ରୀମନ୍ଦିରକୁ ପ୍ରାୟ ୨ କ୍ବିଣ୍ଟାଲ ଓଜନର ଚନ୍ଦନ କାଠ ଦାନ କରିଥିଲେ। ନିଜ ଘରବାଡିରେ ଥିବା ଚନ୍ଦନ ଗଛ କାଠକୁ ଦାନ କରିବା ନିମନ୍ତେ ସେ ପ୍ରାୟ ୨ ବର୍ଷ ହେବ ମନ୍ଦିର ପ୍ରଶାସନ ସହ ଯୋଗାଯୋଗରେ ରହିଥିଲେ। ସେ ତାଙ୍କ ପିତା ଆର୍ତ୍ତତ୍ରାଣ ରଥ ଏବଂ ସପରିବାର ଆସି ଏହି କାଠକୁ ଦାନ କରିଥିଲେ। ଏଥିରେ ଉକ୍ତ ଗଛର ଗଣ୍ତି ଅଂଶର ୧୭ ଖଣ୍ତ, ଶାଖା ୨୨, ମୂଳ ୯ ଖଣ୍ତ ଏବଂ କାଟିବା ବେଳେ ବାହାରିଥିବା ୩ କିଲୋଗ୍ରାମ ଛେଲି ରହିଥିଲା।
ସେହିପରି ଗତ ଏପ୍ରିଲ ମାସରେ ଖିମ୍ଜୀ ଜୁଏଲର୍ସର ଦାତବ୍ୟ ସଂସ୍ଥା ଖିମ୍ଜୀ ଫାଉଣ୍ଡେସନ ତରଫରୁ ଶ୍ରୀ ଜଗନ୍ନାଥ ମନ୍ଦିରର ଶ୍ରୀ ମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୧୧ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଦିଆଯାଇଥିଲା। ଖିମ୍ଜୀ ଫାଉଣ୍ଡେସନର ନିର୍ଦେଶକ ମିତେଶ ଖିମ୍ଜୀ ଓ ସୁମିତ ଖିମ୍ଜୀ ଏ ବାବଦ ଚେକ୍ ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ କ୍ରିଷନ କୁମାରଙ୍କୁ ପ୍ରଦାନ କରିଥିଲେ।