ବରମୁଣ୍ଡା ବସ୍‌ଷ୍ଟାଣ୍ଡ୍‌ ପାଇଁ ୧୦୦ କୋଟି

କଟକ : ବଦଳିଯିବ ବାଦାମବାଡି ବସଷ୍ଟାଣ୍ଡର ଚିତ୍ର। ବସ୍‌ ଷ୍ଟାଣ୍ଡ ପରିସରରେ ଖୋଲିବ ଶୀତ ତାପ ନିୟନ୍ତ୍ରିତ ରେସ୍ତୋରାଁ। ଯାତ୍ରୀମାନଙ୍କୁ ମିଳିବ ୨୪ ଘଣ୍ଟିଆ ବିଶୁଦ୍ଧ ପାନୀୟଜଳ। ଷ୍ଟାଣ୍ଡରୁ ଦୂର ହେବ ଜଳବନ୍ଦୀ ସମସ୍ୟା। ଆସନ୍ତା ବର୍ଷକ ମଧ୍ୟରେ ରାଜ୍ୟର ଏହି ସର୍ବପୁରାତନ ବସଷ୍ଟାଣ୍ଡର ନବୀକରଣ କାର୍ଯ୍ୟ ଶେଷ ହେବ। ଏହି ପରିପ୍ରେକ୍ଷୀରେ ଆଜି ଏହାର ନବୀକରଣ କାର୍ଯ୍ୟର ଶିଳାନ୍ୟାସ କରାଯାଇଛି। ବାଦାମବାଡି ବସଷ୍ଟାଣ୍ଡ ପରିସରରେ ଆୟୋଜିତ ଏକ ସ୍ୱତନ୍ତ୍ର ଉତ୍ସବରେ ରାଜ୍ୟ ବାଣିଜ୍ୟ ଓ ପରିବହନମନ୍ତ୍ରୀ ଡକ୍ଟର ନୃସିଂହ ଚରଣ ସାହୁ ମୁଖ୍ୟ ଅତିଥିଭାବେ ଯୋଗ ଦେଇ ଏହାର ଶିଳାନ୍ୟାସ କରିଛନ୍ତି।

ଏହି ଅବସରରେ ଶ୍ରୀ ସାହୁ କହିଛନ୍ତି ଯେ,ବାଦାମବାଡି ବସଷ୍ଟାଣ୍ଡର ନବୀକରଣ ପାଇଁ ରାଜ୍ୟ ସରକାର ୬ କୋଟି ଟଙ୍କା ମଞ୍ଜୁର କରିଛନ୍ତି। ଏହି ଅର୍ଥରେ ଷ୍ଟାଣ୍ଡର ଯାତ୍ରୀ ବିଶ୍ରାମାଗାରର ପୁନରୁଦ୍ଧାର କରାଯିବା ସହ ଜିଲ୍ଲା ପରିବହନ ଅଧିକାରୀଙ୍କ କାର୍ଯ୍ୟାଳୟର ନବୀକରଣ କରାଯିବ। ଷ୍ଟାଣ୍ଡକୁ ଜଳବନ୍ଦୀ ସମସ୍ୟାରୁ ମୁକ୍ତ କରିବା ପାଇଁ ଚଟାଣକୁ ଦେଢଫୁଟ ଉଚ୍ଚା କରାଯିବ। ସେହିପରି ଶୀତ ତାପ ନିୟନ୍ତ୍ରିତ ରେସ୍ତୋରାଁ ଖୋଲାଯିବା ସହିତ ଯାତ୍ରୀମାନଙ୍କ ସୁବିଧା ପାଇଁ ଅତ୍ୟାଧିନିକ ମେସିନ ସାହାଯ୍ୟରେ ବିଶୁଦ୍ଧ ପାନୀୟଜଳ ଯୋଗାଇ ଦିଆଯିବ। ଡ୍ରେନେଜର ଉନ୍ନତିକରଣ ଏବଂ ମହିଳା ତଥା ପୁରୁଷଙ୍କ ପାଇଁ ଶୌଚାଳୟର ସୁବିଧା କରାଯିବ। ବସ ପାଇଁ ରହଣୀସ୍ଥାନ ଏବଂ ଡିଭାଇଡର ନିର୍ମାଣ କରାଯିବା ସହ ବ୍ୟବସାୟୀଙ୍କ ପାଇଁ ଭେଣ୍ଡିଂ ଜୋନ ନିର୍ମାଣ କରାଯିବ ବୋଲି ମନ୍ତ୍ରୀ ଶ୍ରୀ ସାହୁ ସୂଚନା ଦେଇଛନ୍ତି। ରାଜ୍ୟ ପୁଲିସ ହାଉସିଂ କର୍ପୋରେସନ ଏହାର ନିର୍ମାଣ ଦାୟିତ୍ୱ ନେଇଥିବାବେଳେ ପ୍ରଥମ ପର୍ଯ୍ୟାୟରେ ସରକାର ଏଥିପାଇଁ ୩ କୋଟି ୨୮ ଲକ୍ଷ ଟଙ୍କା ପ୍ରଦାନ କରିଛନ୍ତି। ନଭେମ୍ବରର ମାସରୁ ନିର୍ମାଣ ଆରମ୍ଭ ହେଉଥିବାବେଳେ ୨୦୧୮ ନଭେମ୍ବର ସୁଦ୍ଧା ଏହାର ନିର୍ମାଣ ଶେଷ ହେବ ବୋଲି ମନ୍ତ୍ରୀ ଶ୍ରୀ ସାହୁ କହିଛନ୍ତି।

