ଭୁବନେଶ୍ବର: ରାଷ୍ଟ୍ରାୟତ୍ତ ଉଦ୍ୟୋଗ ବ୍ରିଜ୍‌ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ର ଜିଜିଏମ୍‌ ଏକ ଠିକାସଂସ୍ଥାରୁ ୧୦ ଲକ୍ଷ ଟଙ୍କା ଲାଞ୍ଚ ନେବା ମାମଲା ନୂଆ ମୋଡ଼ ନେଇଛି। ବ୍ରିଜ ଆଣ୍ଡ ରୁଫ୍ କର୍ପୋରେସନ ଓ ଅନ୍ୟ ସରକାରୀ ବିଭାଗଠାରୁ ସୁପରକ୍ଲାସ ଠିକାଦାର ଦେବଦତ୍ତ ମହାପାତ୍ରଙ୍କ ଠିକା ସଂସ୍ଥା ‘ଆଦିତ୍ୟ ଦେବ ଇନ୍‌ଫ୍ରାଟେକ୍‌ ପ୍ରାଇ‌ଭେଟ୍‌ ଲିମିଟେଡ୍‌’ ହାତେଇଥିବା ଟେଣ୍ଡରକୁ ନେଇ ତନାଘନା ଆରମ୍ଭ କରିଛି ସିବିଆଇ। ଏକ ନିର୍ଦ୍ଦିଷ୍ଟ ପ୍ରକଳ୍ପକୁ ନେଇ ସିବିଆଇ ବରିଷ୍ଠ ଆଇଏଏସ୍‌ ଅଧିକାରୀ ବିଷ୍ଣୁପଦ ସେଠୀଙ୍କ ଡ୍ରାଇଭରଙ୍କୁ ସମନ କରିଛି। ଶ୍ରୀ ସେଠୀ ଏବେ ଏକାଧିକ ବିଭାଗର ପ୍ରମୁଖ ଶାସନ ସଚିବ ଭାବେ ଦାୟିତ୍ବ ନିର୍ବାହ କରୁଛନ୍ତି। ତେଣୁ ସଚିବଙ୍କ ପାଇଁ ଉଦ୍ଦିଷ୍ଟ ଏହି ସବୁ ବିଭାଗର ଗାଡ଼ିର ଡ୍ରାଇଭରମାନେ ସିବିଆଇରେ ହାଜର ହେବା ପାଇଁ କୁହାଯାଇଛି। ମେଲ୍‌ ଯୋଗେ ଏହି ସମନ ଯାଇଛି। ଏହା ସହ ସେହି ଡ୍ରାଇଭରମାନଙ୍କର ଠିକଣା ଓ ସବିଶେଷ ବ୍ୟକ୍ତିଗତ ସୂଚନା ଦେବାକୁ ରାଜ୍ୟ ସରକାରଙ୍କୁ ସିବିଆଇ ଚିଠି କରିଛି। ଶ୍ରୀ ସେଠୀ ଏବେ ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗ, ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ଏବଂ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ କାର୍ଯ୍ୟ କରୁଛନ୍ତି।

କ୍ଷମତା କରିଡର୍‌ରେ ଆଲୋଡ଼ନ

Advertisment

ଏହି ବିଭାଗଗୁଡ଼ିକର ଏକାଧିକ ଭିତ୍ତିଭୂମି ପ୍ରକଳ୍ପ ରାଜ୍ୟର ବିଭିନ୍ନ ସ୍ଥାନରେ ନିର୍ମାଣାଧୀନ ଅଛି। ତେଣୁ ଡ୍ରାଇଭର୍‌ମାନଙ୍କଠାରୁ ଟେଣ୍ଡର୍‌ ଫିକ୍ସିଂ ସମ୍ପର୍କରେ କିଛି ଗୁପ୍ତ ରହସ୍ୟ ଖୋଲିବାକୁ ସିବିଆଇ ଯୋଜନା କରୁଛି। ‌ଏହା ମାଧ୍ୟମରେ ସିବିଆଇ ରାଜ୍ୟ ସରକାରଙ୍କ ବଡ଼ ଅଧିକାରୀମାନେ ‌ଟେଣ୍ଡର୍‌ ଫିକ୍ସିଂରେ ସଂପୃକ୍ତ କି ନାହିଁ, ତାହା ଜାଣିବାକୁ ଉଦ୍ୟମ କରିଥିବା କୁହାଯାଉଛି। ଏହି ସମନକୁ ନେଇ କ୍ଷମତା କରିଡରରେ ଆଲୋଡ଼ନ ସୃଷ୍ଟି ହୋଇଛି। ରାଜ୍ୟରେ ନୂଆ ସରକାର ଗଠନ ହେଲା ପରେ ପ୍ରଥମ ଥର ସିବିଆଇର ବଡ଼ ଧରଣର ଧରପଗଡ଼ ହେଉଥିବାରୁ ଏହାକୁ ନେଇ ସବୁ ମହଲରେ ଉତ୍ସୁକତା ପ୍ରକାଶ ପାଇଛି। ପୂର୍ବ ସରକାରରେ ଏହି ଠିକା ସଂସ୍ଥା ମଧ୍ୟ ବହୁ କୋଟି ଟଙ୍କାର ପ୍ରକଳ୍ପ ନେଇଥିଲା। ସିବିଆଇ ସେସବୁକୁ ମଧ୍ୟ ତଦନ୍ତ ପରିସରଭୁକ୍ତ କରିଛି। ଏହି ମାମଲାରେ ସିବିଆଇ ତିନି ଜଣ ଅଭିଯୁକ୍ତଙ୍କୁ ୫ ଦିନ ରିମାଣ୍ଡରେ ନେଇଥିବା ବେଳେ ଆଜି ଦ୍ବିତୀୟ ଦିନରେ କିଛି ବ୍ୟକ୍ତିଙ୍କୁ ସିବିଆଇ କାର୍ଯାଳୟକୁ ଡକାଯାଇଥିଲା। ବ୍ରିଜ୍ ଆଣ୍ଡ୍‌ ରୁଫ୍‌ କର୍ପୋରେସନ୍‌ର ଜିଜିଏମ୍‌ ଏକା ‌ଲାଞ୍ଚ କାରବାରରେ ସଂପୃକ୍ତ ନା ଏହା ପଛରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଅନ୍ୟ ଅଧିକାରୀଙ୍କର ସଂପୃକ୍ତି ରହିଛି, ତାହା ସ୍ପଷ୍ଟ ହୋଇ ନାହିଁ।