ଶିକ୍ଷାରେ ଉତ୍କର୍ଷ ପାଇଁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ, ପୁରସ୍କୃତ ହେବେ ବର୍ଷକୁ ୫୦ ହଜାର ଛାତ୍ରଛାତ୍ରୀ

ଭୁବନେଶ୍ବର : ଛାତ୍ରଛାତ୍ରୀଙ୍କ ପାଇଁ ସମୟ ହେଉଛି ସବୁଠୁ ବେଶି ଗୁରୁତ୍ବପୂର୍ଣ୍ଣ। ଠିକ ସମୟରେ ଠିକ କାମ କଲେ, ସଫଳତା ନିଶ୍ଚୟ ମିଳିଥାଏ। ପରିବର୍ତ୍ତନ ଅବଶ୍ୟମ୍ଭାବୀ। ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ ଓ ସମୟ ସହ ତାଳ ଦେଇ ଗତି କରିବା ଲାଗି ପ୍ରସ୍ତୁତ ହେବା ଦରକାର। ତେଣୁ ସମୟର ଆହ୍ବାନକୁ ମୁକାବିଲା କରିବା ପାଇଁ ପିଲାମାନଙ୍କୁ ଶିକ୍ଷାଦାନ କରିବା ଓ ପ୍ରସ୍ତୁତ କରିବା ହେଉଛି ବିଦ୍ୟାଳୟ ୫-ଟି ରୂପା‌ନ୍ତରଣର ମୂଳ ଲକ୍ଷ୍ୟ। ଆଜି ସୁରଭି-୨୦୨୨ର ଉଦ୍‌ଯାପନୀ କାର୍ଯ୍ୟକ୍ରମରେ ଯୋଗ ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ଏହା କହିଛନ୍ତି।

ଭୁବନେଶ୍ବର ୟୁନିଟ-୯ ସରକାରୀ ହାଇସ୍କୁଲରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ପଟ୍ଟନା‌ୟକ ଛାତ୍ରଛାତ୍ରୀଙ୍କୁ ଉଦ୍‌ବୋଧନ ଦେଇ ୩ଟି ଗୁରୁତ୍ବପୂର୍ଣ୍ଣ ବିଷୟରେ ପରାମର୍ଶ ଦେଇଥିଲେ। ସମୟକୁ ସଦୁପୋଯୋଗ କରିବା ସବୁ ଛାତ୍ରଛାତ୍ରୀମାନଙ୍କ ପ୍ରଥମ କର୍ତ୍ତବ୍ୟ ବୋଲି ସେ କହିଥିଲେ। ଜ୍ଞାନ ଅର୍ଜନ ପାଇଁ ପାଠପଢ଼ା ସହିତ ଖେଳକୁଦ, ନାଚ, ଗୀତ ଆଦି ସବୁ କ୍ଷେତ୍ରରେ ଉତ୍କର୍ଷତା ହାସଲ କରିବାକୁ ଚେଷ୍ଟା କରିବା ଉଚିତ। ଦ୍ବିତୀୟରେ ସେ କହିଥିଲେ ଯେ ‘ପରିବର୍ତ୍ତନ’ ଅବଶ୍ୟମ୍ଭାବୀ ହୋଇଥିବାରୁ ସମୟ ସହ ତାଳ ଦେଇ ପରିବର୍ତ୍ତନକୁ ଗ୍ରହଣ କରିବାକୁ ହେବ। ତେଣୁ ନିଜ ଭିତରେ ବୈଜ୍ଞାନିକ ମନୋବୃତ୍ତିର ବିକାଶ କରିବାକୁ ହେବ। ‌ସେହିପରି ଜୀବନ ଗଢ଼ିତୋଳିବାରେ ଯେଉଁ ଶିକ୍ଷକ, ଗୁରୁ , ପରିବାର, ନିଜ ଗାଁ ଓ ସ୍କୁଲର ଅବଦାନ ରହିଛି, ସେମାନଙ୍କୁ କେବେ ଭୁଲ ନାହିଁ ବୋଲି ସେ ଶେଷ ପରାମର୍ଶ ଦେଇଥିଲେ।