ରାଜ୍ୟ ପୁଲିସ ଗୃହ ନିର୍ମାଣ ଓ କଲ୍ୟାଣ ନିଗମ ଅଧ୍ୟକ୍ଷ ତଥା ବରିଷ୍ଠ ଆଇପିଏସ୍‌ ଅଫିସର କେ.ବିି.ସିଂହଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ଉତ୍ସବରେ ଜଗତସିଂହପୁର ସାଂସଦ ଡକ୍ଟର କୁଳମଣୀ ସାମଲ, ଜିଲ୍ଲାପାଳ ସୁଶାନ୍ତ ମହାପାତ୍ର, ସିଏମସି ମେୟର ମିନାକ୍ଷୀ ବେହେରା, ଡେପୁଟୀ ମେୟର ଅଜୟ କୁମାର ବାରିକ, ବାଣିଜ୍ୟ ଓ ପରିବହନ ସଚିବ ଜି.ଶ୍ରୀ ନିବାସ, ଓଡିଶା ରାଜ୍ୟ ସଡକ ପରିବହନ ନିଗମ ଅଧ୍ୟକ୍ଷ ଲଳିତ ଦାସ ପ୍ରମୁଖ ଯୋଗ ଦେଇଥିଲେ। ଜିଲ୍ଲା ପରିବହନ ଅଧିକାରୀ ସୁକାନ୍ତ ସେଠୀ, ସିଏମସି ସ୍ୱାସ୍ଥ୍ୟ କମିଟି ଅଧ୍ୟକ୍ଷ ରଞ୍ଜନ ବିଶ୍ୱାଳ, ଆଞ୍ଚଳିକ ପରିବହନ ଅଧିକାରୀ, ଏମଭିଆଇ ତଥା ଅନ୍ୟ ପଦସ୍ଥ ଅଧିକାରୀମାନେ ଏଠାରେ ଉପସ୍ଥିତ ଥିଲେ।

ତେବେ ବାଦାମବାଡି ବସଷ୍ଟାଣ୍ଡ ସହ ରାଜ୍ୟର ଅନ୍ୟ ଛଅଟି ବସଷ୍ଟାଣ୍ଡ ଯଥା ଅନୁଗୁଳ, ବଲାଙ୍ଗୀର, ଜୟପୁର ଆଦି ବସଷ୍ଟାଣ୍ଡର ନବୀକରଣ ହେବ। ଏଥିପାଇଁ ୨୫ କୋଟି ବ୍ୟୟବରାଦ ହୋଇଛି। ରାଜ୍ୟର ସର୍ବବୃହତ ଭୁବନେଶ୍ୱରର ବରମୁଣ୍ଡା ବସଷ୍ଟାଣ୍ଡର ନବୀକରଣ ପାଇଁ ପ୍ରାୟ ଶହେ କୋଟି ବ୍ୟୟ ଅଟକଳ ହୋଇଛି। ଅନ୍ୟପଟେ କଟକର ଗୋପାଳପୁର ବସଷ୍ଟାଣ୍ଡ ନିର୍ମାଣ କାର୍ଯ୍ୟ ଖୁବଶୀଘ୍ର ଆରମ୍ଭ ହେବ। ୪୨ ଏକର ପରିମିତ ଜାଗାରେ ଏଥିପାଇଁ ପ୍ରଥମେ ପାଚେରି ନିର୍ମିତ ହେବ। ଏଥିପାଇଁ ପ୍ରାଥମିକ ପର୍ଯ୍ୟାୟରେ ସରକାର ୨ କୋଟି ଟଙ୍କା ମଞ୍ଜୁର କରିଥିବା ସୂଚନା ମିଳିଛି।

ସମ୍ବନ୍ଧିତ ଖବର