ଗ୍ରାମୀଣ ଆବାସରେ ୧୦୦ କୋଟିର ଦୁର୍ନୀତି

ବିଞ୍ଝାରପୁର ବ୍ଲକ ଗୋଟିଏ ଉଦାହରଣ

୭୦ ପ୍ରତିଶତ ଆବାସ ଚୋରି
କୋଟିପତି,ମୃତବ୍ୟକ୍ତି ବି ଘର ନେଇଛନ୍ତି

ଯାଜପୁରଟାଉନ : ଚତୁର୍ଥ ଓ ଚତୁର୍ଦଶ ଅର୍ଥ କମିସନ ଟଙ୍କାରେ ରାଜ୍ୟର ଗାଁ ଗଣ୍ଡାରେ ଆଲୋକୀକରଣ କାର୍ଯ୍ୟରେ ବଡ଼ ଧରଣର କେଳେଙ୍କାରୀକୁ ନେଇ ଚର୍ଚ୍ଚା ଥମିନାହିଁ। ଏଣେ ଯାଜପୁର ଜିଲ୍ଲାରେ ଆଉ ଏକ ମହାଦୁର୍ନୀତି ସଂପର୍କରେ ଚାଞ୍ଚଲ୍ୟକର ତଥ୍ୟ ହସ୍ତଗତ ହୋଇଛି। ରାଜନେତା-ପ୍ରଶାସନିକ ଅଧିକାରୀ-ଦଲାଲ ହାତ ମିଳାଇ ଗ୍ରାମୀଣ ଆବାସ ଯୋଜନାରେ କୋଟି କୋଟି ଟଙ୍କା ହେରାଫେରି ହୋଇଛି। ଏପରିକି କୋଟିପତି ଓ ମୃତବ୍ୟକ୍ତିଙ୍କ ନାମରେ ୭୦ ପ୍ରତିଶତ ଆବାସ ହଡ଼ପ ହୋଇଥିବା ଅନୁସନ୍ଧାନରୁ ଜଣାପଡ଼ିଛି।

ମିଳିଥିବା ସୂଚନା ଅନୁସାରେ, ଯାଜପୁର ଜିଲ୍ଲାର ବିଭିନ୍ନ ବ୍ଲକକୁ ଏହି ଦୁର୍ନୀତି ମାଡ଼ିଛି। ଏଥିରେ ରେକର୍ଡ କରିଛି ବିଂଝାରପୁର ବ୍ଲକ୍‌। ୧୯୮୫ ମସିହାଠାରୁ ଅଦ୍ୟାବଧି ଏହି ବ୍ଲକ୍‌ରେ ୨୫ ହଜାର ଗ୍ରାମୀଣ ଆବାସ ବଣ୍ଟନ କରାଯାଇଥିବା ତଥ୍ୟ କହୁଛି। ହେଲେ ସେଥିରୁ ୭୦ ଭାଗ ଘର ହଡ଼ପ କରାଯାଇଥିବା ଜଣାପଡିଲାଣି। କୋଟିପତି, ମୃତଲୋକ ଏବଂ ଶାସକ ଦଳର ଲୋକମାନେ ଏହାକୁ ଚଞ୍ଚକତା କରି ହାତେଇଥିବା ଜଣାପଡ଼ିଛି।

ଅନୁସନ୍ଧାନରୁ ଜଣାପଡ଼ିଛି ଯେ, ୨୦୧୬-୧୭ରେ କୁଲସୁମ ବିବିଙ୍କ ନାମର ପ୍ରଧାନମନ୍ତ୍ରୀ ଆବାସ ମଂଜୁର ହୋଇଥିଲା । ଯାହାର ଏସ୍‌ଇସିସି ନଂ ହେଉଛି ୩୧୩୫୩୯୫ ଏବଂ ପରିଚୟ ପତ୍ରର ନଂ ଓଆର୦୪/୦୨୯/୨୬୦୫୭୭। ହେଲେ କୁଲସୁମ ବିବି ଦୀର୍ଘଦିନ ହେବ ମୃତୁ୍ୟୁବରଣ କରିଥିବା ବେଳେ ଏହି ଆବାସ ସେହି ଗ୍ରାମର ସେକ୍‌ କସିମୁଦ୍ଦିନଙ୍କ ପତ୍ନୀ ଲାଜବୁନିସାଙ୍କୁ ଦିଆଯାଇଥିବା ସୂଚନା ମିଳିଛିି । ସରକାରଙ୍କ ୱେବ୍‌ସାଇଟ୍‌ରେ ମୃତକ ମହିଳା କୁଲସୁମଙ୍କ ନାମ ରହିଛି, ଅଥଚ ଫଟୋରେ ଲାଜବୁନିସାଙ୍କ ଚିତ୍ର ରହିଛି।