ଏହି ଅବସରରେ ୫-ଟିରେ ରୂପାନ୍ତରିତ ସ୍କୁଲ ତଥା ଅନ୍ୟ ସ୍କୁଲମାନଙ୍କ ପାଇଁ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଶୁଭାରମ୍ଭ କରିଛନ୍ତି। ଏହି କାର୍ଯ୍ୟକ୍ରମରେ ଉତ୍କର୍ଷ ଲାଭ କରୁଥିବା ସ୍କୁଲ ଛାତ୍ରଛାତ୍ରୀ, ଶିକ୍ଷାନୁଷ୍ଠାନ ଓ ପ୍ରଧାନ ଶିକ୍ଷକ, ଶିକ୍ଷକ, ଶିକ୍ଷୟିତ୍ରୀ, ସରପଞ୍ଚ, ସ୍କୁଲ ପରିଚାଳନା କମିଟି ତଥା ପୁରାତନ ଛାତ୍ରମାନଙ୍କୁ ସେମାନଙ୍କ ଅବଦାନ ପାଇଁ ସେ ବର୍ଷକୁ ୧୦୦ କୋଟି ଟଙ୍କାର ପୁରସ୍କାର ଘୋଷଣା କରିଛନ୍ତି। ଏହି ପୁରସ୍କାର ସବୁ ବ୍ଲକ୍‌, ଜିଲ୍ଲା ତଥା ରାଜ୍ୟସ୍ତରରେ ପ୍ରଦାନ କରାଯିବ। ୫୦ ହଜାର ଛାତ୍ରଛାତ୍ରୀ, ୧୫୦୦ ପ୍ରଧାନଶିକ୍ଷକ ଓ ଶିକ୍ଷକ,ଶିକ୍ଷୟିତ୍ରୀ, ସ୍କୁଲ ପରିଚାଳନା କମିଟି, ସରପଞ୍ଚ, ପୁରାତନ ଛାତ୍ରମାନଙ୍କୁ ଏହି ପୁରସ୍କାର ପ୍ରଦାନ କରାଯିବ। ଏହା ସହିତ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଓ ମାଧ୍ୟମିକ ଶିକ୍ଷା ପରିଷଦ ପାଇଁ ଡିଜି ଲକର୍‌ ବ୍ୟବସ୍ଥାର ମଧ୍ୟ ମୁଖ୍ୟମନ୍ତ୍ରୀ ଶୁଭାରମ୍ଭ କରିଛନ୍ତି। ଏହି ଭର୍ଚୁଆଲ୍‌ ଲକର୍‌ରେ ଛାତ୍ରଛାତ୍ରୀଙ୍କ ସାର୍ଟିଫିକେଟ, ମାର୍କ ସିଟ୍‌ ଓ ଅନ୍ୟାନ୍ୟ ଡକ୍ୟୁମେଣ୍ଟ ସୁରକ୍ଷିତ ରହିବା ସହିତ ସୁବିଧାରେ ଉପଲବ୍‌ଧ ହେବ। ଏହାଦ୍ବାରା ରେକର୍ଡପତ୍ର ଚୋରି ବା ହଜିଯିବାର କୌଣସି ସମ୍ଭାବନା ରହିବ ନାହିଁ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ବିଭିନ୍ନ କ୍ଷେତ୍ରରେ କୃତିତ୍ବ ହାସଲ କରିଥିବା ଛାତ୍ରଛାତ୍ରୀମାନଙ୍କୁ ପୁରସ୍କାର ପ୍ରଦାନ କରିଥିଲେ। ଏହା ସହିତ ଏକ କଫି ଟେବୁଲ ପୁସ୍ତକ, ମାଗାଜିନ ଓ ମୋ’ ସ୍କୁଲ ନ୍ୟୁଜ୍‌ ଲେଟର ଉନ୍ମୋଚନ କରିଥିଲେ।

ଏହି ଅବସରରେ ବିଜ୍ଞାନ ଓ ପ୍ରଯୁକ୍ତି ବିଭାଗ ମନ୍ତ୍ରୀ ଅଶୋକଚନ୍ଦ୍ର ପଣ୍ଡା କହିଥିଲେ ଯେ ଛାତ୍ରଛ‌ାତ୍ରୀଙ୍କ ଉନ୍ନତି ପାଇଁ ସରକାରଙ୍କ ପକ୍ଷରୁ ଇସ୍ରୋ ସ୍ପେସ୍‌ ଅନ୍‌ ହୁଇଲ୍‌ ଭୁବନେଶ୍ବର, ପାଣିପାଗ ସମ୍ପର୍କିତ ସ‌ଚେତନତା ପାଇଁ ସ୍ବତନ୍ତ୍ର କୋର୍ସ ଆରମ୍ଭ ପାଇଁ ସମସ୍ତ ପ୍ରସ୍ତୁତି ସରିଛି। ଅନ୍ୟ ରାଜ୍ୟକୁ ପଛରେ ପକାଇ ପାଠରେ ଆଗକୁ ବଢ଼ିବାକୁ ଓଡ଼ିଆ ପିଲାମାନେ ଲାଗିପଡ଼ନ୍ତୁ ବୋଲି ଅନ୍ୟତମ ଅତିଥି ବିଧାୟକ ଅନନ୍ତ ନାରାୟଣ ଜେନା ପରାମର୍ଶ ଦେଇଥିଲେ। ସ୍କୁଲ ଓ ଗଣଶିକ୍ଷା ବିଭାଗ କମିସନର ଅଶ୍ବଥି ଏସ୍‌ ସ୍ବାଗତ ଭାଷଣ ଦେଇଥିବା ବେଳେ ଓସେପା ପ୍ରକଳ୍ପ ନିର୍ଦ୍ଦେଶକ ଅନୁପମ ଶାହା ଧନ୍ୟବାଦ ଦେଇଥିଲେ।

ସମ୍ବନ୍ଧିତ ଖବର