ଭୁବନେଶ୍ୱର : ଶିଶୁଙ୍କ ପୁଷ୍ଟି ବିକାଶ ଲାଗି ଓଡିଶା ସରକାର ଆଗାମୀ ତିନିବର୍ଷ ବର୍ଷରେ କେନ୍ଦ୍ରରୁ ୧୦୦ କୋଟି ଟଙ୍କା ପାଇବେ। ଜାତୀୟ ପୁଷ୍ଟିକର ମିସନ (ଏନ୍ଏନ୍ଏମ୍) ଜରିଆରେ ରାଜ୍ୟକୁ ଏହି ଅର୍ଥ ମିଳିବ। ରାଜ୍ୟର ମୋଟ୍ ୧୧ଟି ଜିଲ୍ଲା ଏହି ମିସନରେ ଅର୍ନ୍ତଭୁକ୍ତ ହେବ ବୋଲି ମହିଳା ଓ ଶିଶୁ ବିକାଶ ବିଭାଗ ସୂତ୍ରରୁ ସୂଚନା ମିଳିଛି।
୨୦୧୭-୧୮ ଆର୍ଥକ ବର୍ଷରେ କେନ୍ଦ୍ର ମହିଳା ଓ ଶିଶୁ ବିକାଶ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟକୁ ୩୩ କୋଟି ୩୦ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି। ଜନ୍ମରୁ ଛଅବର୍ଷ ବୟସର ଶିଶୁ, ଗର୍ଭବତୀ ଓ ସ୍ତନ୍ୟପାନ କରାଉଥିବା ମହିଳାମାନଙ୍କୁ ଆଗାମୀ ତିନିବର୍ଷ ପାଇଁ ଏହି ଯୋଜନାରେ ଅର୍ନ୍ତଭୁକ୍ତ କରାଯିବ। ଯେଉଁ ଜିଲ୍ଲା ଗୁଡିକ ଏହି ମିସନରେ ପ୍ରଥମ ପର୍ଯ୍ୟାୟରେ ଅର୍ନ୍ତଭୁକ୍ତ ହେବେ ସେଗୁଡିକ ହେଲା ମୟୁରଭଞ୍ଜ, କେନ୍ଦୁଝର, ସମ୍ବଲପୁର, ବରଗଡ, ବଲାଙ୍ଗୀର, ବୌଦ୍ଧ, ସୋନପୁର, ରାୟଗଡା, କୋରାପୁଟ, ମାଲକାନଗିରି ଏବଂ ନବରଙ୍ଗପୁର।
ଚଳିତ ଆର୍ଥକବର୍ଷ ସମେତ ଆଗାମୀ ତିନିବର୍ଷ ଲାଗି ସମଗ୍ର ଦେଶରେ ଏନ୍ଏନ୍ଏମ୍ କାର୍ଯ୍ୟକାରୀ ସକାଶେ କେନ୍ଦ୍ର ସରକର ୯୦୦୦ କୋଟି ଟଙ୍କାରୁ ଅଧିକ ଅର୍ଥ ମଞ୍ଜୁର କରିଛନ୍ତି। ଚଳିତ ଆର୍ଥକ ବର୍ଷରେ ୩୧୫ ଟି ଜିଲ୍ଲାରେ ଏହା କାର୍ଯ୍ୟକାରୀ ଏହା ଚଳାଇବା ସକାଶେ ୩୭୯ କୋଟି ୬୨ ଲକ୍ଷ ଟଙ୍କା ମଞ୍ଜୁର ହୋଇଛି।
ଜନ୍ମରୁ ଛଅବର୍ଷ ମଧ୍ୟରେ ୩୮.୪ ପ୍ରତିଶତ ଶିଶୁଙ୍କ ଠାରେ ପୁଷ୍ଟିହୀନତା ଥିବାବେଳେ ତାହାକୁ ୨୫ ପ୍ରତିଶତକୁ ହ୍ରାସଲାଗି ଯୋଜନାରେ ଲକ୍ଷ୍ୟ ରଖାଯାଇଛି। ଆମ ରାଜ୍ୟର ୧୧ଟି ଜିଲ୍ଲାରେ ୧୨୩ ଟି ପ୍ରକଳ୍ପ ହାତକୁ ନିଆଯିବ ଏବଂ ୨୪,୭୫୭ ଅଙ୍ଗନବାଡି କେନ୍ଦ୍ରରେ ଏହା ଚଳାଯିବ। ମୟୁରଭଞ୍ଜ ଜିଲ୍ଲାରେ ସର୍ବାଧିକ ୪୭୦୬ଟି ଅଙ୍ଗନବାଡି କେନ୍ଦ୍ର ଏଥିରେ ସାମିଲ ହେବାକୁ ଥିବାବେଳେ ଏଠାରେ ୨୬ଟି ବ୍ଲକରେ ପୁଷ୍ଟିହୀନତା ଅତ୍ୟନ୍ତ ଦୁର୍ବଳ ସ୍ଥିତିରେ ରହିଛି।