ସେହିପରି ସେକ୍‌ ରମଜାନ ନାମକ ଜଣେ ଶିକ୍ଷକଙ୍କ ନାମରେ ପ୍ରଧାନମନ୍ତ୍ରୀ ଆବାସ ଦିଆଯାଇଥିବା ବେଳେ ପ୍ରକୃତ ବାସଭବନ ସେକ ଇନ୍ତାଜକୁ ଦିଆ ଯାଇଥିବା ଜଣାପଡିଛି । ସେକ ରସିଦ୍‌ଙ୍କ ନାମରେ ଆସିଥିବା ପ୍ରଧାନମନ୍ତ୍ରୀ ଆବାସ ଘର ନାଜନିନ ବିବି, ସେଖ ତଫିବୁଲଙ୍କ ନାମରେ ଆସିଥିବା ଆବାସ ସୁମେଦା ବିବି, ସଲିମ ଆବତାବଙ୍କ ଆବାସକୁ ସଲିମ ଖାଁ , ସାଜିଦ ହାସନଙ୍କ ଆବାସ ସାଜିଦ ଖାନଙ୍କୁ ଦିଆଯାଇଛି। ସୟଦପୁୁର ଓ ବିଂଝାରପୁର ପଞ୍ଚାୟତରେ ୫୦ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ବାସଗୃହ ଜାଲ୍‌ ହିତାଧିକାରୀମାନେ ହାତେଇ ନେଇଛନ୍ତି। ସରକାରୀ ହିସାବରେ ଘର ହୋଇଥିବା ଦର୍ଶାଯାଇଛି। ମାତ୍ର ପ୍ରକୃତରେ ସେଠାରେ ଘର ବୋଲି କିଛି ନାହିଁ ।

୨୦୧୭-୧୮ରେ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ସେକ୍‌ ଇସ୍ରାଇଲ ୨୦୧୫ରେ ମଧ୍ୟ ଏହି ଯୋଜନାରେ ଉପକୃତ ହୋଇଥିଲେ । ସରାଫତ ଅଲି ୨୦୧୨/୧୩ରେ ଇନ୍ଦିରା ଆବାସ ପାଇଥିବା ବେଳେ ୨୦୧୭/୧୮ରେ ପ୍ରଧାନମନ୍ତ୍ରୀ ଆବାସ ପାଇଛନ୍ତି । ସେକ୍‌ ଫକିର ମହମ୍ମଦ ୨୦୧୫/୧୬ରେ ପ୍ରଧାନମନ୍ତ୍ରୀ ଆବାସ ପାଇଥିବା ବେଳେ ୨୦୧୭/୧୮ରେ ଏହି ଯୋଜନାରେ ପୁଣି ଉପକୃତ ହୋଇଛନ୍ତି । ସେହିପରି ସେକ କମରୁଦ୍ଦିନ, ସାହାବୁଦ୍ଦିନ,ସଚିତ୍ର ମଲ୍ଲିକ ମଧ୍ୟ ଏକାଧିକ ଥର ପ୍ରଧାନ ମନ୍ତ୍ରୀ ଆବାସ ହାତେଇ ନେଇଥିବା ଅଭିଯୋଗ ହୋଇଛି ।

କେବଳ ସେତିକି ନୁହଁ ଗୋଟିଏ ପରିବାର ୫ରୁ ଅଧିକ ପ୍ରଧାନମନ୍ତ୍ରୀ ଆବାସ ନେଇଥିବା ଜଣାପଡିଛି। ସୟଦପୁରର ଗୟାସୁଦ୍ଦିନ ଖାଁ, ସାମସୁଦ୍ଦିନ ଖାଁ, ମିସାବୁଦ୍ଦିନ ଖାଁ, ଜାମାଉଦ୍ଦିନ ଖାଁ, ଆଲାଉଦ୍ଦିନ ଖାଁ ପ୍ରମୁଖ ଗୋଟିଏ ପରିବାରର ସଦସ୍ୟ ହୋଇଥିବା ବେଳେ ଏମାନଙ୍କର ୨ମହଲା କୋଠାଘର ରହିଛି। ଏମାନେ ୫ଟି ପ୍ରଧାନମନ୍ତ୍ରୀ ଆବାସ ହାତେଇ ନେଇଥିବା ସରକାରୀ ୱେବସାଇଟରୁ ଜଣାପଡିଛି । ସେହିପରି ସୟଦପୁର ପଂଚାୟତର ୟାକତ ଅଲିଙ୍କର ୨ ମହଲା କୋଠାଘର ଥିବାବେଳେ ୩ଟି ପ୍ରଧାନମନ୍ତ୍ରୀ ଆବାସ ହାତେଇ ନେଇଥିବା ଅଭିଯୋଗ ହୋଇଛି। ବିଂଝାରପୁର,ସୟଦପୁର ଓ କଲ୍ୟାଣପୁର ପଞ୍ଚାୟତର ୫୦ରୁ ଉର୍ଧ୍ୱ ପରିବାର ଅଛନ୍ତି ଯେ କି ୫ରୁ ଉର୍ଦ୍ଧ୍ୱ ପ୍ରଧାନମନ୍ତ୍ରୀ ଆବାସ ଓ ଇନ୍ଦିରା ଆବାସ ହାତେଇ ନେଇଥିବା ଅଭିଯୋଗ ହୋଇଛି ।

