ଭୁବନେଶ୍ବର : ଭୁବନେଶ୍ବର ଟ୍ରେଜେରି ଷ୍ଟେଟ୍ ବ୍ୟାଙ୍କ ଶାଖାରୁ ଜଣେ ସରକାରୀ କର୍ମଚାରୀଙ୍କର ୧୦ ଲକ୍ଷ ଟଙ୍କା ଗାଏବ ଘଟଣା ରାଜଧାନୀରେ ଆଲୋଡ଼ନ ସୃଷ୍ଟି କରିଛି। ନା କୌଣସି ମେସେଜ୍ ନା କୌଣସି ସୂଚନା। କିନ୍ତୁ ଆକାଉଣ୍ଟରୁ ଗାଏବ ହୋଇଗଲା ୧୦ ଲକ୍ଷ ୧୦ ହଜାର ଟଙ୍କା। ଠକେଇର ଶିକାର ଅନୁଜ ତ୍ରିପାଠୀ ଏ ନେଇ କ୍ରାଇମବ୍ରାଞ୍ଚ ସାଇବର ଥାନାରେ ଅଭିଯୋଗ କରିବା ପରେ ମାମଲା ରୁଜୁ ହୋଇଛି। ଏହା ପଛରେ ବ୍ୟାଙ୍କର କୌଣସି କର୍ମଚାରୀଙ୍କର ହାତ ଥିବା ସନ୍ଦେହ କରାଯାଉଛି। ତଦନ୍ତ ପରେ ହିଁ ସବୁ କିଛି ସ୍ପଷ୍ଟ ହେବ।

Advertisment

ମିଳିଥିବା ସୂଚନା ଅନୁସାରେ, ଅନୁଜଙ୍କର ଟ୍ରେଜେରି ଷ୍ଟେଟ୍ ବ୍ୟାଙ୍କ ଶାଖାରେ ଥିବା ଏହି ଆକାଉଣ୍ଟକୁ ଦରମା ଆସେ। ୨୦୧୯ ମାର୍ଚ୍ଚ ୧୫ରେ ସନ୍ଦେହଜନକ ଭାବେ ତାଙ୍କ ଡେବିଟ୍ କାର୍ଡରୁ ୨ ହଜାର ଟଙ୍କା କାରବାର ନେଇ ମେସେଜ୍ ଆସିଥିଲା। ସେ ଏହା ଜାଣିବା ପରେ ୧୬ ତାରିଖରେ ବ୍ୟାଙ୍କ ଶାଖାକୁ ଯିବା ସହ ଡେବିଟ୍ କାର୍ଡକୁ ବ୍ଲକ୍ କରି ଦେଇଥିଲେ। ଯାଞ୍ଚ ପରେ ବ୍ୟାଙ୍କ ପକ୍ଷରୁ ପୁଣି ଏପ୍ରିଲରେ କାର୍ଡ ଚାଲୁ ହୋଇଥିଲା। କିନ୍ତୁ ୩୦ରୁ ଅଧିକ କାରବାରରେ ୧୦ ଲକ୍ଷ ୧୦ ହଜାର ଟଙ୍କା ଆକାଉଣ୍ଟରୁ ଗାଏବ ହୋଇ ଯାଇଛି। ଡେବିଟ୍ କାର୍ଡ ଓ ପେ-ଟିଏମ୍ ଜରିଆରେ ଏହି ସବୁ ଟଙ୍କା କାରବାର ହୋଇଥିବା ଜଣାପଡ଼ିଛି। ଠକେଇ ସଂକ୍ରାନ୍ତରେ ଅନୁଜ ବ୍ୟାଙ୍କ କର୍ତ୍ତୃପକ୍ଷ, ଆରବିଆଇ ଅମ୍ବୁଡସମ୍ୟାନଙ୍କ ନିକଟରେ ପୂର୍ବରୁ ଅଭିଯୋଗ କରି ସାରିଛନ୍ତି। ସାଇବର ପୁଲିସର ତଦନ୍ତ ପରେ ପୂରା ଘଟଣାର ପର୍ଦ୍ଦାଫାସ୍ ହେବ ବୋଲି କୁହାଯାଉଛି।

୬ଶହ ଟଙ୍କା ଟ୍ୟୁସନ୍ ଫି’ ଦେବାକୁ ଯାଇ ହରାଇଲେ ୫୭ ହଜାର

ଭୁବନେଶ୍ବର : ପୁଅର ଟ୍ୟୁସନ୍ ଫି’ ଦେବାକୁ ଯାଇ ଜଣେ ଅଭିଭାବକ ହରାଇଲେ ୫୭ ହଜାର ଟଙ୍କା। ଆକାଉଣ୍ଟରେ ଥିବା ସବୁ ସଞ୍ଚିତ ଅର୍ଥ ଲୁଟି ନେଇଛନ୍ତି ସାଇବର ଠକ। ଠକେଇର ଶିକାର ହୋଇଛନ୍ତି ଚନ୍ଦ୍ରେଶେଖରପୁର ଅଞ୍ଚଳର ରମେଶ ଚନ୍ଦ୍ର ସାହୁ। ଏ ନେଇ ସେ ସାଇବର ହେଲ୍ପ ଡେସ୍କର ଦ୍ବାରସ୍ଥ ହୋଇ ଅଭିଯୋଗ କରିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ରମେଶ ଟ୍ୟୁସନ୍ ଫି ବାବଦରେ ପେ-ଟିଏମରେ ୬ ଶହ ଟଙ୍କା ପେମେଣ୍ଟ କରିଥିଲେ। କିନ୍ତୁ ଏହି ଟ୍ରାନଜାକସନ୍ ଫେଲ୍ ହୋଇଥିଲା। ଏହା ପରେ ସେ ଗୁଗୁଲରେ ଟୋଲ୍ ଫ୍ରି ନମ୍ବର ଖୋଜିଥିଲେ। ଯେଉଁ ନମ୍ବର ମିଳିଥିଲା ସେଥିରେ ସେ ଯୋଗାଯୋଗ କରିଥିଲେ। ଏନି ଡେସ୍କ ଆପ୍ ଲୋଡ୍ କରିବା ପାଇଁ ତାଙ୍କୁ ନିର୍ଦ୍ଦେଶ ଦିଆଯାଇଥିଲା। ସେ ଏହି ଆପ୍ ଲୋଡ୍ କରିବା ପରେ ଠକ ପାଖକୁ ସମସ୍ତ ତଥ୍ୟ ଚାଲି ଯାଇଥିଲା। କେମିତି ବ୍ୟବହାର କରୁଥିଲେ ବୋଲି ଠକ ତାଙ୍କୁ ପଚାରିବା ସହ ସମସ୍ତ ତଥ୍ୟ ଚୋରି କରି ନେଇଥିଲା। ଏହା ପରେ ଆକାଉଣ୍ଟରୁ ୫୭ ହଜାର ଟଙ୍କା ଲୁଟି ନେଇଥିଲା ଠକ।