ସେହିଭଳି କୋରାପୁଟର ୩୨୬୪ଟି ଅଙ୍ଗନବାଡି କେନ୍ଦ୍ରରେ ୧୪ଟି ପ୍ରକଳ୍ପ କାର୍ଯ୍ୟକାରୀ ହେବାକୁ ଥିବା ବେଳେ କେନ୍ଦୁଝରର ୩୨୫୭ ଅଙ୍ଗନବାଡି ଏଥିରେ ଅର୍ନ୍ତଭୁକ୍ତ ହେବାର ଯୋଜନା ରହିଛି। ମହିଳା ଓ ଶିଶୁ ବିକଶ ମନ୍ତ୍ରାଳୟ ପକ୍ଷରୁ ରାଜ୍ୟ ସରକାରଙ୍କୁ ଏ ସଂକ୍ରାନ୍ତରେ ଅବଗତ କରାଯିବା ସହିତ ରାଜ୍ୟ ସରକାର ଏଥିପାଇଁ ସମନ୍ଵିତ କାର୍ଯ୍ୟ ଯୋଜନା ପ୍ରସ୍ତୁତ ଲାଗି କହିଛନ୍ତି।
ଏହି ଯୋଜନାରେ ଅଙ୍ଗନବାଡି ସହିତ ପ୍ରଧାନମନ୍ତ୍ରୀ ମାତୃ ବନ୍ଦନା ଯୋଜନା, କିଶୋରୀ ଯୋଜନା, ଜନନୀ ସୁରକ୍ଷା ଯୋଜନା, ଜାତୀୟ ସ୍ୱାସ୍ଥ୍ୟ ମିସନ, ସ୍ୱଚ୍ଛ ଭାରତ ଯୋଜନା, ସାଧାରଣ ବଣ୍ଟନ ବ୍ୟବସ୍ଥା, ଏମ୍ଜିନରେଗା ଆଦି ଅର୍ନ୍ତଭୁକ୍ତ ହେବ। ଏଥିପାଇଁ ୧୧ଟି ଜିଲ୍ଲାରେ ଜିଲ୍ଲା କାର୍ଯ୍ୟ ଯୋଜନା ସ୍ଥିର ହେବ। ବ୍ଲକ ସ୍ତରରେ ଯୋଜନାର ସଠିକ୍ କାର୍ଯ୍ୟକାରିତା ଲାଗି ବ୍ଲକ କାର୍ଯ୍ୟ ଯୋଜନା ହେବ।
ଜନ୍ମରୁ ୬ବର୍ଷ ବୟସର ଶିଶୁଙ୍କ ଠାରେ ପ୍ରତିବର୍ଷ ୨ପ୍ରତିଶତ ହାରରେ ପୁଷ୍ଟିହୀନତା ଦୂରପାଇଁ ଲକ୍ଷ୍ୟ ରଖାଯାଇଛି। ଅନୁରୂପ ଭାବେ ମହିଳା ଓ କିଶୋରୀ ମାନଙ୍କ ଠାରେ ବାର୍ଷିକ ୩ ପ୍ରତିଶତ ହାରରେ ରକ୍ତହୀନତା ଦୂରପାଇ ଲକ୍ଷ୍ୟ ରହିଛି। ଏଥି ସହିତ କମ୍ ଓଜନ ଶିଶୁ ଜନ୍ମ ସଂଖ୍ୟା ମଧ୍ୟ ପ୍ରତିବର୍ଷ ୨ପ୍ରତିଶତ ହ୍ରାସଲାଗି ଯୋଜନାରେ ଲକ୍ଷ୍ୟ ରହିଛି। ଚଳିତ ଆର୍ଥକବର୍ଷ ସରିବାକୁ ଆଉ ମାତ୍ର ଅଢେଇମାସ ଥିବାବେଳେ ଏ ବାବଦୀୟ ଅର୍ଥ ଖର୍ଚ୍ଚ କରି ବିନିଯୋଗ ପ୍ରମାଣପତ୍ର ଦେବା କାଠିକରପାଠ ବୋଲି ଅଧିକାରୀମାନେ ବିଚାର କରୁଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2018/01/National-Nutrition-Mission.jpg)