ଏକ ଗ୍ୟାସ୍‌ ଏଜେନ୍‌ସି ନେଇଥିବା ସେକ୍‌ ତଞ୍ଜିଲୁର ରହେମନ ପ୍ରଧାନମନ୍ତ୍ରୀ ଆବାସ ନେଇଥିବା ବେଳେ ଅବସର ପ୍ରାପ୍ତ ସରକାରୀ କର୍ମଚାରୀ ସରସିଡାଲି ଖାଁ ମଧ୍ୟ ପ୍ରଧାନମନ୍ତ୍ରୀ ଆବାସ ନେଇଛନ୍ତି। ଏମାନଙ୍କର ୨ମହଲା ଓ ୩ ମହଲା ବାସଗୃହ ରହିଛି । ବ୍ଲକରେ ଗରିବଙ୍କ ଅପେକ୍ଷା କୋଟିପତି ମାନେ ଏହି ଯୋଜନାରେ ସର୍ବାଧିକ ଉପକୃତ ହୋଇଛନ୍ତି । ୧୦ ହଜାର ଟଙ୍କାରେ ସରକାରୀ ଆବାସ ବିକ୍ରି ଚାଲିଛି। ଏହି ଦୁର୍ନୀତିରେ ବ୍ଲକ୍‌ ପ୍ରଶାସନ ଓ ଶାସକ ଦଳର ନେତା ଓ ଲୋକ ପ୍ରତିନିଧିମାନଙ୍କ ଅସାଧୁ ମେଣ୍ଟ ଯୋଗୁଁ ଶହେ କୋଟିରୁ ଅଧିକ ଟଙ୍କାର ହଡପ ହୋଇଥିବା ଅଭିଯୋଗ ହୋଇଛି। ଭିଜିଲାନ୍‌ସ ତଦନ୍ତ ହେଲେ ଏହି ଦୁର୍ନୀତିର ପେଡି ଖୋଲିବ।

ବ୍ଲକରେ ୨୦୧୭-୧୮ରେ ୧୮୩୯ ହିତାଧିକାରୀଙ୍କୁ ପ୍ରଧାନମନ୍ତ୍ରୀ ଆବାସ ବଣ୍ଟନ କରାଯାଇଥିବା ବେଳେ ୨୦୧୬/୧୭ରେ ୧୮୭୨, ୨୦୧୫/୧୬ରେ ୪୦୪, ୨୦୧୪/୧୫ରେ ୮୧୧, ୨୦୧୩/୧୪ରେ ୯୦୧ ଓ ୨୦୧୨/୧୩ରେ ୧୪୦୦ଜଣ ଗ୍ରାମୀଣ ଆବାସରେ ଅନ୍ତର୍ଭୁକ୍ତ ହୋଇଛନ୍ତି। ଏ ସମ୍ପର୍କରେ ବିଂଝାରପୁର ବିଡିଓ ଦାମୋଦର ଖୁଣ୍ଟିଆକୁ ପଚାରିବାରେ ସେ କହିଥିଲେ ଯେ ଏ ନେଇ ଅଭିଯୋଗ ହୋଇଥିବାରୁ ତଦନ୍ତ ଚାଲିଛି । ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ନିଆଯିବ ସୂଚନା ଦେଇଛନ୍ତି । ମାତ୍ର ତଦନ୍ତ କେତେ ଦିନ ଧରି ଚାଲିଛି, କିଏ କରୁଛନ୍ତି, ତାହା ସମସ୍ତଙ୍କୁ ଆନ୍ଦୋଳିତ କରୁଛି। ଯେଉଁମାନେ ଏହି କେଳେଙ୍କାରୀ ସହିତ ଯୋଡି ହୋଇଛନ୍ତି, ସେହିମାନେ କେମିତି ତଦନ୍ତ କରିବେ ଓ ଏହାଦ୍ୱାରା ନିରପେକ୍ଷତା ରହିବ, ତାହା ବୁଝାପଡୁନାହିଁ।

ସମ୍ବନ୍ଧିତ ଖବର